Dailyhunt
ଟ୍ରମ୍ପଙ୍କ ବଡ଼ ଚେତାବନୀ: ହୋର୍ମୁଜ ପ୍ରଣାଳୀରେ ନଜର ରଖିବ ଆମେରିକା, ସାମାନ୍ୟ ଭୁଲ୍ ହେଲେ ରକ୍ଷା ନାହିଁ !

ଟ୍ରମ୍ପଙ୍କ ବଡ଼ ଚେତାବନୀ: ହୋର୍ମୁଜ ପ୍ରଣାଳୀରେ ନଜର ରଖିବ ଆମେରିକା, ସାମାନ୍ୟ ଭୁଲ୍ ହେଲେ ରକ୍ଷା ନାହିଁ !

ନୂଆଦିଲ୍ଲୀ, ୮।୪: ବିଶ୍ୱ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏବେ 'ସିଜ୍‌ଫାୟାର' ବା ଯୁଦ୍ଧ ବିରତି ଘୋଷଣା ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିବାକୁ ଘୋଷଣା କରିବା ସହ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ଇରାନକୁ ତୁରନ୍ତ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରୁ ନାକାବନ୍ଦୀ ହଟାଇବାକୁ ପଡ଼ିବ ଏବଂ ସେଠାରେ ଅଟକି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବାକୁ ହେବ। ଏଥିସହିତ ସେ ଏକ ବଡ଼ ପ୍ରତିଶୃତି ଦେଇ କହିଛନ୍ତି ଯେ, ହୋର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ କରିବାରେ ଆମେରିକା, ଇରାନକୁ ସମ୍ପୂର୍ଣ୍ଣ ସହଯୋଗ କରିବ ।

ଇରାନକୁ ମିଳିଲା ବଡ଼ ଆଶ୍ୱସ୍ତି:

ଯୁଦ୍ଧ ଯୋଗୁଁ ଇରାନର ଭିତ୍ତିଭୂମି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ତେହେରାନ ଏବଂ କୌମ ଭଳି ସହରରେ ଆମେରିକା ଓ ଇସ୍ରାଏଲର ଭାରି ବୋମାମାଡ଼ ଯୋଗୁଁ ବିଶ୍ୱବିଦ୍ୟାଳୟ, ସ୍କୁଲ, ହସ୍ପିଟାଲ ଏବଂ ବଡ଼ ବଡ଼ ବ୍ରିଜ୍ ଧ୍ୱଂସ ହୋଇଯାଇଛି । ତେବେ ଟ୍ରମ୍ପ ଏବେ ଇରାନକୁ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦେଇଛନ୍ତି ।

ପୁନରୁଦ୍ଧାର ପାଇଁ ପାଣ୍ଠି: ଇରାନ ଏବେ ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ତେଲ ଟାଙ୍କର ଓ ଜାହାଜରୁ 'ଟୋଲ୍ ଟ୍ୟାକ୍ସ' ଆଦାୟ କରିବ । ଏହି ଅର୍ଥରେ ଦେଶର ଧ୍ୱଂସ ହୋଇଯାଇଥିବା ଭିତ୍ତିଭୂମିର ପୁନଃନିର୍ମାଣ କରାଯିବ ।

ଏହା ବି ପଢ଼ନ୍ତୁ... ​​​​​​​ଇସ୍ରାଏଲରେ ମିଳିଲା ୨,୧୦୦ ବର୍ଷ ପୁରୁଣା ଗୁଳି, ଖୋଦେଇ ହୋଇଛି କଡ଼ା ବାର୍ତ୍ତା

ଇରାନ ରଖିଥିବା ୧୦ଟି ମୁଖ୍ୟ ସର୍ତ୍ତ:

ଇରାନ ପକ୍ଷରୁ ଆମେରିକାକୁ ଏକ ୧୦ ଦଫା ସମ୍ବଳିତ ପ୍ରସ୍ତାବ ଦିଆଯାଇଛି, ଯାହାକୁ ଟ୍ରମ୍ପ ସ୍ୱୀକାର କରିଛନ୍ତି:

ସମସ୍ତ ପ୍ରକାରର ଆକ୍ରମଣ ବନ୍ଦ କରିବା ।

ହୋର୍ମୁଜ ଷ୍ଟ୍ରେଟ୍ ଉପରେ ଇରାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ ।

ୟୁରାନିୟମ ଏନରିଚମେଣ୍ଟକୁ ସ୍ୱୀକୃତି ଦେବା ।

ଇରାନ ଉପରୁ ସମସ୍ତ ଆର୍ଥିକ ପ୍ରତିବନ୍ଧକ ହଟାଇବା ।

ଦ୍ୱିତୀୟ ସ୍ତରୀୟ ପ୍ରତିବନ୍ଧକ ପ୍ରତ୍ୟାହାର କରିବା ।

UNSCର ସମସ୍ତ ବିରୋଧୀ ପ୍ରସ୍ତାବ ରଦ୍ଦ କରିବା ।

IAEA ବୋର୍ଡ ଅଫ୍ ଗଭର୍ଣ୍ଣରଙ୍କ ପ୍ରସ୍ତାବ ରଦ୍ଦ କରିବା ।

ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତି ପାଇଁ ଇରାନକୁ କ୍ଷତିପୂରଣ ଦେବା ।

ଲେବାନନର ଇସଲାମିକ ପ୍ରତିରୋଧ ସମେତ ସମସ୍ତ ସାମ୍ମୁଖ୍ୟରେ ଯୁଦ୍ଧ ଶେଷ କରିବା ।

କ'ଣ କହିଲେ ଡୋନାଲ୍ଡ ଟ୍ରମ୍ପ ?

ସିଜ୍‌ଫାୟାର ସମ୍ପର୍କରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, "ମୁଁ ଇରାନ ଉପରେ ଆକ୍ରମଣକୁ ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ସହମତ ହୋଇଛି । ଏହା ଏକ ଦ୍ୱିପାକ୍ଷିକ ସିଜ୍‌ଫାୟାର । ଇରାନ ପକ୍ଷରୁ ମିଳିଥିବା ୧୦ ସୂତ୍ରୀ ପ୍ରସ୍ତାବ ଆଲୋଚନା ପାଇଁ ଏକ ଭଲ ମାଧ୍ୟମ । ଅତୀତର ପ୍ରାୟ ସମସ୍ତ ବିବାଦୀୟ ପ୍ରସଙ୍ଗରେ ଆମେରିକା ଓ ଇରାନ ମଧ୍ୟରେ ଏବେ ସହମତି ପ୍ରକାଶ ପାଇଛି ।" ଏହି ପରିପ୍ରେକ୍ଷୀରେ ଟ୍ରମ୍ପ ପାକିସ୍ତାନର ଶେହବାଜ-ମୁନିର ସରକାରଙ୍କ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି । ବିଶ୍ୱ ବଜାରରେ ତେଲ ଯୋଗାଣ ସ୍ୱାଭାବିକ ରଖିବା ପାଇଁ ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia