Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ତନ୍ତ୍ରପୂଜା ପାଇଁ ଅଣ୍ଡା ବିକ୍ରି, ଅସୁରକ୍ଷିତ ଜାତୀୟ ପକ୍ଷୀ

NEWS7 1 hr ago
 ଦଶପଲ୍ଲା: ଜାତୀୟ ପକ୍ଷୀ ମୟୂର ଅସୁରକ୍ଷିତ । କେତେବେଳେ ଜାତୀୟ ରାଜପଥ ଉପରେ ଜାତୀୟ ପକ୍ଷୀର ଜୀବନ ଯାଉଛି ତ ପୁଣି କେବେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ସେମାନଙ୍କର ବିନାଶ କରୁଛି । ମୟୂର ଅଣ୍ଡାଗୁଡ଼ିକୁ ତାନ୍ତ୍ରିକମାନେ ତନ୍ତ୍ର ପୂଜା ପାଇଁ କିଣି ନେଉଥିବାରୁ ଏଠାରେ ମୟୂରଙ୍କ ବଂଶବୃଦ୍ଧି ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି ।
ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବାଣୀଗୋଚ୍ଛା ପଶ୍ଚିମ ବନାଞ୍ଚଳରେ ରହିଛି ସାତପୁରୀ ପାହାଡ଼ ଓ ସୁନେରୀ ପାହାଡ଼ । ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଏହି ପାହାଡ଼ ଉପରେ ରହିଛି ଗମ୍ଭାରୀଗଣ୍ଡା ଗାଁ । ପାହାଡ଼ରେ ଶତାଧିକ ଜାତୀୟ ପକ୍ଷୀ ମୟୂରଙ୍କ ଚଳପ୍ରଚଳ ସବୁବେଳେ ଲାଗି ରହୁଛି । ଅନେକ ସମୟରେ ମୟୂର ଖାଦ୍ୟ ପାଇଁ ରାଜପଥ କଡ଼ରେ ଥିବା ଜମିକୁ ଚାଲି ଆସିଥାନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜାତୀୟ ରାଜପଥ ଉପରେ ଠିଆ ହେଲେ ମୟୂର ଡାକ ଶୁଣିବାକୁ ମିଳେ । କେହି କେହି ଏହି ପାହାଡ଼ରେ ହଜାରେରୁ ଉର୍ଦ୍ଧ୍ୱ ମୟୂର ରହିଥିବା କହିଛନ୍ତି । ନିକଟସ୍ଥ ଜମିରେ ଧାନ ଅମଳ ସମୟରେ ଶତାଧିକ ମୟୂର ଆସି ଧାନ ଖାଇ ଦେଇଥାନ୍ତି । ଜାତୀୟ ପକ୍ଷୀର ସୁରକ୍ଷା ପାଇଁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କଥା ଚିନ୍ତା କରି ନାହିଁ ।

ଅନେକ ମୟୂର ଶିକାରୀଙ୍କ ଦ୍ୱାରା ମୃତ୍ୟୁବରଣ କରୁଥିବା ବେଳେ କିଛି ମୟୂର ଜାତୀୟ ରାଜପଥ ଉପରେ ଗାଡ଼ି ମାଡ଼ରେ ମୃତ୍ୟୁବରଣ କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଏହି ଅଞ୍ଚଳରେ ଥିବା ମୟୂରଙ୍କ ଅଣ୍ଡା ସବୁବେଳେ ବିପଦଗ୍ରସ୍ତ ହେଉଛି । ତନ୍ତ୍ର ସାଧନା ପାଇଁ ମୟୂର ଅଣ୍ଡାର ଆବଶ୍ୟକତା ଥିବାରୁ ଅନେକ ଅଣ୍ଡାକୁ ବାହାରକୁ ଚୋରାଚାଲାଣ କରାଯାଉଛି । ଏହି ଅଣ୍ଡାଗୁଡ଼ିକ ସୁରକ୍ଷିତ ରହିଲେ, ମୟୂର ବଂଶ ବୃଦ୍ଧି ପାଇପାରନ୍ତା ।

ଏହା ବ୍ୟତୀତ ସ୍ଵତନ୍ତ୍ର ଭାବେ ଜାତୀୟ ରାଜପଥ ପାର୍ଶ୍ୱରେ ତାର ଜାଲି ଦ୍ୱାରା ସୁରକ୍ଷା ପ୍ରାଚୀର ନିର୍ମାଣ କରାଗଲେ ସେମାନଙ୍କୁ ଗାଡ଼ି ମାଡ଼ରୁ ରକ୍ଷା କରାଯାଇ ପାରନ୍ତା । ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାଘ୍ର ସଂରକ୍ଷଣକୁ ଗୁରୁତ୍ଵ ଦେଉଥିବା ବେଳେ ଏଠାରେ ଜାତୀୟ ପକ୍ଷୀର ସୁରକ୍ଷାକୁ ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ହେଉଛି । ଏ ନେଇ ବନ୍ୟପ୍ରାଣୀ ବିଭାଗ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ପରିବେଶବିତ୍ମାନଙ୍କ ପକ୍ଷରୁ ଦାବି ହେଉଛି । ତେବେ ବର୍ତ୍ତମାନ ମୟୂରମାନଙ୍କର ବଂଶ ବିସ୍ତାର ସମୟ ହୋଇଥିବା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7