ନୂଆଦିଲ୍ଲୀ, ୩୧।୮: ଭାରତରେ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସାମ୍ନାକୁ ଆସିଛି । ବର୍ତ୍ତମାନ କେବଳ ସ୍ମାର୍ଟଫୋନ୍ ନୁହେଁ, ବରଂ ସାଧାରଣ କିପ୍ୟାଡ୍ ଫୋନ୍ରେ ମଧ୍ୟ ଫୋନ୍ ପେ' ଆପ୍ ବ୍ୟବହାର କରାଯାଇପାରିବ । ଏହାର ଶୁଭାରମ୍ଭ ଫୋନ୍ ପେ' ଦ୍ୱାରା କରାଯାଇଥିବାବେଳେ ନୋକିଆ ଏବଂ HMD କମ୍ପାନିର ବିଭିନ୍ନ ଡିଭାଇସରେ ଏହି ସୁବିଧା ମିଳିବା ଆରମ୍ଭ ହୋଇଯାଇଛି ।
ସବୁଠାରୁ ବଡ଼ କଥା ହେଲା, ଯେଉଁ କିପ୍ୟାଡ୍ ଫୋନ୍ଗୁଡ଼ିକରେ କ୍ୟାମେରା ରହିଛି, ସେହି ଫୋନ୍ ୟୁଜର୍ସମାନେ ବର୍ତ୍ତମାନ ସହଜରେ କ୍ୟୁଆର୍ କୋଡ୍ ମଧ୍ୟ ସ୍କାନ୍ କରି ପେମେଣ୍ଟ କରିପାରିବେ । ଭାରତର ଡିଜିଟାଲ୍ ପେମେଣ୍ଟ ଯାତ୍ରାରେ ଏହାକୁ ଏକ ବଡ଼ ମାଇଲଖୁଣ୍ଟ ଭାବେ ବିବେଚନା କରାଯାଉଛି ।
କେଉଁ କେଉଁ ଫୋନ୍ରେ ମିଳିବ ଫୋନ୍ ପେ' ର ସପୋର୍ଟ ?
ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଫୋନ୍ ପେ' ଆପ୍ HMD ଏବଂ Nokia ର HMD 105 2G, HMD 110 2G, Nokia 105 Classic, Nokia 105 Single SIM, Nokia 105 Dual SIM, Nokia 106, Nokia 123 Shield ଲୋକପ୍ରିୟ ମଡେଲଗୁଡ଼ିକରେ ଉପଲବ୍ଧ ହେଉଛି । ଏହା ବ୍ୟତୀତ, ଆଗାମୀ ଦିନରେ ନୋକିଆ ଏବଂ HMD ର ଅନ୍ୟାନ୍ୟ ମଡେଲଗୁଡ଼ିକରେ ମଧ୍ୟ 'PhonePe UPI 123Pay' ସୁବିଧା ଯୋଗାଇଦେବା ପାଇଁ ଉଭୟ କମ୍ପାନି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
Maruti small EV launch : ଭାରତରେ କେବେ ଲଞ୍ଚ ହେବ ମାରୁତି ସୁଜୁକିର ଛୋଟ EV ? କମ୍ପାନୀ CEO କଲେ ବଡ଼ ଖୁଲାସା
କିପ୍ୟାଡ୍ ଫୋନ୍ ୟୁଜର୍ସମାନେ କ'ଣ କ'ଣ ସୁବିଧା ପାଇବେ ?
ଯଦି ଆପଣଙ୍କ ପାଖରେ ଏହିସବୁ ମଡେଲଗୁଡ଼ିକରୁ କୌଣସି ଫୋନ୍ ଅଛି, ତେବେ ଆପଣ ବର୍ତ୍ତମାନ କେବଳ ମୋବାଇଲ୍ ନମ୍ବର କିମ୍ବା UPI ID ଜରିଆରେ ଟଙ୍କା ପଠାଇବା ସହିତ ଗ୍ରହଣ ମଧ୍ୟ କରିପାରିବେ । ନୋକିଆ ଏବଂ HMD ର ଯେଉଁ କିପ୍ୟାଡ୍ ଫୋନ୍ଗୁଡ଼ିକରେ କ୍ୟାମେରା ରହିଛି, ସେହି ୟୁଜର୍ସମାନେ ଦୋକାନ କିମ୍ବା ବଜାରରେ ଲାଗିଥିବା QR କୋଡ୍ ସ୍କାନ୍ କରି ସିଧାସଳଖ ପେମେଣ୍ଟ କରିପାରିବେ । ଏହା ବ୍ୟତୀତ ୟୁଜର୍ସମାନେ ସେମାନଙ୍କର ବ୍ୟାଙ୍କ ବାଲାନ୍ସ ଚେକ୍ କରିବା, ଟ୍ରାଞ୍ଜକ୍ସନ୍ ହିଷ୍ଟ୍ରି ଦେଖିବା ଏବଂ ମୋବାଇଲ୍ ରିଚାର୍ଜ କରିବା ଭଳି ସମସ୍ତ ଜରୁରୀ ସୁବିଧା ଫିଚର୍ ଫୋନ୍ରେ କରିପାରିବେ । ଫୋନ୍ ପେ' ର ସିଇଓ ସମୀର ନିଗମଙ୍କ କହିବା ଅନୁଯାୟୀ, ଗତ ୧୦ ବର୍ଷ ଭେତରେ UPI ଭାରତରେ ଟଙ୍କା ନେଣଦେଣର ପୂରା ଯୋଜନାକୁ ବଦଳାଇ ଦେଇଛି । ବର୍ତ୍ତମାନ ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ସୁବିଧାକୁ ଆହୁରି ବଡ଼ ସ୍ତରରେ ପହଞ୍ଚାଇବା । 'PhonePe UPI 123Pay' ଜରିଆରେ ଫିଚର୍ ଫୋନ୍ ପର୍ଯ୍ୟନ୍ତ UPI ପହଞ୍ଚାଇବା ଏହି ଦିଗରେ ଏକ ବଡ଼ ପଦକ୍ଷେପ । ଏହାଦ୍ୱାରା ଡିଜିଟାଲ୍ ପେମେଣ୍ଟର ଲାଭ କେବଳ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ମଧ୍ୟରେ ସୀମିତ ନ ରହି ଦେଶର କୋଣ ଅନୁକୋଣରେ ପହଞ୍ଚିପାରିବ ।
ଦେଶରେ ରହିଛନ୍ତି ୨୨ କୋଟି କିପ୍ୟାଡ୍ ଫୋନ୍ ୟୁଜର୍ସ
ଭାରତରେ ଏବେ ମଧ୍ୟ ପ୍ରାୟ ୨୨ କୋଟି ଲୋକ କିପ୍ୟାଡ୍ ଫୋନ୍ ବ୍ୟବହାର କରୁଛନ୍ତି । ବଜାରରେ ସ୍ମାର୍ଟଫୋନ୍ଗୁଡ଼ିକର ଦାମ ବୃଦ୍ଧି ପାଉଥିବାରୁ ଅନେକ ଗ୍ରାହକ ସ୍ମାର୍ଟଫୋନ୍କୁ ଅପଗ୍ରେଡ୍ କରିପାରୁନାହାନ୍ତି । ଆଜି ମଧ୍ୟ ଏକ ଭଲ କିପ୍ୟାଡ୍ ଫୋନ୍ ୫ ହଜାର ଟଙ୍କାରୁ କମ୍ ମୂଲ୍ୟରେ ମିଳିଯାଉଥିବାବେଳେ, ଏକ ଭଲ ସ୍ମାର୍ଟଫୋନ୍ କିଣିବା ପାଇଁ ଅନ୍ୟୁନ ୧୫ ହଜାର ଟଙ୍କା ଆବଶ୍ୟକ ହୋଇଥାଏ । ଏହି କାରଣରୁ ଦେଶର ଏକ ବଡ଼ ପରିମାଣର ଜନସଂଖ୍ୟା ଏବେ ବି କିପ୍ୟାଡ୍ ଫୋନ୍ ଉପରେ ନିର୍ଭରଶୀଳ । ତେଣୁ ଏହି ନୂତନ ସୁବିଧା ଦ୍ୱାରା କୋଟିକୋଟି କିପ୍ୟାଡ୍ ଫୋନ୍ ୟୁଜର୍ସ ବେଶ୍ ଉପକୃତ ହୋଇପାରିବେ ।

