ନୂଆଦିଲ୍ଲୀ: ସରକାରଙ୍କ ବିଭିନ୍ନ ଉପାୟ ଯୋଗୁ ସୋମବାର ମିଲରେ ଚିନି କେଜି ପିଛା ଦର ପାଖାପାଖି ୩୦% ହ୍ରାସ ହୋଇଛି। ଫଳରେ ମିଲ୍ ରେ ଚିନି ପ୍ରତି କେଜି ଦର ଏବେ ୪୭ ଟଙ୍କା ହୋଇଯାଇଛି। ଅଗଷ୍ଟ ୧୮ ତାରିଖରେ ମିଲ୍ ରେ ଚିନି କେଜି ପିଛା ଦର ୬୭ ଟଙ୍କାର ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା। ତେବେ ଉଦ୍ୟୋଗ ସୂତ୍ର ଅନୁସାରେ ଚିନି ମୂଲ୍ୟ ହ୍ରାସର ପ୍ରଭାବ ଏବେ ଖାଉଟି ବଜାରରେ ଅନୁଭୂତ ହେବନି।ସାଧାରଣତଃ ଜଣେ ଖୁଚୁରା ବିକ୍ରେତାଙ୍କ ନିକଟରେ ୧୦-୧୫ ବ୍ୟାଗ୍ ଚିନି ଷ୍ଟକ୍ ଥାଏ। ଯେଉଁ ପର୍ଯ୍ୟନ୍ତ ସେ ନୂଆ ଷ୍ଟକ୍ ନ କିଣିଛନ୍ତି ପୁରୁଣା କ୍ରୟ ଦରରେ ନିଜ ଲାଭ ରଖି ବିକ୍ରି କରିବେ। ଚିନି ଉଦ୍ୟୋଗ ସୂତ୍ର ଅନୁସାରେ ଖୁଚୁରା ବଜାରରେ ଚିନି ଦର କମିବାକୁ ଆହୁରି ୧୦ ଦିନ ସମୟ ଲାଗିପାରେ। ଚିନିର ମିଲ୍ ଦର ହ୍ରାସ ସରକାରଙ୍କ ସେହି ନିଷ୍ପତ୍ତି ପରେ ଆସିଛି ଯେଉଁଥିରେ ରପ୍ତାନୀ ଲାଗି ରିଫାଇନ କରାଯାଇଥିବା ଚିନିକୁ ଘରୋଇ ବଜାରରେ ବିକ୍ରି ଲାଗି ଅନୁମତି ଦିଆଯାଇଛି।
ଏକ ଅନୁମାନ ଅନୁସାରେ ଆଗାମୀ ୨ ମାସରେ ପାଖାପାଖି ୩ରୁ ୩.୫ଲକ୍ଷ ଟନ ରିଫାଇନ ଚିନି ଘରୋଇ ବଜାରକୁ ଆସିବ। ଏହା ଛଡା ବିପୁଳ ପରିମାଣରେ ଚିନି ଉପଯୋଗ କରୁଥିବା (ପାଇକାରୀ ଉପଭୋକ୍ତା) ଯେଉଁମାନେ ୧୫ ଦିନରୁ ଅଧିକ ସମୟପାଇଁ ଚିନି ଷ୍ଟକ୍ ରଖିଥିଲେ ସେମାନେ ସରକାରଙ୍କ ନୂଆ ନିୟମ ପାଳନ କରି ସେମାନଙ୍କ ଷ୍ଟକ୍ କମାଇ ଦେଇଛନ୍ତି। ସେପ୍ଟେମ୍ବର ୧ ତାରିଖରୁ ମାସିକ ୧୦ ଟନରୁ ଅଧିକ ଉପଯୋଗ କରୁଥିବା ପାଇକାରୀ ଉପଭୋକ୍ତାଙ୍କୁ ଲଗାତାର ୧୫ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ଚିନି ଷ୍ଟକ୍ ରଖିବାକୁ ଅନୁମତି ମିଳିବ ନାହିଁ। ମିଲ୍ ଦ୍ୱାରା ପାଇକାରୀ ଉପଭୋକ୍ତାଙ୍କୁ ବିକ୍ରି କରାଯାଉଥିବା ମାସିକ ମାତ୍ରା ସିଧା ହେଉ ଅଥବା ଡିଲରଙ୍କ ମାଧ୍ୟମରେ ଏବେ ଯାଞ୍ଚ ହେବ।
ଚିନି ଉଦ୍ୟୋଗ ସୂତ୍ର ଅନୁସାରେ ଏକ୍ସ ମିଲ୍ ଓ ପାଇକାରୀ ମୂଲ୍ୟରେ ପ୍ରତି କେଜି ୨ରୁ ୩ଟଙ୍କା ଅନ୍ତର ଥାଏ। ସେହିପରି ମିଲ ଓ ଖୁଚୁରା ମୂଲ୍ୟରେ କେଜି ପିଛା ୭-୮ ଟଙ୍କା ଅନ୍ତର ରହିବା ସାଧାରଣ କଥା। ଦେଶରେ ଉପୁଜିଥିବା ପରିସ୍ଥିତିରେ ଆମଦାନୀ ଛଡା ପାଇକାରୀ ଗ୍ରାହକ ଓ ଡିଲରଙ୍କ ଲାଗି ଷ୍ଟକ୍ ରଖିବା ନିୟମକୁ କଡ଼ାକଡ଼ି କରାଯାଇଛି। ଏହା ଛଡା ସରକାର ପ୍ରଥମରୁ ଚିନି ରପ୍ତାନୀ ଉପରେ ରୋକ ଲଗାଇ ଦେଇଛନ୍ତି। ବଜାରରେ ଚିନି ଦର ବଢିବା ପାଇଁ ସରକାର ଏବେ ମିଲ ମାନଙ୍କୁ ଦାୟୀ କରୁଛନ୍ତି। କହିଛନ୍ତି ଦେଶରେ ଚିନିର ପର୍ଯ୍ୟାପ୍ତ ଷ୍ଟକ୍ ଅଛି।
