ଲକ୍ଷ୍ନୌ: ପାଟନାରୁ ଲକ୍ଷ୍ନୌ ଯାଉଥିବା ଏକ ଇଣ୍ଡିଗୋ ବିମାନ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଉଡ଼ାଣ ସମୟରେ ବିମାନ ଉପରେ ବଜ୍ରପାତ ହୋଇଥିବା ଦାବି କରାଯାଉଛି । ଫଳରେ ବମାନକୁ ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଲ୍ୟାଣ୍ଡିଂ ପରେ ବିମାନର ଅଗ୍ର ଭାଗ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।
ସମସ୍ତ ଦିଗକୁ ନେଇ ଯାଞ୍ଚ ଚାଲିଛି । ଏହି ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ପାଟନାରୁ ଲକ୍ଷ୍ନୌ ଆସିବା ପରେ ଏହି ବିମାନଟି ଅହମ୍ମଦାବାଦ ପାଇଁ ଉଡ଼ାଣ ଭରିବାର ଥିଲା । ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ଫ୍ଲାଇଟ୍ ବାତିଲ ହେବା ନେଇ ସୂଚନା ଦେବା ସହ ଅନ୍ୟ ବିମାନରେ ଯିବା କିମ୍ବା ଟଙ୍କା ଫେରସ୍ତର ବିକଳ୍ପ ଦେଇଥିଲା ।
ସୂତ୍ର ଅନୁସାରେ, ଇଣ୍ଡିଗୋର ଉଡ଼ାଣ (6E-925) ପାଟନାରୁ ଲକ୍ଷ୍ନୌ ଅଭିମୁଖେ ବାହାରିଥିଲା । ପ୍ରାଥମିକ ସୂଚନା ଅନୁସାରେ, ଅବତରଣ ସମୟରେ ପ୍ରାୟ ୧୭,୦୦୦ ଫୁଟ ଉଚ୍ଚତାରେ ବାଦଲ ଭିତରେ କିଛି ଘଟିଥିଲା ବୋଲି ପାଇଲଟ୍ ଏଟିସିକୁ ଜଣାଇଥିଲେ । ବୋଧହୁଏ ବିଜୁଳି ମାରିଥିଲା । ଓହ୍ଲାଇବା ପରେ ବିମାନର ଯାଞ୍ଚ କରାଯିବାରୁ ତାହାର ଆଗ ପଟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।
ଲକ୍ଷ୍ନୌରେ ଓହ୍ଲାଇବା ପରେ ବୈଷୟିକ ଟିମ୍ ବିମାନର ଯାଞ୍ଚ ଆରମ୍ଭ କରିଥିଲେ । ବିମାନର ଅନ୍ୟ କୌଣସି ଅଂଶ ଉପରେ ଏହାର ପ୍ରଭାବ ପଡ଼ିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଥିଲା । ଆଭିଏସନ୍ ବିଶେଷଜ୍ଞଙ୍କ ବୟାନକୁ ନେଇ ଲାଇଭ୍ ହିନ୍ଦୁସ୍ତାନ ରିପୋର୍ଟ ଅନୁସାରେ, ବାଦଳ ଭିତରେ ବଡ଼ ବଡ଼ କୁଆପଥର ବି ରହିଥାଏ । ଏହାସହ ଧକ୍କା ହେବା ଦ୍ୱାରା ମଧ୍ୟ ବିମାନ କ୍ଷତିଗ୍ରସ୍ତ ହେବାର ଆଶଂକା ରହିଛି ।
ଏହା ବ୍ୟତୀତ କୌଣସି ପକ୍ଷୀ ସହିତ ମଧ୍ୟ ଧକ୍କା ହୋଇପାରେ । ବଜ୍ରପାତ ନେଇ ଯେଉଁ ଆଶଂକା ପ୍ରକାଶ କରାଯାଉଛି, ତାର ସମ୍ଭାବନା କମ । ବର୍ତ୍ତମାନ ପାଇଲଟଙ୍କ ରିପୋର୍ଟକୁ ଗୋପନୀୟ ରଖାଯାଇଛି ।

