Dailyhunt

ଭୁବନେଶ୍ବରରେ କର୍ଣ୍ଣାଟକ ସହରାଞ୍ଚଳ ପ୍ରତିନିଧି ଦଳ, ବିଏମସିର କାର୍ଯ୍ୟକଳାପକୁ କଲେ ପ୍ରଶଂସା

NEWS7 1 week ago
 ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସଶକ୍ତ ବର୍ଜ୍ୟ ପରିଚାଳନା ପଦ୍ଧତି ଖାସ୍ କରି ମଧ୍ୟମ ବର୍ଗର ଲୋକଙ୍କ ପାଇଁ ବର୍ଜ୍ୟ ପରିଚାଳନାର ବିକେନ୍ଦ୍ରୀକରଣ ପଦ୍ଧତି ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କେବଳ ସ୍ୱତନ୍ତ୍ର ସ୍ଥାନ ନୁହେଁ, ଭୁବନେଶ୍ୱରକୁ ବର୍ଜ୍ୟ ପରିଚାଳନାର ଏକ ଶିକ୍ଷା କେନ୍ଦ୍ର ଭାବେ ଦେଶର ଅନ୍ୟ ମହାନଗର ନିଗମଗୁଡ଼ିକ ବିବେଚନା କରୁଛନ୍ତି ।
ତେଣୁ ଦେଶର ବିଭିନ୍ନ ମହାନଗର ନିଗମରୁ ବର୍ଜ୍ୟ ପରିଚାଳନା ସଂପର୍କରେ ଶିକ୍ଷାଲାଭ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ବହୁ ରାଜ୍ୟର ଅଧିକାରୀ, କର୍ମଚାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଆସୁଛନ୍ତି । ମଙ୍ଗଳବାର କର୍ଣ୍ଣାଟକ ରାଜ୍ୟର ବିଭିନ୍ନ ସ୍ୱାୟତ୍ତ ଶାସନ ସଂସ୍ଥାର ୧୬ ଜଣିଆ ପ୍ରତିନିଧି ଦଳ, ଭୁବନେଶ୍ୱର ମହାନଗର ନିଗମର ଏମଆରଏଫ୍, ଏମ୍ ସି ସି ଇତ୍ୟାଦି ଦେଖିବା ସହ ଓଦା ଓ ସୁଖିଲା ବର୍ଜ୍ୟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ସଂପର୍କରେ ଜ୍ଞାନ ଆହରଣ କରିଛନ୍ତି । ବ୍ୟବସାୟିକ ଅଂଚଳରୁ କିପରି ବର୍ଜ୍ୟ ସଂଗ୍ରହ ହେଉଛି ତାହା ମଧ୍ୟ ବୁଲି ଦେଖିଥିଲେ । ପ୍ରତ୍ୟେକଙ୍କ ଘରୁ କିପରି ବର୍ଜ୍ୟ ସଂଗ୍ରହ ହେଉଛି, ବର୍ଜ୍ୟ ପୃଥକୀକରଣ ଓ ପ୍ରକ୍ରିୟାକରଣ ଦେଖିବା ସହ ବର୍ଜ୍ୟକୁ କିପରି ସଂପଦରେ ରୂପାନ୍ତର କରାଯାଉଛି ତାହା ମଧ୍ୟ ପଚାରି ବୁଝିଥିଲେ ।

କଠିନ ବର୍ଜ୍ୟ ପରିଳନା ସଂପର୍କରେ ତଥ୍ୟ ସଂଗ୍ରହ କରିବା ସହ କାର୍ଯ୍ୟଶୈଳୀ ବୁଲି ଦେଖିଥିଲେ । ପଳାଶୁଣିଠାରେ ଥିବା ୧୫୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଠ ବିଶାଳ ଏମ୍ ଆର୍ ଏଫ୍ ବୁଲି ଦେଖିବା ସହ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ବିଏମ୍ ସିର ଅଭିଯୋଗ ତଥା ସମସ୍ୟାର ସମାଧାନ କିପରି ହେଉଛି ସେ ସଂପର୍କରେ ପଚାରି ବୁଝିବା ସହ ଭୁବନେଶ୍ୱର ସଫା ଆପ୍ ଏବଂ କମାଣ୍ଡ କଣ୍ଟ୍ରୋଲ ରୁମ୍ ଦେଖି ସ୍ତମ୍ଭିଭୂତ ହୋଇପଡିଥିଲେ । ଏହି ପ୍ରତିନିଧିମାନେ କର୍ଣ୍ଣାଟକ ରାଜ୍ୟର ଚିକ୍କାବଲାପୁର ସି ଏମ୍ ସି, ଚିନ୍ତାମଣି ସି.ଏମ୍ ସି, ସିଦଲାଘାଟା ସି.ଏମ୍ ସି, ଗୌରୀ ବିନ୍ଦାନର ସି.ଏମ୍ ସି, ଡିଷ୍ଟ୍ରିକ୍ଟ ଅର୍ବାନ ଡେଭଲପମେଣ୍ଟ ସେଲ୍, ଚିକ୍କାବାଲପୁର ସି.ଏମ୍ ସି, ଟାଉନ ପଞ୍ଚାୟତ ଗୁଡିବାନ୍ଦେ ସି.ଏମ୍ ସିରୁ ୧୬ ଜଣିଆ ପ୍ରତିନିଧି ବିଏମ୍ ସିର କାର୍ଯ୍ୟ ପ୍ରଣାଳୀ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।

ଏହି ପ୍ରତିନିଧି ଦଳ ମୁଖ୍ୟାଳୟରେ ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରେ ଅତିରିକ୍ତ କମିଶନର ସେମାନଙ୍କୁ ବିଏମ୍ ସିର କଫିଟେବଲ ପୁସ୍ତକ ଉପହାର ପ୍ରଦାନ କରିଥିଲେ । ଏହି ଅବସରରେ ସେମାନେ ଓଡ଼ିଶା ଅର୍ବାନ ଏକାଡେମୀଠାରେ ସେମାନଙ୍କୁ ମଧ୍ୟ ତାଲିମ ନେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଅତିରିକ୍ତ ଶାସନ ସଚିବ ଶୁଭେନ୍ଦୁ କୁମାର ସାହୁ ସେମାନଙ୍କୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ବିଏମ୍ ସିର ପରିମଳ ଡେପୁଟି କମିଶନର ଏନ୍. ଗଣେଶ ବାବୁ ଏହି ପ୍ରତିନିଧି ଦଳଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ଦେଖାଇବା ସହ ବିଏମ୍ ସିର ବର୍ଜ୍ୟ ପରିଚାଳନା ସଂପର୍କରେ ଅବଗତ କରାଇଥିଲେ । ଓଡିଶା ଅର୍ବାନ ଏକାଡେମୀର ସେକ୍ରେଟାରୀ ନିହାରିକା ମୁଦୁଲି, କନସଲଟାଣ୍ଟ ଡକ୍ଟର ସୁଶାଇ କେପିନ୍, ଓ୍ୱାଟକୋ ଇଂଜିନିୟର ଅଚ୍ୟୁତ୍ ବିଜୟାନନନ୍ଦ, ଓୟୁଏର ପରିଚାଳକ ନରେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7