Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Tele-Surgery: ଭାରତୀୟ ଡାକ୍ତରଙ୍କ କମାଲ୍‌, ଚୀନ୍‌ରେ ବସି ହାଇଦ୍ରାବାଦରେ କଲେ ସଫଳ ସର୍ଜରୀ !

NEWS7 2 weeks ago
 ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା । ଚୀନ୍ରେ ବସି ଭାରତର ହାଇଦ୍ରାବାଦରେ ସଫଳ ଅପରେସନ୍ କଲେ ଡାକ୍ତର । ହାଇଦ୍ରାବାଦରେ ଜଣେ ମହିଳା ରୋଗୀଙ୍କର ଅପରେସନ୍ ପ୍ରାୟ ୩,୯०० କିଲୋମିଟର ଦୂର ଚୀନ୍ର ଉହାନ ସହରରେ ବସି ଜଣେ ଭାରତୀୟ ଡାକ୍ତର ସଫଳତାର ସହ କରିଛନ୍ତି। ଏହି ବିରଳ ଏବଂ ଚମତ୍କାର ଅପରେସନ୍ ହାଇଦ୍ରାବାଦ ସ୍ଥିତ 'ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜି' (AINU) ର ବରିଷ୍ଠ ୟୁରୋଲୋଜି ଡାକ୍ତର ସୟଦ ମହମ୍ମଦ ଗୌସ ସମ୍ପାଦନ କରିଛନ୍ତି ।
ସେ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ଉହାନରେ ଥିଲେ। କିପରି ହେଲା Tele-Surgery ? ୫୭ ବର୍ଷୀୟା ଜଣେ ମହିଳାଙ୍କର ମୂତ୍ରବାହୀ ନଳୀରେ ଅବରୋଧ ବା Ureteric Obstruction ଥିଲା। ଡାକ୍ତର ଗୌସ ଉହାନରେ ଥାଇ ଅତ୍ୟାଧୁନିକ ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ଓ କନସୋଲ୍ ସାହାଯ୍ୟରେ ସୁଦୂର ହାଇଦ୍ରାବାଦର ଅପରେସନ ଥିଏଟରରେ ଥିବା ମେସିନ୍କୁ ନିୟନ୍ତ୍ରଣ କରି ଏହି ଜଟିଳ ସର୍ଜରୀ କରିଥିଲେ।

ଅପରେସନ ସମୟରେ ଯୋଗାଯୋଗ ଠିକ୍ ରଖିବା ଏବଂ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ହାଇଦ୍ରାବାଦରେ ରୋଗୀଙ୍କ ନିକଟରେ ଜଣେ ସହଯୋଗୀ ଡାକ୍ତରୀ ଦଳଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ପିଟିଆଇ ରିପୋର୍ଟ ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ଅପରେସନ୍ ପ୍ରକ୍ରିୟା ସଫଳ ହୋଇଥିଲା ଏବଂ ଏହାକୁ ଶେଷ କରିବା ପାଇଁ ମାତ୍ର ୯୦ ମିନିଟ୍ ସମୟ ଲାଗିଥିଲା। ସର୍ଜରୀ ପରେ ମହିଳା ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ସେପଟେ AINUର ରୋବୋଟିକ୍ ଏବଂ ମିନିମାଲ୍ ଆକ୍ସେସ୍ ୟୁରୋଲୋଜିକାଲ୍ ସର୍ଜରି ବିଭାଗର ନିର୍ଦ୍ଦେଶକ ଡାକ୍ତର ଗୌସ ଏହି ରୋଗ ଏବଂ ଅପରେସନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହା ହେଉଛି ଏକ ସୂକ୍ଷ୍ମ ନଳୀ ଯାହା ଶରୀରର କିଡନୀ କୁ ମୂତ୍ରାଶୟ ସହ ଯୋଡ଼ିଥାଏ। ମହିଳା ରୋଗୀଙ୍କ କ୍ଷେତ୍ରରେ ଏହି ନଳୀଟି ସମ୍ପୂର୍ଣ୍ଣ ବ୍ଲକ୍ ବା ବନ୍ଦ ହୋଇଯାଇଥିଲା। ଏହି ଅପରେସନ୍ ମାଧ୍ୟମରେ ସେହି ଅବରୋଧକୁ ହଟାଇ ମୂତ୍ରବାହୀ ନଳୀକୁ ମୂତ୍ରାଶୟ ସହିତ ପୁନର୍ବାର ଏକ ନୂଆ ଉପାୟରେ ଯୋଡ଼ାଗଲା। ଚିକିତ୍ସା ବିଜ୍ଞାନ ଭାଷାରେ ଏହାକୁ Ureteric Reimplantation କୁହାଯାଏ।

ଡାକ୍ତର ଗୌସ ଜଣାଇଛନ୍ତି ଯେ, ସାଧାରଣତଃ ସେମାନେ ନିଜ ହସ୍ପିଟାଲର ଅପରେସନ ଥିଏଟରରେ ରୋବୋଟିକ୍ ସାହାଯ୍ୟରେ ଏଭଳି ସର୍ଜରୀ ନିୟମିତ ଭାବେ କରନ୍ତି। ମାତ୍ର ଏଥର ଚୀନର ଉହାନରେ ଆୟୋଜିତ ସମ୍ମିଳନୀରେ ସାରା ବିଶ୍ୱରୁ ଆସିଥିବା ୪-୫ ଜଣ ଅନ୍ୟ ସର୍ଜନ ମଧ୍ୟ ଉପସ୍ଥିତ ଥିଲେ, ଯେଉଁମାନେ ସେଠାରେ ବସି ନିଜ ନିଜ ଦେଶରେ ଥିବା ରୋଗୀଙ୍କର ଟେଲି-ସର୍ଜରୀ କରିଥିଲେ। ସେହି କ୍ରମରେ ଡାକ୍ତର ଗୌସ ମଧ୍ୟ ଭାରତରେ ଥିବା ରୋଗୀଙ୍କର ସଫଳ ଚିକିତ୍ସା କରି ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7