ନୂଆଦିଲ୍ଲୀ ୦୪।୦୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ପୁଣି ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି । ସେଠାକାର ସଶସ୍ତ୍ର ବିଚ୍ଛିନ୍ନତାବାଦୀ ସଂଗଠନ 'ବଲୁଚିସ୍ତାନ ଲିବରେସନ ଆର୍ମି' (BLA) ଗ୍ୱାଦରଠାରେ ପାକିସ୍ତାନୀ ସୁରକ୍ଷା ବଳକୁ ଟାର୍ଗେଟ୍ କରି ଏହି ଆତ୍ମଘାତୀ ଆକ୍ରମଣ କରିଛି । ଜିୱାନୀ ସ୍ଥିତ ପନୱାନ କୋଷ୍ଟ ଗାର୍ଡ ବେସ୍ କ୍ୟାମ୍ପ ଉପରେ ହୋଇଥିବା ଏହି ଆକ୍ରମଣରେ ୩୦ରୁ ଅଧିକ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବା ବେଳେ ବହୁ ସଂଖ୍ୟାରେ ଯବାନ ଗୁରୁତର ଆହତ ହୋଇଥିବା ଦାବି କରାଯାଇଛି ।କେବଳ ସେତିକି ନୁହେଁ, ଧମାକା ପରେ ପରେ ସଂଗଠନର ଆଗଧାଡ଼ିର ସଶସ୍ତ୍ର ୟୁନିଟ୍ 'ଫତେହ ସ୍କ୍ୱାଡ୍' ଚାରିପଟୁ ସେନା କ୍ୟାମ୍ପକୁ ଘେରି ଯାଇ ଆକ୍ରମଣ କରିଥିଲେ । BLA ର ସୂଚନା ମୁତାବକ, ଘଟଣାସ୍ଥଳରେ ୩୦ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇସାରିଛି । ଅନେକ ଯବାନ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାରୁ ଏବଂ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ଏହି ଆକ୍ରମଣର ସତ୍ୟତା ପ୍ରମାଣିତ କରିବା ପାଇଁ BLAର ମିଡିଆ ୱିଙ୍ଗ 'ହକ୍କାଲ' ପକ୍ଷରୁ ଏକ ଭିଡିଓ କ୍ଲିପ୍ ଜାରି କରାଯାଇଛି ।
ଭିଡିଓରେ ବିସ୍ଫୋରକ ବୋଝେଇ ଟ୍ରକଟି କ୍ୟାମ୍ପ ମଧ୍ୟକୁ ପ୍ରବେଶ କରୁଥିବା ଏବଂ ପରେ ଏକ ପ୍ରକମ୍ପିତ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ କ୍ୟାମ୍ପର ବଡ଼ ଅଂଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି । ସୂଚନାଯୋଗ୍ୟ ଯେ, ବେଲୁଚିସ୍ତାନର ସମ୍ପତ୍ତି ଓ ପ୍ରାକୃତିକ ସମ୍ପଦକୁ ପାକିସ୍ତାନ ସରକାର ଶୋଷଣ କରୁଥିବା ଅଭିଯୋଗ କରି BLA ଦୀର୍ଘ ଦିନ ହେବ ସେଠାରେ ସେନା ଓ ସରକାରୀ ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ୍ କରିଆସୁଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଖୁବଶୀଘ୍ର ଏହି ସମ୍ପୂର୍ଣ୍ଣ ଅପରେସନର ବିସ୍ତୃତ ସୂଚନା ଜାରି କରାଯିବ ।
