ପୁଣେ : ପୁଣେର ଲୋହାଗଡ଼ କିଲ୍ଲାରୁ ପଡ଼ି ପ୍ରାଣ ହରାଇଥିବା କେତନ ଅଗ୍ରୱାଲ ମାମଲାରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅର୍ଥାତ ଗୋଟିଏ ଦୁଃଖ ପରେ ଦଇବ ତାଙ୍କୁ ଆଉ ଗୋଟିଏ ବଡ ଦୁଃଖ ଦେଇଛି । ଯାହା ଅଗ୍ରଓ୍ୱାଲ ଫ୍ୟାମିଲିର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଗଣାମଧ୍ୟମ ରିପୋର୍ଟ ଅନୁସାରେ, କେତନଙ୍କ ଜେଜେବାପା ଆଉ ନାହାଁନ୍ତି ।ଶନିବାର ରାତିରେ ୭୧ ବର୍ଷୀୟ ଦେବୀଚନ୍ଦ ଅଗ୍ରୱାଲଙ୍କର ଛାତି ରେ ହଠାତ ଯନ୍ତ୍ରଣା ହୋଇଥିଲା । ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ହୃଦ୍ଘାତରେ ଦେହାନ୍ତ ହୋଇଥିଲା । ପରିବାରର କହିବା ଅନୁସାରେ, ଗତ ୧୮ ଜୁନରେ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରଠାରୁ ଦେବୀଚନ୍ଦ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇପଡ଼ିଥିଲା । ପରିବାର ଲୋକଙ୍କ ମତରେ, କେତନଙ୍କ ମୃତ୍ୟୁ ଖବର ଶୁଣି ତାଙ୍କୁ ଶକ୍ତ ଝଟକା ଲାଗିଥିଲା ଆଉ ସେହି ଝଟକା ସେ ସହିପାରିନଥିଲେ।
ଆଉ ଗତ ରାତିରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିଲା | ତାଙ୍କ ଦେହାନ୍ତ ପରେ ପରିବାର ଉପରେ ଆଉ ଏକ ଦୁଃଖର କଳା ବାଦଲ ଖେଳିଯାଇଛି । ସୂଚନାୟୋଗ୍ୟ,ଗତ ୧୮ ତାରିଖରେ କେତନ ଅଗ୍ରୱାଲଙ୍କ ଭାବି-ସ୍ତ୍ରୀ ସିୟା ଗୋୟଲ ନିଜ ବୟଫ୍ରେଣ୍ଡ ଚେତନ ଚୌଧୁରୀଙ୍କ ସହ ମିଶି ଏକ ଷଡ଼ଯନ୍ତ୍ର କରି ଲୋହାଗଡ଼ କିଲ୍ଲାରୁ କେତନଙ୍କୁ ଧକ୍କା ଦେଇ ହତ୍ୟା କରିଥିଲେ | ପାହାଡ଼ରୁ ଖସି ପଡ଼ିବା ପରେ କେତନ ଅଗ୍ରୱାଲଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୁଲିସର ସନ୍ଦେହ ହେବାରୁ ଘଟଣାସ୍ଥଳର ସିସିଟିଭି ଫୁଟେଜ ଦେଖି ଅଭିଯୁକ୍ତ ସିୟା ଗୋୟଲ ଓ ବୟଫ୍ରେଣ୍ଡ ଚେତନଙ୍କୁ ଗିରଫ କରିଥିଲା | ବୟାନରେ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲେ ଏବଂ ତାଙ୍କ ଉପରେ ପରିବାର ପକ୍ଷରୁ ବିବାହ ପାଇଁ ଚାପ ପଡ଼ୁଥିଲା ବୋଲି କହିଥିଲେ ।
ଆଉ ଏହି କାରଣରୁ ସେ କେତନଙ୍କୁ ହତ୍ୟା କରିଥିବା ନେଇ ଜଣାପଡିଥିଲା । ତେବେ ଘଟଣାରେ ତଦନ୍ତ ଏବେ ବି ଜାରି ରହିଛି । ସମସ୍ତ ତଥ୍ୟ ଓ ପ୍ରମାଣର ଯାଞ୍ଚ ପରେ ଉଭୟ ଅଭିଯୁକ୍ତଙ୍କ ଉପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏମିତି ଥିଲା ଜେଜେଙ୍କ ଶେଷ ସମୟ ଛାତିରେ ଯନ୍ତ୍ରଣା ହେଲା ପରେ ପରିବାର ଲୋକେ ଡରି ଯାଇଥିଲେ ।
ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ସେତେବେଳକୁ ତାଙ୍କ ସ୍ୱର କ୍ଷୀଣ ହୋଇଯାଇଥିଲା । ସେ ଅସ୍ପଷ୍ଟ ସ୍ୱରରେ କିଛି କହୁଥିଲେ । କିନ୍ତୁ ପରିବାର ଲୋକେ କିଛି ବୁଝି ପାରୁନଥିଲେ । ହୁଏତ ସେ ନାତିର ହତ୍ୟାକାରୀକୁ ଦଣ୍ଡ ମିଳୁ ବୋଲି କହୁଥିବା କୁହାଯାଉଛି । କାରଣ କେତନଙ୍କ ମୃତ୍ୟୁ ପରେ ବି ସେ ଦୋଷୀକୁ ଉଚିତ ଶାସ୍ତି ମିଳୁ ବୋଲି ଦାବି କରୁଥିଲେ ।
