Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଶତ୍ରୁ ଏବେ ସାବଧାନ ! ଭାରତ ତିଆରି କରିବ ଭୟଙ୍କର ମାରଣାସ୍ତ୍ର, ବଢାଇବ ପ୍ରତିରକ୍ଷା ବଜେଟ୍

NEWS7 1 week ago
 ନୂଆଦିଲ୍ଲୀ : ବଢ଼ିବ ଭାରତୀୟ ସେନାର ଶକ୍ତି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଭାରତୀୟ ସେନା, ନୌସେନା ଓ ବାୟୁସେନା ପାଇଁ ୫୨ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସଂକ୍ରାନ୍ତ ପ୍ରସ୍ତାବକୁ ନୀତିଗତଳ ମଞ୍ଜୁରି ଦେଇଛି। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଏସି ବୈଠକରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଯେଉଁଥିରେ ଡ୍ରୋନ ନିରୋଧୀ ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଆକାଶ ତରଙ୍ଗ, ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ ମିସାଇଲ (ଏମ୍ପିଏଟିଜିଏମ୍ ) ସିଷ୍ଟମ, ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ମିସାଇଲ୍ (ଏମ୍ଆରସାମ) ୱିପନ ସିଷ୍ଟମ, ସ୍ୱଚ୍ଛ ଦୂରଗାମୀ ଏୟାର ଡିଫେନ୍ସ୍ ସିଷ୍ଟମ (ଭି-ଶୋରଡସ୍), ଟ୍ୟାଙ୍କ ପାଇଁ ଆକ୍ଟିଭ ପ୍ରୋଟେକ୍ସନ ସିଷ୍ଟମ (ଏପିଏସ୍) ଏବଂ ଯୁଦ୍ଧ ବିମାନ ଲାଗି କାମିକେଜ ଡ୍ରୋନ ସିଷ୍ଟମ ଭଳି ଯୁଦ୍ଧାସ୍ତ୍ର ସାମିଲ ଅଛି। ଆକାଶ ତରଙ୍ଗ ସେନା ଦଳକୁ ଶତ୍ରୁପକ୍ଷର ଡ୍ରୋନ କିମ୍ବା ୟୁଏଭି ନିରୋଧୀ ସୁରକ୍ଷା ଦେବ। ଏମ୍ ପିଏଟିଜିଏମ୍ ସିଷ୍ଟମ ଶତ୍ରୁର ଯେକୌଣସି ପ୍ରକାର ଯାନ୍ତ୍ରିକ ବିପଦର ମୁକାବିଲା କରିବା ସହ ସେନାର ଦକ୍ଷତା ବଢ଼ାଇବ। ଏମ୍ଆରସାମ୍ ସିଷ୍ଟମ ଅଳ୍ପ ଦୂରରୁ ଆସୁଥିବା ଶତ୍ରୁର କୌଣସି ପ୍ରକାର ମିସାଇଲ୍, ଡ୍ରୋନ କିମ୍ବା ଜେଟ୍ର ମୁକାବିଲା କରିବା ସହ ସାମରିକ ଘାଟି ଓ ସେନା ପ୍ରତିଷ୍ଠାନକୁ ସୁରକ୍ଷା ଯୋଗାଇବ।

ସେହିଭଳି ଭି-ଶୋରଡସ୍ ଶତ୍ରୁର ଛାୟା ଯୁଦ୍ଧକୁ ରୋକିବା ସହ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନକୁ ବଳ ଦେବ। ଏପିଏସ୍ ସିଷ୍ଟମ ଟ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ସହ ଏହାକୁ ତିଷ୍ଠି ରହିବାର କ୍ଷମତା ପ୍ରଦାନ କରିବ। ଯୁଦ୍ଧ ଜାହାଜରେ ମୁତୟନ ହେବାକୁ ଥିବା କାମିକେଜ ଡ୍ରୋନ ଉନ୍ନତ ଇଲେକ୍ଟ୍ରୋନିକ ୱାରଫେସର କ୍ଷମତା ବଢ଼ାଇବ ଓ ଭାରତର ମାରକ କ୍ଷମତାକୁ ମଜଭୁତ କରିବାରେ ସକ୍ଷମ ହୋଇପାରିବ। ସେହିଭଳି ଭାରତୀୟ ନୌସେନା ପାଇଁ ମଲ୍ଟି ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ (ଏମ୍ଆଇଜିଏମ୍), ନାଭାଲ ସିପବର୍ଣ ଅନ୍-ମ୍ୟାନଡ ଏରିୟଲ ସିଷ୍ଟମ (ଏନ୍ଏସ୍ ୟୁଏଏସ୍) କିଣା ଏବଂ ଇଲେକ୍ଟ୍ରୋନିକ ପ୍ରପଲସନ ସିଷ୍ଟମ ଲାଗି ଭୂ-ଆଧାରିତ ଟେଷ୍ଟି ଫ୍ୟାସିଲିଟି (ଏଲ୍ବିଟିଏଫ) ପ୍ରତିଷ୍ଠା କରିବା ଲାଗି ଡିଏସି ମଞ୍ଜୁରି ଦେଇଛି।

ଏମ୍ଆଇଜିଏମ୍ ଶତ୍ରୁର କୌଣସି ପ୍ରକାର ହରକତକୁ ରୋକିବାରେ ସକ୍ଷମ ହେବ। ଅତ୍ୟାଧୁନିକ ସେନ୍ସର ଲାଗିଥିବା ଏନ୍ଏସ୍ୟୁ ଏଏସ୍ ଭାରତୀୟ ନୌସେନାର ସ୍ଥିତି ସମ୍ପର୍କିତ ତଥ୍ୟକୁ ଉନ୍ନତ କରିବ। ଏଲ୍ବିଟିଏଫ୍ ଭାରତୀୟ ନୌସେନା ଉପକରଣର ମୋଟର ଓ ପ୍ରପଲସନ ସିଷ୍ଟମର ପରୀକ୍ଷାର ଆବଶ୍ୟତାକୁ ପୂରଣ କରିପାରିବ। ଭାରତୀୟ ବାୟୁସେନା ନିମନ୍ତେ ଫିକ୍ସଡ ୱିଙ୍ଗ ଆଧାରିତ ହାଇ ଆଲଟିଚ୍ୟୁଡ ସ୍ୟୁଡୋ ସାଟେଲାଇଟ୍ ( ଏପଡବ୍ଲ୍ୟୁ - ଏଚ୍ ଏପିଏସ୍ ) ଓ ଅନ୍ୟାନ୍ୟ କେତେକ ଯୁଦ୍ଧାସ୍ତ କିଣା ପ୍ରସ୍ତାବକୁ ମଧ୍ୟ ଡିଏସି ଅନୁମୋଦନ କରିଛି।

ଏଫଡବ୍ଲ୍ୟୁ-ଏଚ୍ଏପିଏସ୍ ଭାରତୀୟ ବାୟୁସେନାକୁ ଲଗାତାର ଭାବେ ଇଣ୍ଟେଲିଜେନ୍ସ, ସର୍ଭେଲାନ୍ସ ଏବଂ ଗତିବିଧି ସମ୍ପର୍କରେ ସୂଚନା ଦେବା ସହ ଟେଲି ଯୋଗାଯୋଗ ଓ ରିମୋଟ୍ ସେନ୍ସିଂର କାର୍ଯ୍ୟ କରିବ। ଏସବୁ ପ୍ରତିରକ୍ଷା ସାମଗ୍ରୀ କିଣାଯିବା ଭାରତୀୟ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଦିଗରେ ଏକ ବଡ ପଦକ୍ଷେପ। ଏଥିରୁ ଅଧିକାଂଶ ଯୁଦ୍ଧାସ୍ଥ ସ୍ୱଦେଶୀ ତଥା ପରବର୍ତ୍ତୀ ପିଢ଼ି ଜ୍ଞାନକୌଶଳରେ ନିର୍ମାଣ କରାଯିବ । ଯାହା ଭାରତର ଆତ୍ମନିର୍ଭର ଅଭିଯାନକୁ ବଳ ଦେବ। ଏଥିସହ ଭାରତୀୟ ସେନାକୁ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ନିଜର ପ୍ରଭାବ ବିସ୍ତାର କରିବାର ଅଭିଯାନକୁ ସୁଦୃଢ଼ କରିପାରିବ ବୋଲି କୁହାଯାଉଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7