ନୂଆଦିଲ୍ଲୀ, ୨।୪: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ସଂଘର୍ଷ ଏବେ ସବୁଠାରୁ ଭୟଙ୍କର ମୋଡ଼ରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀର ମାତ୍ର କିଛି ଘଣ୍ଟା ମଧ୍ୟରେ ଇରାନ, ଇସ୍ରାଏଲ୍ ଉପରେ ବଡ଼ ଧରଣର ମିସାଇଲ୍ ଆକ୍ରମଣ କରିଛି । ଗୁରୁବାର ସକାଳୁ ସାରା ଇସ୍ରାଏଲରେ ଏୟାର୍ ରେଡ୍ ସାଇରନ୍ ଗୁଞ୍ଜରି ଉଠିବା ସହ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି ।
ହ୍ୱାଇଟ୍ ହାଉସରୁ ରାଷ୍ଟ୍ରକୁ ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଆମେରିକାର 'ଅପରେସନ୍ ଏପିକ ଫ୍ୟୁରୀ' ଏବେ ଅନ୍ତିମ ପର୍ଯ୍ୟାୟରେ । ସେ ସ୍ପଷ୍ଟ ଭାବେ ଧମକ ଦେଇ କହିଛନ୍ତି, "ଆଗାମୀ ୨ ରୁ ୩ ସପ୍ତାହ ମଧ୍ୟରେ ଆମେ ଇରାନ ଉପରେ ଏଭଳି ପ୍ରହାର କରିବୁ ଯେ ସେ ପୁଣି ଷ୍ଟୋନ୍ ଏଜ୍କୁ ଫେରିଯିବ ।" ଇରାନକୁ ଆଣ୍ଠେଇବା ପାଇଁ ଆମେରିକା କୌଣସି ପ୍ରକାର ବୁଝାମଣା କରିବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ।
ଏହା ବି ପଢ଼ନ୍ତୁ... ଷ୍ଟକ୍ ମାର୍କେଟରେ ଭୂମିକମ୍ପ: ସେନସେକ୍ସ ୧୪୦୦ ପଏଣ୍ଟ ହ୍ରାସ, ଟ୍ରମ୍ପଙ୍କ ବୟାନ ପରେ ହାହାକାର !
ଇରାନର ପାଲଟା ଜବାବ, ୩ ଘଣ୍ଟାରେ ୩ଟି ବଡ଼ ଆକ୍ରମଣ:
ଟ୍ରମ୍ପଙ୍କ ଭାଷଣ ପରେ ଇରାନ ନିଜର ଶକ୍ତି ପ୍ରଦର୍ଶନ କରିଛି । ଇସ୍ରାଏଲ୍ ସାମରିକ ସୂତ୍ର ଅନୁସାରେ, ଉତ୍ତର ଇସ୍ରାଏଲ୍ ଏବଂ ହାଇଫା ଭଳି ଉପକୂଳ ସହରକୁ ଇରାନ ଲକ୍ଷ୍ୟ କରିଛି । ଇରାନୀ ମିସାଇଲ୍ ଗୁଡ଼ିକ ଇସ୍ରାଏଲର ସୁରକ୍ଷା ବଳୟକୁ ଭେଦ କରିବାରେ ସଫଳ ହୋଇଥିବା ଦାବି କରାଯାଇଛି । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF)ର ଏୟାର ଡିଫେନ୍ସ ସିଷ୍ଟମ ଏହି ମିସାଇଲ୍ ଗୁଡ଼ିକୁ ଆକାଶରେ ହିଁ ଧ୍ୱଂସ କରିବାକୁ ଉଦ୍ୟମ ଜାରି ରଖିଛି ।
୩୪ ଦିନରେ ଯୁଦ୍ଧ: ଥରିଲାଣି ବିଶ୍ୱ ଅର୍ଥନୀତି
୨୮ ଫେବ୍ରୁଆରୀ ୨୦୨୬ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଆଜି ୩୪ ଦିନରେ ପହଞ୍ଚିଛି । ଏହାର ପ୍ରଭାବ ଏବେ ସାରା ବିଶ୍ୱ ଉପରେ ପଡ଼ିବାରେ ଲାଗିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି, ଯାହାର ସିଧାସଳଖ ପ୍ରଭାବ ଭାରତ ସମେତ ଅନ୍ୟ ଦେଶ ଉପରେ ପଡ଼ିଛି । ମାଲେସିଆ ଭଳି ଦେଶ ଶକ୍ତି ବଞ୍ଚାଇବା ପାଇଁ 'ୱାର୍କ ଫ୍ରମ ହୋମ' ଲାଗୁ କରିଥିବା ବେଳେ ଚୀନରେ ଏୟାରଲାଇନ୍ସ ଗୁଡ଼ିକ ଫ୍ୟୁଲ୍ ସରଚାର୍ଜ ବଢ଼ାଇ ଦେଇଛନ୍ତି । ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ କହିଛନ୍ତି ଯେ, ସେ ଯୁଦ୍ଧ ଶେଷ କରିବାକୁ ଚାହାଁନ୍ତି, କିନ୍ତୁ ଭବିଷ୍ୟତ ପାଇଁ ତାଙ୍କୁ 'ଗ୍ୟାରେଣ୍ଟି' ଦରକାର । ଅନ୍ୟପଟେ ଟ୍ରମ୍ପଙ୍କ '୨-୩ ସପ୍ତାହ' ର ସମୟସୀମା ବିଶ୍ୱବାସୀଙ୍କ ମନରେ ଛନକା ପଶାଇଛି । ଏହା ଶାନ୍ତି ଆଣିବ ନା ବିନାଶକାରୀ ତୃତୀୟ ବିଶ୍ୱଯୁଦ୍ଧ, ତାହା ସମୟ କହିବ ।

