ନୂଆଦିଲ୍ଲୀ: ଭାରତ ସୋମବାର ବିଶ୍ୱବ୍ୟାଙ୍କ ଦ୍ୱାରା ଗଠିତ ସିନ୍ଧୁ ନଦୀ ଜଳ ଚୁକ୍ତି ସହ ଜଡ଼ିତ ମଧ୍ୟସ୍ଥତା ଅଦାଲତର ନିଷ୍ପତ୍ତିକୁ ଖାରଜ କରିବା ସହ ଏହାକୁ ଏକ ଅବୈଧ ସଂସ୍ଥା ବୋଲି ଅଭିହିତ କରିଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଅଦାଲତର ଭାରତର ସାର୍ବଭୌମ ସହ ଜଡ଼ିତ ନିଷ୍ପତ୍ତି ନେବାର କୌଣସି ଅଧିକାର କ୍ଷେତ୍ର ନାହିଁ ଏବଂ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତ ନେଇଥିବା ନିଷ୍ପତ୍ତି ବଳବତ୍ତର ରହିବ ।ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, "ଭାରତ ଏହି ସଂସ୍ଥା ଆଗରେ କେବେ ବି ପକ୍ଷ ରଖିନାହିଁ ଏବଂ ଏହାର ପୂର୍ବରୁ ଦିଆଯାଇଥିବା କୌଣସି ନିଷ୍ପତ୍ତି କିମ୍ବା ମନ୍ତବ୍ୟକୁ ଗ୍ରହଣ କରିବାକୁ ମନା କରିଛି । ଭାରତ ଏହି ଅଦାଲତ ସମ୍ମୁଖରେ ନିଜର ଉପସ୍ଥିତି ଜାହିର କରିନାହିଁ ।" ବୈଦେଶିକ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ମଧ୍ୟସ୍ଥତା ଅଦାଲତର ଭାରତର ସାର୍ବଭୌମ ନିଷ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଏହା ଦ୍ୱାରା ଦିଆଯାଉଥିବା କୌଣସି ନିଷ୍ପତ୍ତି ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଜଳ ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ପହଲଗାମ ଆକ୍ରମଣ ପରେ ଚୁକ୍ତି ସ୍ଥଗିତ କରିଥିଲା ଭାରତ ୨୦୨୫ ଏପ୍ରିଲ୍ ମାସରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ଏହା ପରଠାରୁ ପାକିସ୍ତାନର ନେତାମାନେ ବାରମ୍ବାର ପାଣିକୁ ସେମାନଙ୍କର ‘ରେଡ୍ ଲାଇନ୍’ (ସୀମା) ବୋଲି କହିବା ସହ ଭାରତର ଏହି ପଦକ୍ଷେପକୁ ‘ଯୁଦ୍ଧର କାର୍ଯ୍ୟାନୁଷ୍ଠାନ’ ଦର୍ଶାଇ ଫମ୍ପା ଧମକ ବି ଦେଇଆସିଛନ୍ତି ।
