ଢାକା: ବାଂଲାଦେଶର ହାଇକୋର୍ଟ ଜେଲରେ ଥିବା ହିନ୍ଦୁ ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କୁ ଦୁଇଟି ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ତେବେ ଜାମିନ ମିଳିଥିଲେ ବି ସେ ବର୍ତ୍ତମାନ ଜେଲରୁ ମୁକୁଳି ପାରିବେ ନାହିଁ, କାରଣ ତାଙ୍କ ନାମରେ ଆହୁରି ୪ଟି ଗୁରୁତର ମାମଲା ବିଚାରାଧୀନ ରହିଛି। ହାଇକୋର୍ଟର ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ତାଙ୍କ ବିରୋଧରେ ଥିବା ହତ୍ୟା ଉଦ୍ୟମ, ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗର ଶୁଣାଣି କରି ଜାମିନ ପ୍ରଦାନ କରିଛନ୍ତି।ପୂର୍ବରୁ 'ଇସ୍କନ୍' (ISKCON) ସହ ଜଡ଼ିତ ଥିବା ଚିନ୍ମୟ ଦାସ ୨୦୨୪ରେ ଶେଖ ହସିନାଙ୍କ ସରକାର ପତ୍ତନ ପରେ ସେ ବାଂଲାଦେଶର ହିନ୍ଦୁ ଓ ଅନ୍ୟାନ୍ୟ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ଏବଂ ଅଧିକାର ପାଇଁ ଅନେକ ଶୋଭାଯାତ୍ରା ସଂଗଠିତ କରିଥିଲେ। ଦୀର୍ଘ ଦିନ ଧରି ଜେଲରେ ରହିବା ଏବଂ ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କ ଆଇନଜୀବୀମାନେ ବାରମ୍ବାର ଜାମିନ ଆବେଦନ କରିଆସୁଥିଲେ, ଯାହା ପୂର୍ବରୁ ଖାରଜ କିମ୍ବା ସ୍ଥଗିତ ହୋଇଯାଉଥିଲା। ଚିନ୍ମୟ ଦାସଙ୍କ ଗିରଫଦାରୀ ପରେ ଭାରତ ସରକାର ଗଭୀର ଚିନ୍ତା ପ୍ରକଟ କରିଥିଲେ ଏବଂ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ହିନ୍ଦୁ ଓ ସମସ୍ତ ସଂଖ୍ୟାଳଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବାକୁ ନିବେଦନ କରିଥିଲେ। ଅଗଷ୍ଟ ୨୦୨୪ରେ ଶେଖ ହସିନା ଭାରତରେ ଶରଣ ନେବା ପରଠାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି।
