ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ସ୍ୱାଇନ୍ ଫ୍ଲୁର ଆତଙ୍କ ଗୁରୁବାର ଆହୁରି ବୃଦ୍ଧି ପାଇଛି । ରାଜଧାନୀ ଲକ୍ଷ୍ନୌରେ ଚଳିତ ସିଜିନର ପ୍ରଥମ ସ୍ୱାଇନ୍ ଫ୍ଲୁ ଜନିତ ମୃତ୍ୟୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଇନ୍ଦିରାନଗରର ବାସିନ୍ଦା ୫୦ ବର୍ଷୀୟା ଜଣେ ମହିଳାଙ୍କର, ଗୁରୁବାର ବଲରାମପୁର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ମହିଳା ଜଣକ କିଛି ଦିନ ହେବ ଥଣ୍ଡା, ଜ୍ୱର ଏବଂ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁ ଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇ ଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ୱାଇନ୍ ଫ୍ଲୁ ପରୀକ୍ଷା କରାଯାଇ ଥିବା ବେଳେ , ୨୪ ଅଗଷ୍ଟରେ ଆସିଥିବା ଘରୋଇ ପାଥୋଲୋଜି ରିପୋର୍ଟରେ ସ୍ୱାଇନ୍ ଫ୍ଲୁ ସ୍ପଷ୍ଟ ହୋଇଥିଲା। ଡାକ୍ତରମାନେ ତାଙ୍କୁ ହାୟର ସେଣ୍ଟରକୁ ନେବାକୁ ପରାମର୍ଶ ଦେବା ପରେ, ୨୫ ଅଗଷ୍ଟରେ ପରିବାର ଲୋକେ ତାଙ୍କୁ ବଲରାମପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପରିବାର ଲୋକେ ଲୁଚାଇ ଥିଲେ ରିପୋର୍ଟ -
ପରିବାର ଲୋକେ ଡାକ୍ତର ଓ କର୍ମଚାରୀଙ୍କୁ ସ୍ୱାଇନ୍ ଫ୍ଲୁ ପଜିଟିଭ୍ ରିପୋର୍ଟ ଲୁଚାଇ ରଖି ଥିଲେ। ଏହି ସମୟ ମଧ୍ୟରେ ମହିଳାଙ୍କର ଶ୍ୱାସକ୍ରିୟାରେ କଷ୍ଟ ଲଗାତାର ବୃଦ୍ଧି ପାଇ ଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅକ୍ସିଜେନ୍ ସପୋର୍ଟ ଏବଂ ଜୀବନରକ୍ଷକ ଉପକରଣରେ ରଖାଯାଇ ଥିଲା। ଡାକ୍ତରଙ୍କ ପ୍ରତ୍ୟକ୍ଷ ନଜରରେ ଚିକିତ୍ସା ଜାରି ରହି ଥିଲେ ବି ଗୁରୁବାର ଅପରାହ୍ନ ପ୍ରାୟ ୨.୩୦ ମିନିଟରେ ମହିଳା ଜଣକ ଶେଷ ନିଃଶ୍ୱାସ ତ୍ୟାଗ କରି ଥିଲେ।
ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ମୋବାଇଲ୍ ମାଧ୍ୟମରେ ଡାକ୍ତରଙ୍କୁ ସ୍ୱାଇନ୍ ଫ୍ଲୁ ରିପୋର୍ଟ ସେୟାର କରିଥିଲେ। ରିପୋର୍ଟ ଦେଖି ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ସ୍ତବ୍ଧ ହୋଇ ଯାଇ ଥିଲେ। ତୁରନ୍ତ ହସ୍ପିଟାଲ ପ୍ରଶାସନ ମୃତକଙ୍କ ଆଖ ପାଖରେ ଭର୍ତ୍ତି ହୋଇ ଥିବା ରୋଗୀଙ୍କ ନମୂନା ସଂଗ୍ରହ କରି ଥିଲା। ଏହାସହ ଚିକିତ୍ସା କରୁଥିବା ୧୭ ଜଣ ଡାକ୍ତର-କର୍ମଚାରୀ ଏବଂ ରୋଗୀଙ୍କ ନମୂନା ପରୀକ୍ଷା ପାଇଁ KGMU ପଠାଯାଇଛି। ସେହିପରି ଚିକିତ୍ସାରେ ସଂପୃକ୍ତ ଥିବା ଡାକ୍ତର ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ସିଏମଓ ଡକ୍ଟର ଏନ.ବି. ସିଂହଙ୍କ କହିବାନୁସାରେ , ମହିଳାଙ୍କର କାର୍ଡ ଟେଷ୍ଟରେ ସ୍ୱାଇନ୍ ଫ୍ଲୁ ସ୍ପଷ୍ଟ ହୋଇଥିଲା ନା ଏଲାଇଜା (ELISA) ଟେଷ୍ଟରେ, ତାହାର ଯାଞ୍ଚ ଚାଲିଛି। ସଂକ୍ରମଣର ପୂର୍ଣ୍ଣ ସ୍ପଷ୍ଟତା ପାଇଁ ଏଲାଇଜା ରିପୋର୍ଟ ଆବଶ୍ୟକ ହୋଇଥାଏ।
ସିଏମଓ ଆହୁରି ସୂଚନା ଦେଇଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବେ ମହିଳା ଜଣକ କେଉଁ କେଉଁ ସ୍ଥାନକୁ ଯାଇ ଥିଲେ ଏବଂ କାହା କାହା ସମ୍ପର୍କରେ ଆସିଥିଲେ ତାହାର ଅନୁସନ୍ଧାନ କରିବ। ସଂକ୍ରମଣ ସହ ଜଡ଼ିତ ଅନ୍ୟାନ୍ୟ ଦିଗଗୁଡ଼ିକର ତଥ୍ୟ ସଂଗ୍ରହ କରାଯାଉଛି। ମହିଳାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ନଜରରେ ରଖାଯିବ। ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବର୍ତ୍ତମାନ ଆଇସୋଲେସନରେ ରହିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ପରିବାର ଲୋକଙ୍କୁ ଆବଶ୍ୟକ ଔଷଧ ଯୋଗାଇଦେବା ସହ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଘରର କାହାରିକୁ ଥଣ୍ଡା, ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ହେଲେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।
ଜ୍ୱର ଆସିବାର ୪୮ ଘଣ୍ଟା ମଧ୍ୟରେ ଔଷଧ ଜରୁରୀ :
ଡାକ୍ତରଙ୍କ ଅନୁସାରେ, ସ୍ୱାଇନ୍ ଫ୍ଲୁ ସଂକ୍ରମିତ ରୋଗୀଙ୍କୁ ଜ୍ୱର ଆସିବାର ୪୮ ଘଣ୍ଟା ମଧ୍ୟରେ 'ଟାମିଫ୍ଲୁ' ଔଷଧ ଦେବା ଅତ୍ୟନ୍ତ ଜରୁରୀ। ଦୁଇ ଦିନ ପରେ ଏହି ଔଷଧ ଦେଲେ ସାଧାରଣତଃ କୌଣସି ବିଶେଷ ଫଳପ୍ରଦ ହୋଇ ନଥାଏ। ଏଭଳି ପରିସ୍ଥିତିରେ ଲକ୍ଷଣ ଦେଖାଯିବା କ୍ଷଣି ସମୟ ଥାଉ ଥାଉ ପରୀକ୍ଷା କରାଇବା ନେବା ଆବଶ୍ୟକ। ସ୍ୱାଇନ୍ ଫ୍ଲୁ ଭାଇରସ ସାଧାରଣତଃ ୫ ଦିନ ପର୍ଯ୍ୟନ୍ତ ଶରୀରରେ ସକ୍ରିୟ ରହିଥାଏ ଏବଂ ତା'ପରେ ରୋଗୀ ସଂକ୍ରମଣ ମୁକ୍ତ ହୋଇଥାଏ।
ସେହିପରି ଦିଲ୍ଲୀ-ଏନସିଆରରେ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ମୁରାଦାବାଦରେ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଆଶିୟାନା କଲୋନୀର ବାସିନ୍ଦା ଜଣେ ୪୨ ବର୍ଷୀୟ ଡାକ୍ତରଙ୍କର ପ୍ରାରମ୍ଭିକ ଯାଞ୍ଚ ସହ ଆରଟି-ପିସିଆର ପରୀକ୍ଷାରେ ମଧ୍ୟ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ଥିବା ଜଣାପଡ଼ିଥିଲା। ତିନି ଦିନ ପୂର୍ବରୁ ପ୍ରବଳ ଜ୍ୱର, ଥଣ୍ଡା ଏବଂ ଦୁର୍ବଳତା ଦେଖା ଯିବାରୁ ସେ ପରୀକ୍ଷା କରାଇ ଥିଲେ। ବର୍ତ୍ତମାନ ଉକ୍ତ ରୋଗୀଙ୍କ ଚିକିତ୍ସା ଜାରି ରହିଛି।
ଆହୁରି ମଧ୍ୟ ପଢନ୍ତୁ - ଦିନ ମଜୁରିଆରୁ ୬୮୧ କୋଟି ଟଙ୍କାର କମ୍ପାନୀ ମାଲିକ ! ପିସି ମୁସ୍ତାଫାଙ୍କ ସଂଘର୍ଷ ଓ ସଫଳତାର କଥା

