ନୂଆଦିଲ୍ଲୀ: ‘ଚାଏୱାଲାଜ୍’ (Chaiwalaz) ଷ୍ଟାର୍ଟଅପ୍ର ସଂସ୍ଥାପକ ରୋହିତ ଶର୍ମା ରାଜସ୍ଥାନର ଦୌସାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ନେଇ ରବିବାର ପୋଲିସ ସୂଚନା ଦେଇଛି। ଦୌସାର ସାକେତ କଲୋନୀର ବାସିନ୍ଦା ୩୦ ବର୍ଷୀୟ ରୋହିତଙ୍କ ମୃତଦେହ ଶନିବାର ଅପରାହ୍ନରେ ତାଙ୍କ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। କୋଟୱାଲୀ ପୋଲିସ ଷ୍ଟେସନ ଅଧିକାରୀଙ୍କ କହିବା ଅନୁଯାୟୀ, ପରିବାର ଲୋକେ ଘରର କବାଟ ଭାଙ୍ଗି ତାଙ୍କୁ ତଳକୁ ଓହ୍ଲାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ତାଙ୍କର ଏକ ୭ ବର୍ଷର ପୁଅ ମଧ୍ୟ ଅଛି। ରୋହିତ ନର୍ସିଂ ପଢ଼ୁଥିବା ସମୟରେ ମାତ୍ର ୧୭ ବର୍ଷ ବୟସରେ ଜୟପୁରରୁ ‘ଚାଏୱାଲାଜ୍’ ନାମକ ଚା' ବ୍ୟବସାୟ/ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ଜୟପୁରର ମାନସରୋବରସ୍ଥିତ ଶିପ୍ରା ପାଥରେ ସେ ପ୍ରଥମ ଚା' କାଫେ ଖୋଲିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ସହରରେ ସେ 'Chaiwalaz' ର ୭ଟି ଆଉଟ୍ଲେଟ୍ ସ୍ଥାପନ କରି ନିଜ ବ୍ୟବସାୟକୁ ବଢ଼ାଇଥିଲେ।
ବ୍ୟବସାୟ ବ୍ୟତୀତ ସେ ଦୌସାରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ଜଡ଼ିତ ଥିଲେ। ପ୍ରାୟ ୬ ମାସ ପୂର୍ବରୁ ରୋହିତ ନିଜର ସମସ୍ତ 'Chaiwalaz' ଆଉଟ୍ଲେଟ୍ ବନ୍ଦ କରିଦେଇଥିଲେ। ସେ ବ୍ୟବସାୟ ଛାଡ଼ି ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇଥିଲେ ଏବଂ ନିକଟ ଅତୀତରେ ବିଭିନ୍ନ ଧାର୍ମିକ ଓ ତୀର୍ଥ ସ୍ଥଳ ପରିଦର୍ଶନ କରୁଥିବାର ଦେଖାଯାଇଥିଲା।
