ନୂଆଦିଲ୍ଲୀ: ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପୂର୍ବରୁ ଗ୍ଲେସିୟର (ବରଫଖଣ୍ଡ) ଭାଙ୍ଗିବାର ଏକ ଦୃଶ୍ୟ ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଲାଙ୍ଗଟାଙ୍ଗ ଲିରୁଙ୍ଗ ଶିଖର ନିକଟସ୍ଥ ପାହାଡ଼ରୁ ଏକ ବିରାଟ ଆକାରର ପଥର ଓ ବରଫଖଣ୍ଡ ଖସି ପଡ଼ୁଥିବାର ଦେଖିବାକୁ ମିଳୁଛି ।[ HeyMu. Travel] pic.twitter.com/rgWylkezSC — Massimo (@Rainmaker1973) August 28, 2026 ଅଗଷ୍ଟ ୨୬ ତାରିଖରେ ଘଟିଥିବା ଏହି ଘଟଣା ଯୋଗୁଁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି । ନେପାଳର ଧାଡିଂ ଏବଂ ରସୁୱା ଜିଲ୍ଲା ଏହାଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ୯୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୪,୫୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।
ସେହିପରି ସୀମାନ୍ତ ତିବ୍ବତ ଅଞ୍ଚଳରେ ମଧ୍ୟ ଏହି ବିପର୍ଯ୍ୟୟ ଯୋଗୁଁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ଏହି ଘଟଣାକୁ ଅତ୍ୟନ୍ତ ହୃଦୟବିଦାରକ ଏବଂ ଆକଳନ ବାହାରେ ଥିବା ପ୍ରାକୃତିକ ବିପର୍ଯ୍ୟୟ ବୋଲି ଅଭିହିତ କରିଛନ୍ତି । ବର୍ତ୍ତମାନ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ବାରମ୍ବାର ଘଟୁଛି ସମାନ ବିପର୍ଯ୍ୟୟ ୨୦୨୧ ମସିହାରେ ଉତ୍ତରାଖଣ୍ଡରେ ଏକ ସମାନ ପଥର ଏବଂ ବରଫ ଅତଡ଼ା ଖସି ପ୍ରାୟ ୯୫୦ ନିୟୁତ ଘନଫୁଟ ପଥର ଏବଂ ବରଫ (ପ୍ରାୟ ୮୦% ପଥର, ୨୦% ବରଫ) ରୋଣ୍ଟି ପିକରୁ ତଳକୁ ଖସି ପଡ଼ିଥିଲା ।
ଏଥିରେ ଏକ ଜଳବିଦ୍ୟୁତ କେନ୍ଦ୍ର ନଷ୍ଟ ହୋଇଥିଲା ଏବଂ ପ୍ରାୟ ୨୦୦ ଲୋକଙ୍କ ପ୍ରାଣହାନି କମ୍ୱା ନିଖୋଜ ହୋଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଡ୍ୟାମ୍ ଶ୍ରମିକ ଥିଲେ । ୨୦୨୩ ମସିହାରେ ପର୍ମାଫ୍ରଷ୍ଟ ତରଳିବା ଫଳରେ ସିକ୍କିମର ଦକ୍ଷିଣ ଲୋନାକ୍ ହ୍ରଦରେ ପଥର ଧସିଥିଲା । ଫଳରେ ଏକ ତରଙ୍ଗ ସୃଷ୍ଟି ହୋଇ ହିମଧାରୀ ହ୍ରଦ ଫାଟିଥିଲା । ଏଥିରେ ପାହାଡ଼ ତଳକୁ ୧୩ ବିଲିୟନ ଗ୍ୟାଲନରୁ ଅଧିକ ପାଣି ପ୍ରବାହିତ କରିଥିଲା । ଏଥିରେ ଅନେକ ବନ୍ଧ,୨୫ ହାଜରରୁ ଅଧିକ କୋଠା ଏବଂ ୩୦ରୁ ଅଧିକ ସେତୁକୁ କ୍ଷତିଗ୍ରସ୍ତ କରିଥିଲା ।
