ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ଏକ ଜଳବିଦ୍ୟୁତ ପ୍ରକଳ୍ପ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୯୩ ଜଣ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ । ରସୁୱା ଜିଲ୍ଲାସ୍ଥିତ 'ରସୁୱାଗଢ଼ି ଜଳବିଦ୍ୟୁତ ପ୍ରକଳ୍ପ'ର ସୁଡ଼ଙ୍ଗ ଭିତରେ ନେପାଳ ସେନା ଏବଂ ଉଦ୍ଧାରକାରୀ ଦଳ ଥର୍ମାଲ ଡ୍ରୋନ୍ (Thermal Drone) ସାହାଯ୍ୟରେ ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ ମଧ୍ୟ କୌଣସି ଜୀବିତ କିମ୍ବା ମୃତକଙ୍କ ସନ୍ଧାନ ମିଳିପାରିନାହିଁ।ସେପଟେ ସେଠାରେ ଥିବା ଅନ୍ୟାନ୍ୟ ଟନେଲରୁ ପ୍ରାୟ ୨୭୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପ୍ରବନ୍ଧନ ପ୍ରାଧିକରଣ ଅନୁଯାୟୀ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ନେପାଳରେ ଆସିଥିବା ଆକସ୍ମିକ ବନ୍ୟାରେ ଏବେ ସୁଦ୍ଧା ୯୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪,୫୦୦ରୁ ଅଧିକ ଲୋକଙ୍କ ସନ୍ଧାନ ମିଳିପାରି ନାହିଁ । ନିଖୋଜ ଲୋକମାନଙ୍କ ତଲାସୀ ଜାରି ରହିଛି।
ନେପାଳ ସେନା, ପୁଲିସ ଓ ଅନ୍ୟ ବାହିନୀର ୧୩ ହଜାରରୁ ଅଧିକ ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳରୁ ହେଲିକପ୍ଟର ସହାୟତାରେ ୫୭୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ଅଛନ୍ତି। ଏଥିସହ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ହେଲିକପ୍ଟରରୁ ଖାଦ୍ୟ ପ୍ୟାକେଟ, ଟେଣ୍ଟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଉଛି । ବିଭିନ୍ନ ସ୍ଥାନରୁ ପାଣି କାଦୁଅ ଭିତରୁ ମୃତଦେହ ବାହାରିବାରେ ଲାଗିଛି। ପାଣି କାଦୁଅ ଭିତରେ ସୁରକ୍ଷିତ ଥିବା ଜୀବନ ବଞ୍ଚାଇବାକୁ ପ୍ରୟାସ ଜାରି ରହିଛି।
