Dailyhunt

ଭାଇ ବୋହୂ ଉପରେ ଥିଲା ଦେଢଶୁରର ଖରାପ ନଜର, ବାରମ୍ବାର କରୁଥିଲା ପ୍ରପୋଜ୍ : ନମାନିବାରୁ ଘଟାଇଲା ବର୍ବର କାଣ୍ଡ

NEWS7 1 week ago
 ବଲାଙ୍ଗୀର, ୦୬/୦୫: ସମ୍ପର୍କୀୟ ସାନ ଭାଇ କାମ କରିବାକୁ ଯାଇ ବାହାରେ ରହୁଥିଲା । ତିନି ପିଲାଙ୍କୁ ଧରି ଘରେ ଏକୁଟିଆ ରହୁଥିଲା ଭାଇବୋହୂ। ଏହି ସୁଯୋଗରେ ସମ୍ପର୍କୀୟ ଦେଡ଼ଶୁର ଭାଇବୋହୂକୁ ଅନେକବାର ପ୍ରେମ ନିବେଦନ କରିଥିଲା । ୧୯୬ ଥର ଫୋନ୍ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ମାତ୍ର ବିଫଳ ହେବାରୁ କ୍ରୋଧ ଜର୍ଜରିତ ଦେଡ଼ଶୁର ଭାଇ ବୋହୂକୁ ପଥରରେ ଛେଚି ହତ୍ୟା କରିଛି।
ଗତ ୨ ତାରିଖରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗାଈମୁଣ୍ଡ ପଞ୍ଚାୟତ ଚିତ୍ରାମୁଣ୍ଡା ଗ୍ରାମରେ ଘଟିଥିବା ଏକ ହତ୍ୟାକାଣ୍ଡର ପୁଲିସ ଫର୍ଦ୍ଦାଫାସ କରିଛି । ଅଭିଯୁକ୍ତ ଚିତ୍ରାମୁଣ୍ଡା ଗ୍ରାମର ଭଜ ସାହୁ (୫୩) । ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି। ପୁଲିସର ସୂଚନା ଅନୁଯାୟୀ, ଶନିବାର ସକାଳୁ ଚିତ୍ରାମୁଣ୍ଡା ଗ୍ରାମର ବିବାହିତ ମହିଳା ଜାନକୀ ସାହୁ ଓରଫ ରଞ୍ଜୁ(୪୦) ନିଜ କପା କିଆରୀକୁ ସଫା କରିବା ପାଇଁ ଯାଇଥିଲେ।

ସେହି ସମୟରେ ଭଜ ସାହୁ କପା କିଆରୀକୁ ଯାଇ ତାଙ୍କୁ ପ୍ରେମ ନିବେଦନ କରିଥିଲା। ରଞ୍ଜୁ ବିରୋଧ କରିବାରୁ ରାଗରେ ପଥରରେ ଛେଚି ହତ୍ୟା କରିଥିଲା । ହତ୍ୟା କରିବା ପରେ ମୃତଦେହକୁ ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲା। କୂଅ ଭିତରେ ମୃତଦେହର ଅଧା ଅଂଶକୁ ପୋତି ଫେରାର ମାରିଥିଲା।

ତେବେ ରଞ୍ଜୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତାଙ୍କ ବଡ଼ଝିଅ ମାମୁ ଘରକୁ ଖବର ଦେଇଥିଲେ। ରାତିରେ ମୃତ ମହିଳାଙ୍କ ବାପଘର ଲୋକେ ପହଞ୍ଚି ଗାଁ ଲୋକଙ୍କ ସହ ଖୋଜାଖୋଜି କରି ମୃତଦେହକୁ ଠାବ କରିଥିଲେ। ଏନେଇ ରଞ୍ଜୁଙ୍କ ଭାଇ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତରୁ ଜଣାପଡ଼ିଲା ଯେ ଭଜ ସାହୁ ରଞ୍ଜୁଙ୍କୁ ବିଭିନ୍ନ ସମୟରେ ପ୍ରାୟ ୧୯୬ ଥର ଫୋନ୍ କଲ କରିଛି। ଏହା ପୁଲିସକୁ ସନ୍ଦେହରେ ପକାଇଥିଲା । ପରେ ପୁଲିସ ଭଜ ସାହୁକୁ ଭବାନୀପାଟଣା ଅଞ୍ଚଳରୁ କାବୁ କରିଥିଲା। ତଦନ୍ତ ବେଳେ ଅଭିଯୁକ୍ତ ଭଜ ସାହୁ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା।

ମଙ୍ଗଳବାର ସକାଳୁ ପୁଲିସ ଅଭିଯୁକ୍ତକୁ ଧରି ହତ୍ୟାକାଣ୍ଡ ଘଟାଇଥିବା ସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଇଥିଲା। ଅଭିଯୁକ୍ତ ସେଠାରେ ହତ୍ୟାର ଡେମୋ ଦେଖାଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଓ ୨ଟି ମୋବାଇଲକୁ ପୁଲିସ ଜବତ କରିଛି। ସାମ୍ବାଦିକ ସମ୍ମିଳନୀରେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ମୁରିବାହାଲ ଥାନାଧୂକାରୀ ବୁଲୁ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7