ତିରୁଅନନ୍ତପୁରମ: କେରଳମର ସବୁଠୁ ବଡ଼ ପାର୍ବଣ ଓଣମ ଅବସରରେ ମଦ ବିକ୍ରି ରେକର୍ଡ ଭାଙ୍ଗିଛି। କେରଳ ଷ୍ଟେଟ ବିଭରେଜ କର୍ପୋରେସନ (କେଏସବିସି) ଅନୁସାରେ ଓଣମ ଉତ୍ସବ ପ୍ରାରମ୍ଭ ହେବା ଦିନରୁ ୮ ଦିନ ମଧ୍ୟରେ (୧୮ରୁ ୨୫ ଅଗଷ୍ଟ) ୭୭୧ କୋଟି ଟଙ୍କାର ଅଧିକ ମଦ ବିକ୍ରି ହୋଇଛି। ୧୦ ଦିନ ଧରି ଚାଲିବାକୁ ଥିବା ଓଣମ କେରଳମ ଲୋକଙ୍କ ସବୁଠୁ ବଡ଼ ପର୍ବ।ଏଥିରେ କେବଳ ଉଥରାଦମ ଦିନ ୧୨୬ କୋଟି ଟଙ୍କାରୁ ଅଧିକ ଟଙ୍କାର ମଦ ବିକ୍ରି ହୋଇଥିବା ଜଣାପଡିଛି। ମଦ ବିକ୍ରିର ଏହି ତଥ୍ୟ ୮ ଦିନର ଓଣମ ଆଉ ଦୁଇ ଦିନ ବାକି ଅଛି। ଗତବର୍ଷ ବିଭରେଜ କର୍ପୋରେସନ ଓଣମ ସିଜିନରେ ୮୨୬.୩୮ କୋଟି ଟଙ୍କାର ମଦ ବିକ୍ରି କରିଥିଲା। ଏବେ ଏହି ପାର୍ବଣରେ ଆଉ ଦୁଇ ଦିନର କାରବାର ମିଶିବ।
ଏଣୁ ଅବକାରୀ ବିଭାଗ ଅଧିକାରୀ ଆକଳନ କରିଛନ୍ତି ଯେ ଯେବେ ୧୦ ଦିନ ମୋଟ ସେଲ ତଥ୍ୟ ଆସିବ ତାହା ଗତବର୍ଷର ବିକ୍ରି ରେକର୍ଡକୁ ଭାଙ୍ଗିଦେବ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ (ଏନଏଚଏଫଏସ୍) ଓ ଅବକାରୀ ବିଭାଗର ତଥ୍ୟ ଅନୁସାରେ କେରଳମର ମୋଟ ଜନସଂଖ୍ୟାରୁ ୫୦ରୁ ୬୦ ଲକ୍ଷ ଲୋକେ ମଦ୍ୟପାନ କରନ୍ତି। ଏହି ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପାଖାପାଖି ୧୨.୪% ହେବ। ଓଣମ କାଳରେ କେରଳମରେ ମଦ ବିକ୍ରିରୁ ୭୭୧.୨୯ କୋଟି ଟଙ୍କା ମିଳିଲାଣି। ଏହାକୁ ଯଦି ୫୦ ଲକ୍ଷ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତେବେ ପ୍ରତି ବ୍ୟକ୍ତି ହାରାହାରି ୧,୫୪୨.୫୮ ପଇସାର ମଦ କିଣି ପିଇଛନ୍ତି। ଯଦି ଏହାକୁ ୬୦ ଲକ୍ଷ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତେବେ ଏହା ୧,୨୮୫.୪୮ ଟଙ୍କା ପ୍ରତି ବ୍ୟକ୍ତି ପଡିବ।
