Dailyhunt
Trump Iran war news: ଟ୍ରମ୍ପଙ୍କୁ ଇରାନ ଯୁଦ୍ଧର ବାସ୍ତବ ସ୍ଥିତି ଜଣାଉନି ପେଣ୍ଟାଗନ୍, ଭାନ୍ସଙ୍କ ଚିନ୍ତା ବଢାଇଛି ଯୁଦ୍ଧାସ୍ତ୍ର ଅଭାବ

Trump Iran war news: ଟ୍ରମ୍ପଙ୍କୁ ଇରାନ ଯୁଦ୍ଧର ବାସ୍ତବ ସ୍ଥିତି ଜଣାଉନି ପେଣ୍ଟାଗନ୍, ଭାନ୍ସଙ୍କ ଚିନ୍ତା ବଢାଇଛି ଯୁଦ୍ଧାସ୍ତ୍ର ଅଭାବ

ୱାଶିଂଟନ୍, ୩୦/୦୪ : ପେଣ୍ଟାଗନ୍ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣାହେଉନି ଇରାନ ଯୁଦ୍ଧ ବାବଦରେ ସ୍ପଷ୍ଟ ଚିତ୍ର। ଯୁଦ୍ଧର ବାସ୍ତବ ସ୍ଥିତି ସମ୍ପର୍କରେ ଜଣା ଯାଉନଥିବା ନେଇ ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ସନ୍ଦେହ କରୁଛନ୍ତି । ଏ ନେଇ ଆମେରିକୀୟ ପତ୍ରିକା 'ଦି ଆଟ୍ଲାଣ୍ଟିକ୍' ଏକ ରିପୋର୍ଟ ପ୍ରକାଶ କରିଛି ।

ଟ୍ରମ୍ପଙ୍କୁ ଯୁଦ୍ଧ ସହ ଜଡ଼ିତ ସମସ୍ତ ବିବରଣୀ ପ୍ରଦାନ କରାଯାଉ ନ ଥିବା ନେଇ ଭାନ୍ସ ଆଶଙ୍କା କରୁଛନ୍ତି । ଏଥିସହ ଆମେରିକା ପାଖରେ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରଶସ୍ତ୍ର, ମିସାଇଲ ସିଷ୍ଟମର ଉପଲବ୍ଧତାକୁ ନେଇ ସେ ଟ୍ରମ୍ପଙ୍କୁ ସହ ଆଲୋଚନା ବେଳେ ଚିନ୍ତା ପ୍ରକଟ କରିଥିବା କଥା ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାନ୍ସ ମିସାଇଲ ଭଣ୍ଡାର ସମସ୍ୟା ବାବଦରେ ଟ୍ରମ୍ପଙ୍କ ଆଗରେ ନିଜସ୍ୱ ମତାମତ ରଖିଛନ୍ତି । ସେ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗ୍ସେଥ୍ ଏବଂ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫର ଚେୟାରମ୍ୟାନ୍ ଜେନେରାଲ ଡାନ୍ କେନଙ୍କ ଉପରେ ଦୋଷାରୋପ କରି ୱାର୍ କ୍ୟାବିନେଟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁନାହାନ୍ତି । ଭାନ୍ସଙ୍କ ମୁଖ୍ୟ ଚିନ୍ତା ହେଉଛି ଇଣ୍ଟରସେପ୍ଟର ଏବଂ ଟୋମାହକ୍ ଭଳି ମିସାଇଲ ସଂଖ୍ୟା ହ୍ରାସ ପାଇବା । ଏଥିରେ ଆହୁରି କୁହାଯାଇଛି ଯେ, ଇରାନ ଯୁଦ୍ଧ ପୂର୍ବରୁ ଅସ୍ତ୍ରଶସ୍ତ୍ରର ମନ୍ଥର ଉତ୍ପାଦନ, ୟୁକ୍ରେନ୍ ଏବଂ ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ଯୋଗାଣ ଯୋଗୁ ସାମରିକ ଭଣ୍ଡାର ହ୍ରାସ ପାଇଛି । ଆମେରିକା ପାଖରେ ଯୁଦ୍ଧାସ୍ତ୍ର ଅଭାବ ଯୋଗୁ ରୁଷ୍ ଏବଂ ଚୀନ୍ ସହ ସମ୍ଭାବ୍ୟ ଯୁଦ୍ଧରେ ଆମେରିକା ଦୁର୍ବଳ ପଡ଼ିପାରେ ବୋଲି ଭାନ୍ସ ଆଶଙ୍କା କରୁଛନ୍ତି ।

କେତେଜଣ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ୍ ଯାହା ଶୁଣିବାକୁ ଚାହୁଁଛନ୍ତି ହେଗ୍ସେଥ୍ ସେହିଭଳି କଥା କହୁଛନ୍ତି । ଫଳରେ ପେଣ୍ଟାଗନ୍ ପକ୍ଷରୁ ସ୍ପଷ୍ଟ ଚିତ୍ର ଟ୍ରମ୍ପଙ୍କୁ ପ୍ରଦାନ କରାଯାଉନାହିଁ। ଆଭ୍ୟନ୍ତରୀଣ ଆକଳନ ଅନୁସାରେ, ଇରାନ ପାଖରେ ଏବେ ମଧ୍ୟ ଏହାର ବାୟୁସେନାର ଦୁଇ ତୃତୀୟାଂଶ ସାମରିକ ଶକ୍ତି ସୁରକ୍ଷିତ ଅଛି। ଏଥିସହ ପର୍ଯ୍ୟାପ୍ତ ମିସାଇଲ ଭଣ୍ଡାର ବି ରହିଛି। ଇରାନ ବିପୁଳ ଛୋଟ ଜାହାଜ ମାଧ୍ୟମରେ ହୋର୍ମୁଜରେ ମାଇନ୍ସ ବିଛାଇବାର କ୍ଷମତା ମଧ୍ୟ ରଖିଛି। ତେଣୁ ଏସବୁ ଆମେରିକା ପାଇଁ ଚିନ୍ତାର କାରଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia