Dailyhunt
ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଶସ୍ତା ହେଲା ତେଲ, ଇରାନ-ଆମେରିକା ସିଜ୍‌ଫାୟାର୍ ପରେ ବିଶ୍ୱ ବଜାରରେ କ୍ରୁଡ୍ ଅଏଲ୍ କ୍ରାସ୍ !

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଶସ୍ତା ହେଲା ତେଲ, ଇରାନ-ଆମେରିକା ସିଜ୍‌ଫାୟାର୍ ପରେ ବିଶ୍ୱ ବଜାରରେ କ୍ରୁଡ୍ ଅଏଲ୍ କ୍ରାସ୍ !

ନୂଆଦିଲ୍ଲୀ, ୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଆଜି ବିଶ୍ୱ ବଜାର ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଇରାନ ସହ ଦୁଇ ସପ୍ତାହର ଯୁଦ୍ଧ ବିରତି ଏବଂ ବିଶ୍ୱର ସବୁଠାରୁ ବଡ଼ ତୈଳ ପରିବହନ ମାର୍ଗ 'ହୋର୍ମୁଜ ଷ୍ଟ୍ରେଟ୍'କୁ ପୁଣି ଥରେ ଖୋଲିବା ପାଇଁ ହୋଇଥିବା ଚୁକ୍ତି ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ଏକ ଐତିହାସିକ ପତନ ଦେଖିବାକୁ ମିଳିଛି ।

ଗତ ୪୦ ଦିନ ଧରି ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଯେଉଁ ତେଲ ଦର ଆକାଶଛୁଆଁ ହୋଇଥିଲା, ତାହା ଆଜି ଗୋଟିଏ ଦିନରେ ୧୪% ରୁ ୨୦% ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଏହା ବି ପଢ଼ନ୍ତୁ... ଟ୍ରମ୍ପଙ୍କ ବଡ଼ ଚେତାବନୀ: ହୋର୍ମୁଜ ପ୍ରଣାଳୀରେ ନଜର ରଖିବ ଆମେରିକା, ସାମାନ୍ୟ ଭୁଲ୍ ହେଲେ ରକ୍ଷା ନାହିଁ !

ବ୍ରେଣ୍ଟ କ୍ରୁଡ୍: ପ୍ରାୟ ୧୭ ଡଲାର ହ୍ରାସ ପାଇ ବର୍ତ୍ତମାନ ବ୍ୟାରେଲ ପିଛା ୯୧.୮୮ ଡଲାରରେ ପହଞ୍ଚିଛି ।

WTI କ୍ରୁଡ୍: ଆମେରିକୀୟ କ୍ରୁଡ୍ ଦରରେ ପ୍ରାୟ ୨୧ ଡଲାରର ବଡ଼ ପତନ ଘଟିଛି, ଯାହା ବର୍ତ୍ତମାନ ୯୧.୦୫ ଡଲାରରେ କାରବାର କରୁଛି ।

ଭାରତୀୟ ସହରରେ ପେଟ୍ରୋଲ-ଡିଜେଲର ସ୍ଥିତି:

ଅନ୍ତର୍ଜାତୀୟ ବଜାରରେ ତେଲ ଦର କମିବା ପରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ପେଟ୍ରୋଲ-ଡିଜେଲ ଶସ୍ତା ହେବ କି ? ବିଶେଷଜ୍ଞଙ୍କ ଅନୁଯାୟୀ, କ୍ରୁଡ୍ ଅଏଲ୍ ଫ୍ୟୁଚର୍ସରେ କିଣାଯାଉଥିବାରୁ ଏହାର ପ୍ରଭାବ ତୁରନ୍ତ ଖୁଚୁରା ବଜାରରେ ପଡ଼ି ନଥାଏ । ତଥାପି ସରକାରୀ ତୈଳ କମ୍ପାନୀଗୁଡ଼ିକ (IOC, HPCL, BPCL) ଆଜି ଦେଶର ଅନେକ ସହରରେ ଦରରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ।

ଆଜିର ପ୍ରମୁଖ ସହରର ଦର:

ଉତ୍ତର ପ୍ରଦେଶର ଗାଜିଆବାଦରେ ପେଟ୍ରୋଲ ୨୯ ପଇସା ଶସ୍ତା ହୋଇ ୯୪.୪୧ ଟଙ୍କା ଏବଂ ଡିଜେଲ ୩୪ ପଇସା କମି ୮୭.୪୭ ଟଙ୍କା ହୋଇଛି । ସେହିପରି ହରିୟାଣାର ଗୁରୁଗ୍ରାମରେ ପେଟ୍ରୋଲ ୩୪ ପଇସା ହ୍ରାସ ପାଇ ୯୫.୫୧ ଟଙ୍କା ଓ ଡିଜେଲ ୮୭.୯୭ ଟଙ୍କାରେ ପହଞ୍ଚିଛି । ବିହାର ରାଜଧାନୀ ପାଟନାରେ ପେଟ୍ରୋଲ ୧୧ ପଇସା ଶସ୍ତା ହୋଇ ୧୦୫.୪୮ ଟଙ୍କା ଓ ଡିଜେଲ ୯୧.୭୨ ଟଙ୍କା ରହିଛି । ସୂଚନାଯୋଗ୍ୟ ଯେ, ଷ୍ଟେଟ୍ ଅଫ୍ ହୋର୍ମୁଜ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ପରିବହନ ହୋଇଥାଏ । ଯୁଦ୍ଧ ବିରତି ଫଳରେ ଏହି ପଥ ଏବେ ସୁରକ୍ଷିତ ହୋଇଛି, ଯାହା ଯୋଗାଣ ଚିନ୍ତାକୁ ଦୂର କରିଛି । ଯଦି ଆଗାମୀ ଦିନରେ ଏହି ଶାନ୍ତି ବଜାୟ ରହେ, ତେବେ ଖୁବ୍‌ଶୀଘ୍ର ଭାରତୀୟ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ଆହୁରି ବଡ଼ ଆଶ୍ୱସ୍ତି ମିଳିପାରେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia