Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ୟୁଜିସି-ନେଟ୍ ପରୀକ୍ଷାରେ ସାମିଲ ହେଲା ପରିସଂଖ୍ୟାନ ଓ ବନବିଜ୍ଞାନ

ୟୁଜିସି-ନେଟ୍ ପରୀକ୍ଷାରେ ସାମିଲ ହେଲା ପରିସଂଖ୍ୟାନ ଓ ବନବିଜ୍ଞାନ

ନୂଆଦିଲ୍ଲୀ, ୩୦।୪ : ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷାର ବିଷୟ ତାଲିକାରେ 'ପରିସଂଖ୍ୟାନ' (Statistics) ଏବଂ 'ବନ ବିଜ୍ଞାନ' (Forestry) କୁ ନୂତନ ବିଷୟ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ଦୁଇଟି ବିଷୟରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁନ୍ ୨୦୨୬ ଅଧିବେଶନରୁ ପରୀକ୍ଷା ଦେଇପାରିବେ । ଏହି ବିଷୟଗୁଡ଼ିକର ବିସ୍ତୃତ ପାଠ୍ୟକ୍ରମ ୟୁଜିସି-ନେଟର ୱେବସାଇଟରେ ଉପଲବ୍ଧ ଅଛି ।

ବିଶେଷକରି ପରିସଂଖ୍ୟାନ ବିଷୟ ପାଇଁ ଏକ ସ୍ୱତନ୍ତ୍ର ନେଟ୍ ପରୀକ୍ଷାର ଆବଶ୍ୟକତା ଦୀର୍ଘ ଦିନରୁ ରହିଥିଲା, କାରଣ ପୂର୍ବରୁ ଛାତ୍ରଛାତ୍ରୀମାନେ ଗଣିତ ବିଜ୍ଞାନ ଅଧୀନରେ ପରୀକ୍ଷା ଦେବାକୁ ବାଧ୍ୟ ହେଉଥିଲେ, ଯେଉଁଠାରେ ସିଲାବସର ପ୍ରାୟ ୮୫% ଅଂଶ ପରିସଂଖ୍ୟାନ ବିଷୟ ବାହାରୁ ରହୁଥିଲା । ଏହି କାରଣରୁ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ଗବେଷଣା (ଜେଆରଏଫ) କ୍ଷେତ୍ରରେ ବଞ୍ଚିତ ହେଉଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଶିକ୍ଷାବିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରି ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ ।

ଏହି ଐତିହାସିକ ନିଷ୍ପତ୍ତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସମୟୋଚିତ ହସ୍ତକ୍ଷେପ ଏବଂ ମାର୍ଗଦର୍ଶନକୁ ବିଶ୍ୱବିଦ୍ୟାଳୟ ସମୁଦାୟ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପରିସଂଖ୍ୟାନକୁ ଏକ ସ୍ୱତନ୍ତ୍ର ଓ ଅପରିହାର୍ଯ୍ୟ ବିଷୟ ଭାବେ ସ୍ୱୀକୃତି ପ୍ରଦାନ କରିବା ଦ୍ୱାରା ଆଗାମୀ ଦିନରେ ଏହି କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ଓ ଗବେଷଣାର ନୂତନ ଦିଗ ଫିଟିବ । ଏହି ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ବଜାୟ ରଖିବା ସହ ପରିସଂଖ୍ୟାନ ବିଭାଗର ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରକୃତ ଯୋଗ୍ୟତା ଅନୁସାରେ ଜେଆରଏଫ ହାସଲ କରିବାରେ ସହାୟକ ହେବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia