Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Weather Forecast:  ଜୁଲାଇ ନିର୍ଧୁମ ଢାଳିଲା, ଅଗଷ୍ଟ ଓ ସେପ୍ଟେମ୍ବରରେ ଓଡ଼ିଶାରେ କମ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Weather Forecast: ଜୁଲାଇ ନିର୍ଧୁମ ଢାଳିଲା, ଅଗଷ୍ଟ ଓ ସେପ୍ଟେମ୍ବରରେ ଓଡ଼ିଶାରେ କମ ବର୍ଷା ସମ୍ଭାବନା, ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୧/୦୮: ଜୁନ୍‌ ଶୁଖିଲା ପଡ଼ିଲା । ଜୁଲାଇ ନିର୍ଧୁମ ଢାଳିଲା । ଏତେ ବର୍ଷା ଯେ ଅଧା ଓଡ଼ିଶାରେ ବର୍ତ୍ତମାନ ବନ୍ୟା ବିତ୍ପାତ ଲାଗି ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଜାରି କରିଥିବା ମୌସୁମୀର ଆଗାମୀ ଦୁଇ ମାସିଆ ପୂର୍ବାନୁମାନ କହୁଛି, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ବର୍ଷା କମ୍‌ ରହିପାରେ ।

ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟକୁ ଭାରତରେ ମୌସୁମୀ ବର୍ଷାର ଅବଧି କୁହାଯାଏ । ଜୁଲାଇ ଶେଷ ହେବା ସହ ମୌସୁମୀର ଅଧା ଅବଧି ସରିଛି । ଆଗାମୀ ଅବଧି (ଅଗଷ୍ଟ, ସେପ୍ଟେମ୍ବର ମାସ) ଦେଶରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବା ନେଇ ଆଇଏମଡି ଆକଳନ କରିଛି । ଏହି ପୂର୍ବାନୁମାନ ଚିତ୍ରରୁ ଜଣାପଡ଼ୁଛି, ଅଗଷ୍ଟ ମାସରେ ଭାରତରେ ମୁଖ୍ୟତଃ ବର୍ଷା ନିଅଣ୍ଟିଆ ରହିବ । କେବଳ ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ । ଓଡ଼ିଶାରେ ବି ବର୍ଷା କମ୍‌ ରହିପାରେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍‌ ଦେଲେ ପ୍ରାୟତଃ ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିପାରେ ।

ଉପକୂଳ, ଉତ୍ତର, ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା କମ୍‌ ରହିପାରେ । ମୋଟ ଉପରେ ଆଗାମୀ ଦୁଇ ମାସରେ (ଅଗଷ୍ଟ ଓ ସେପ୍ଟେମ୍ବର) ଓଡ଼ିଶା ସମେତ ଦେଶରେ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିବା ସମ୍ଭାବନା ଅଛି । ଓଡ଼ିଶାର କୌଣସି ଅଞ୍ଚଳରେ ଅଧିକ ବର୍ଷା ହେବା ନେଇ ସମ୍ଭାବନା ଦେଖାଯାଉନି । ବର୍ତ୍ତମାନର ପାଣିପାଗ ଆକଳନ ଅନୁସାରେ ଶନିବାର ରାଜ୍ୟରେ ବଡ଼ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ରବିବାର (ଅଗଷ୍ଟ ୨) ଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪ରୁ ୬ ତାରିଖ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia