ଭୁବନେଶ୍ୱର ୨୫।୧୦: ପାଣିପାଗ ବିଭାଗର ଆକଳନ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ୨୮ ତାରିଖରେ ସ୍ଥଳଭାଗ ଛୁଇଁବ । ତେବେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ହୋଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର ସମେତ ସମସ୍ତ ବ୍ଲକ, ତହସିଲ ଓ ପୌରାଞ୍ଚଳରେ ୨୪/୭ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି ।
ଟୋଲ୍-ଫ୍ରି ନମ୍ବର, ସମେତ ଜିଲ୍ଲାଗୁଡ଼ିକର ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜନସାଧାରଣଙ୍କ ପାଇଁ ଉପଲବ୍ଧ ଅଛି । କଚ୍ଚାଘର, ଝୁମ୍ପଡ଼ି ଓ ନିମ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିରାପଦ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ଯେଉଁ ମାଆମାନଙ୍କର ପ୍ରସବ ସମୟ ନିକଟବର୍ତ୍ତୀ ଅଛି, ସେମାନଙ୍କୁ ଚିହ୍ନଟ କରି ପୂର୍ବରୁ ନିକଟସ୍ଥ ଡାକ୍ତରଖାନା, CHC, PHC କୁ ଅଣାଯାଉଛି । ଏହାଛଡ଼ା ବୃଦ୍ଧ, ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ସର୍ବାଧିକ ସତର୍କ କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ଗୁଡ଼ିକୁ ବ୍ୟାପକ ଭାବେ ମୁତୟନ କରାଯାଇଛି । ଏହି ୫ଟି ଜିଲ୍ଲାରେ ମୋଟ୍ ୨୪ଟି ଓଡ୍ରାଫ୍ ଟିମ୍ ଏବଂ ୬ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି । ଗଞ୍ଜାମ ଜିଲ୍ଲା ସର୍ବାଧିକ ପ୍ରଭାବ ଆଶଙ୍କା ଥିବା ଏହି ଜିଲ୍ଲାରେ ୯ଟି ଓଡ୍ରାଫ୍ ଏବଂ ୨ଟି ଏନଡିଆରଏଫ୍ ଟିମ୍ ସମେତ ମୋଟ୍ ୧୧ଟି ଟିମ୍ ମୁତୟନ ହୋଇଛନ୍ତି ।
ଗଜପତି ଜିଲ୍ଲାରେ ୬ଟି ଓଡ୍ରାଫ୍ ଏବଂ ୧ଟି ଏନଡିଆରଏଫ୍ ଟିମ୍ ମୋଟ ୭ଟି ଟିମ୍ ପ୍ରସ୍ତୁତ ରହିଛନ୍ତି । ରାୟଗଡ଼ା ଜିଲ୍ଲା ପାଇଁ ୩ଟି ଓଡ୍ରାଫ୍ ଏବଂ ଗୋଟିଏ ଏନଡିଆରଏଫ୍ ଟିମ୍ ମୋଟ୍ ୪ଟି ଟିମ୍ ନିୟୋଜିତ କରାଯାଇଛି । କୋରାପୁଟ ଜିଲ୍ଲାରେ ମଧ୍ୟ ୩ଟି ଓଡ୍ରାଫ୍ ଏବଂ ଗୋଟିଏ ଏନଡିଆରଏଫ୍ ଟିମ୍ ମୋଟ୍ ୪ଟି ଟିମ୍ ମୁତୟନ ଅଛନ୍ତି । ମାଲକାନଗିରି ଜିଲ୍ଲାରେ ୩ଟି ଓଡ୍ରାଫ୍ ଏବଂ ଗୋଟିଏ ଏନଡିଆରଏଫ୍ ଟିମ୍ ମୋଟ୍ ୪ଟି ଟିମ୍ ଜରୁରୀକାଳୀନ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।
ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । - ବାତ୍ୟାର ଗତିପଥ ନେଇ ବଡ଼ ସୂଚନା, ଓଡ଼ିଶା ପାଇଁ କ’ଣ ରହିଛି IMD DGଙ୍କ ଆକଳନ ସମୁଦ୍ରରେ ମାଛଧରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ସେହିପରି ଦକ୍ଷିଣ ଓଡ଼ିଶାର ଏହି ୫ ଜିଲ୍ଲାରେ ପାହାଡ଼, ଜଳପ୍ରପାତ, ଡ୍ୟାମ୍ ଓ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି । ସେହିଭଳି ୮୦-୮୫% ପାଚିଯାଇଥିବା ଧାନ, ମକା, ମାଣ୍ଡିଆ ଓ ଅନ୍ୟାନ୍ୟ ଫସଲକୁ ତୁରନ୍ତ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ କୃଷି ବିଭାଗ ପକ୍ଷରୁ କୃଷକ ମାନଙ୍କୁ ପରାମର୍ଶ ଦିଆଯାଇଛି ।
କୃଷି ବିଭାଗର ହେଲ୍ପଲାଇନ୍ ନମ୍ବର ଉପଲବ୍ଧି କରାଯାଇଛି । ଅମଳ ସମୟ ପାଖେଇ ଆସୁଥିବାରୁ, ଚାଷୀ ମାନଙ୍କୁ ଆଗୁଆ ସତର୍କ କରି ଫସଲ କାଟି ସୁରକ୍ଷିତ କରି ରଖିବା ପାଇଁ କୁହାଯାଇଛି । ପାନୀୟ ଜଳର ବିଶୋଧନ, ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ ସାପ କାମୁଡ଼ା ଇଞ୍ଜେକ୍ସନ, କ୍ଲୋରିନ୍ ବଟିକା ଏବଂ ବିଦ୍ୟୁତ୍/ଯୋଗାଯୋଗ ବ୍ୟବସ୍ଥା ତ୍ୱରିତ ପୁନରୁଦ୍ଧାର ପାଇଁ ଅତିରିକ୍ତ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି । ବିପର୍ଯ୍ୟୟ ସମୟରେ ପ୍ରାଣୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମୋବାଇଲ୍ ଟିମ୍ ଜରିଆରେ ଜରୁରୀ ଚିକିତ୍ସା ଯୋଗାଇ ଦିଆଯିବ ଓ ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ମାନଙ୍କ ପାଇଁ ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯିବ ।
ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ କରାଯାଇଛି। ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବ ପ୍ରତି କାନ ନ ଦେଇ ପ୍ରଶାସନର ମାର୍ଗଦର୍ଶନ ଓ ନିର୍ଦ୍ଦେଶକୁ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି । ସମ୍ପୃକ୍ତ ନୋଡାଲ ଅଧିକାରୀ ମାନଙ୍କୁ ବନ୍ୟା ଅଞ୍ଚଳର ଦାୟିତ୍ଵ ନ୍ୟସ୍ତ କରାଯାଇଛି ଓ ଏକ WhatsApp ଗ୍ରୁପ୍ କରି ସେଥିରେ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସଂଶ୍ଳିଷ୍ଟ କରାଯାଇଛି ।

