Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Employment: ୫୦୦ରୁ ଅଧିକ ଚାକିରି ଆବେଦନ ପରେ ବି ନିରାଶ, ରାପିଡୋ ଚଳାଇ ପେଟ ପୋଷୁଛନ୍ତି ଇଞ୍ଜିନିୟର

NEWS7 2 weeks ago
 ନୂଆଦିଲ୍ଲୀ: ବେକାରୀ ସମସ୍ୟାର ଏକ କରୁଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟ୍ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ୫୦୦ରୁ ଅଧିକ ଜାଗାରେ ଚାକିରି ପାଇଁ ଆବେଦନ କରି ବିଫଳ ହୋଇଛନ୍ତି । ଆଉ ଶେଷରେ ପେଟ ପୋଷିବା ପାଇଁ 'ରାପିଡୋ' (Rapido) ବାଇକ୍ ରାଇଡର୍ ଭାବେ କାମ କରୁଛନ୍ତି।
ଏହି ଘଟଣାଟି ସୋସିଆଲ ମିଡିଆ ପ୍ଲାଟଫର୍ମ 'X' (ପୂର୍ବରୁ ଟ୍ୱିଟର) ରେ ନୀରଜ ନାମକ ଜଣେ ବ୍ୟକ୍ତି ସେୟାର କରିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ନୀରଜ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଗତ ସପ୍ତାହରେ ସେ ଏକ ରାପିଡୋ ବାଇକ୍ ବୁକ୍ କରିଥିଲେ। ଯାତ୍ରା ସମୟରେ ରାଇଡରଙ୍କ ହେଲମେଟରେ ଏକ ଜଣାଶୁଣା କଲେଜର ଷ୍ଟିକର ଦେଖି ସେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଟ୍ରାଫିକ୍ରେ ଅଟକି ରହିବା ସମୟରେ ପ୍ରାୟ ୧୦ ମିନିଟର ଆଳାପ ଭିତରୁ ଯେଉଁ ସତ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି ।

ସେହି ଯୁବକ ଜଣକ ଚଳିତ ବର୍ଷ ହିଁ କମ୍ପ୍ୟୁଟର ସାଇନ୍ସରେ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ପାଠପଢ଼ା ସରିବା ପରେ ସେ ପ୍ରାୟ ୫୦୦ରୁ ଅଧିକ କମ୍ପାନୀରେ ଚାକିରି ପାଇଁ ଆବେଦନ କରିସାରିଛନ୍ତି। କିନ୍ତୁ ତାଙ୍କୁ ଇଣ୍ଟରଭ୍ୟୁ ପାଇଁ ଡାକରା ଆସିନାହିଁ। ଚାକିରି ଖୋଜୁ ଖୋଜୁ ଜମା ପୁଞ୍ଜି ବା ସେଭିଂସ ସରିଯିବା ପରେ, ସେ ଆଉ ଘରୁ ପଇସା ନମାଗି ନିଜ ଖର୍ଚ୍ଚ ତୁଲାଇବା ପାଇଁ ସକାଳ ୬ଟାରୁ ରାପିଡୋ ଚଲାଉଛନ୍ତି।

ଯୁବକ ଜଣକ ନିଜ ପରିବାରକୁ ଏହି ବିଷୟରେ କିଛି ଜଣାଇ ନାହାନ୍ତି। ତାଙ୍କ ବାପା-ମାଆ ଭାବୁଛନ୍ତି ଯେ ପୁଅ ଘରେ ରହି ଆଇଟି (IT) ଚାକିରିର ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛି। ପରିବାର ଲୋକେ ଚିନ୍ତା କରିବେ ଏବଂ କଥାଟା ଅଧିକ ବଢ଼ିଯିବ ବୋଲି ସେ ଘରେ ସତ କହିନାହାନ୍ତି। ନୀରଜଙ୍କ କହିବା ଅନୁସାରେ, ଏତେ ବଡ଼ ସଂଘର୍ଷ ସତ୍ତ୍ୱେ ଯୁବକ ଜଣକ କୌଣସି ନିରାଶା ପ୍ରକାଶ କରିନଥିଲେ କି ଭାଗ୍ୟକୁ ଦୋଷ ଦେଇନଥିଲେ।

ସେ ବହୁତ ସ୍ୱାଭାବିକ ଭାବେ କହିଥିଲେ, ଆଜିକାଲି ମାର୍କେଟର ସ୍ଥିତି ହିଁ ଏମିତି ଚାଲିଛି ଏବଂ ଏତିକି କହି ସେ ପୁଣି ନିଜ କାମରେ ଆଗେଇ ଯାଇଥିଲେ। ଏହି ପୋଷ୍ଟଟି ଭାଇରାଲ ହେବା ପରେ ବହୁ ସଂଖ୍ୟାରେ ଯୁବପିଢ଼ି ନିଜର ପ୍ରତିକ୍ରିୟା ରଖିଛନ୍ତି। ଅନେକ ଇଞ୍ଜିନିୟରିଂ ଏବଂ ଆଇଟି ଗ୍ରାଜୁଏଟ୍ସ କହିଛନ୍ତି ଯେ, ବର୍ତ୍ତମାନ ଚାକିରି ମିଳିବା କଷ୍ଟକର ହୋଇପଡ଼ିଛି । ବଡ଼ ବଡ଼ କମ୍ପାନୀଗୁଡ଼ିକ ଖର୍ଚ୍ଚ କାଟ୍ କରୁଛନ୍ତି ଏବଂ ନୂଆ ପିଲା ବା ଫ୍ରେସର୍ସମାନଙ୍କୁ ଚାକିରି ମିଳିପାରୁନି । ପେଟ ପୋଷିବା ପାଇଁ ଅନେକ ଉଚ୍ଚଶିକ୍ଷିତ ଯୁବକ ଏବେ ଏଭଳି ପାର୍ଟ-ଟାଇମ୍ କାମ କରିବାକୁ ବାଧ୍ୟ ହେଉଛନ୍ତି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7