କୋଲକାତା, ୦୨। ୦୮ : ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଶୁକ୍ରବାର ଝାଡ଼ଖଣ୍ଡର ସାହିବଗଞ୍ଜରୁ ଜଣେ କଲେଜ ଛାତ୍ରୀଙ୍କୁ ଗିରଫ କରିଛି। ସେ ହେଲେ ଅର୍ପିତା ସରକାର (୨୧)। ଅର୍ପିତା ସନ୍ଦିଗ୍ଧ ଜୈସ୍ ଆତଙ୍କୀ ମହମ୍ମଦ ହମିମ ମଣ୍ଡଳର ଗାର୍ଲଫ୍ରେଣ୍ଡ୍ ବୋଲି ଏସ୍ଟିଏଫ୍ ଦାବି କରିଛି। ଉଭୟ ହ୍ବାଟସଆପ୍ ଜରିଆରେ ନିୟମିତ ଯୋଗାଯୋଗରେ ଥିଲେ।ଟଳିଲା ବିପଦ, ଖସୁଛି ସବୁ ନଦୀର ଜଳସ୍ତର ଏସଟିଏଫ୍ ଅନୁସାରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ଆକ୍ରମଣ ଲାଗି ଯୋଜନା କରିଥିବା ହମିମକୁ ଗୁରୁବାର ଗିରଫ କରାଯାଇଥିଲା। ତାକୁ ଜେରା, ଡିଜିଗଲ ସାକ୍ଷ୍ୟର ଯାଞ୍ଚ ସମୟରେ ଅର୍ପିତାଙ୍କ ନାମ ସାମ୍ନାକୁ ଆସିଥିଲା। ପ୍ରଭାବଶାଳୀ ରାଜନେତାଙ୍କୁ ହନିଟ୍ରାପରେ ଫସାଇ ସେମାନଙ୍କ ଜରିଆରେ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ, ସୋସିଆଲ ମିଡିଆରେ ନୂଆ ଲୋକଙ୍କୁ ଯୋଡ଼ିବା ଭଳି କାମ ଲାଗି ହମିମ ଅର୍ପିତାଙ୍କୁ ବ୍ୟବହାର କରୁଥିଲା। ଅର୍ପିତା ଦୀର୍ଘ ୪ ବର୍ଷ ହେଲା ଏହି ମୋଡ୍ୟୁଲ ସହ ଜଡ଼ିତ ଥିବାବେଳେ ଜଣେ ମନ୍ତ୍ରୀଙ୍କ ପୁଅକୁ ଫସାଇବାରେ ବି ସଫଳ ହୋଇଥିଲେ।
ଏଭଳିସ୍ଥଳରେ ଏହି ହନିଟ୍ରାପ ଅପରେସନକୁ ଆତଙ୍କୀ ଆକ୍ରମଣ ଲାଗି ବ୍ୟବହାର କରାଯାଇଥିଲା କି ନାହିଁ, ଏହି ନେଟଓ୍ୱାର୍କର ପାକିସ୍ତାନସ୍ଥିତ ହ୍ୟାଣ୍ଡଲର ଏବଂ ଅନ୍ୟ ସନ୍ଦିଗ୍ଧ ସଂଗଠନ ସହ ସଂପର୍କ ନେଇ ଯଞ୍ଚ ଚାଲିଛି। ଏସଟିଏଫ୍ ଆହୁରି କହିଛି ଯେ, ହମିମ-ଅର୍ପିତା ନୂଆଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ଆତଙ୍କୀ ଆକ୍ରମଣ ଲାଗି ଯୋଜନା କରିଥିଲେ । ପରିଚୟ ଗୋପନ ରଖିବାକୁ ସେମାନେ ପୁଲିସ ୟୁନିଫର୍ମ ଯୋଗାଡ଼ କରିଥିଲେ। ତେବେ ଛାତ୍ର ଆନ୍ଦୋଳନ ସମୟରେ ସେମାନେ ଜନ୍ତରମନ୍ତର ଯାଇଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ନେଟୱର୍କର ଅନ୍ୟ ସଦସ୍ୟ ଏବଂ ସେମାନଙ୍କ ଗତିବିଧି ସଂପର୍କରେ ଜାଣିବା ଲାଗି ଅର୍ପିତା ଏବଂ ହମିମଙ୍କୁ ସାମ୍ନାସାମ୍ନି ଜେରା କରାଯିବ।
