ଭୁବନେଶ୍ବର, ୩୦/୦୪: ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପ୍ରମାଣ ସ୍ବରୂପ ଭଉଣୀ କଙ୍କାଳ ଆଣିବା ଘଟଣାରେ ଆରଡିସି ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ଅଧିକାରୀ ତଥା ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ପଟଣା ଡିଆନାଳୀ ଗାଁରେ ପହଞ୍ଚିଛନ୍ତି । ଆରଡିସିଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ଜିତୁ ମୁଣ୍ଡାଙ୍କ ସହ ଆଲୋଚନା କରିଛନ୍ତି ।
କେଉଁ ପରିସ୍ଥିତିରେ ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ନିଜ ଭଉଣୀର କଙ୍କାଳ ନେଇ ପହଞ୍ଚିଥିଲେ, ସେସବୁ ପଚାରି ବୁଝୁଛନ୍ତି ତଦନ୍ତକାରୀ ଅଧିକାରୀ । ଜମା ଟଙ୍କା ଉଠାଇବାକୁ ବ୍ୟାଙ୍କ କର୍ମଚାରୀ ତାଙ୍କୁ କ'ଣ କହିଥିଲେ, ଗୋଟି ଗୋଟି କରି ପଚାରିଛନ୍ତି ।
ତେବେ ଏହା ପୂର୍ବରୁ ତଦନ୍ତକାରୀ ଟିମ୍ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠାରେ ବ୍ୟାଙ୍କ ଶାଖା ପରିଚାଳକ ଏବଂ ଅନ୍ୟ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ସେପଟେ ଡିଆନାଳୀ ଗାଁର ଜିତୁ ମୁଣ୍ଡାଙ୍କ ଘରେ କଂଗ୍ରେସ ଟିମ୍ ପହଞ୍ଚିଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ଦଳ ଜିତୁ ମୁଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଜିତୁ ମଶାଣିରୁ ଶବ ଖୋଳି କଙ୍କାଳ ନେଇ ବ୍ୟାଙ୍କକୁ ଗଲେ ପଚାରି ବୁଝିଛନ୍ତି ।
ଜମା ଟଙ୍କା ପାଇବାକୁ ବଡ଼ ଭଉଣୀର କଙ୍କାଳ ବ୍ୟାଙ୍କ ଆଗରେ ରଖିଥିଲେ ଜିତୁ ମୁଣ୍ଡା । ଏହାର ୨୪ ଘଣ୍ଟା ପରେ ଜିତୁଙ୍କ ଘରେ ପହଞ୍ଚିଥିଲା ବ୍ୟାଙ୍କ । ଭଉଣୀଙ୍କ ଜମା ଖାତାରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପହଞ୍ଚି ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ଦେଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଗତ ସୋମବାର ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ । ବଡ଼ ଭଉଣୀ କାଲାରା ମୁଣ୍ଡା (୫୦)ଙ୍କ ଜମା ଟଙ୍କା ପାଇବାକୁ ଭାଇ ଜିତୁ ମୁଣ୍ଡା ଭଉଣୀର କଙ୍କାଳ ଧରି ବ୍ୟାଙ୍କ୍ ଆଗରେ ବସିଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଚେତା ପଶିବା ସହ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ମଧ୍ୟ ତତ୍ପର ହୋଇ ଉଠିଛି । ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଭଳି ଘଟଣା କାହିଁକି ଘଟିଲା ଓ ଏହାର ଯେଭଳି ପୁନରାବୃତ୍ତି ନ ହେବ, ତାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଉତ୍ତରାଞ୍ଚଳ ଆରଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୁଧବାରଠାରୁ ଆରଡିସି ସେଠାକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆଜି ଗୁରୁବାର ଉତ୍ତରାଞ୍ଚଳ ଆରଡିସି ପ୍ରଥମେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପରେ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି । ସେପଟେ ଜିତୁ ମଧ୍ୟ ସବୁ କଥା ଗୋଟି ଗୋଟି କରି କହିଛନ୍ତି ।

