Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

World Coconut Day 2026: ଅନୁମୋଦନ ଅପେକ୍ଷାରେ 'କୋଣାର୍କ' ନଡ଼ିଆ, ବର୍ଷକୁ ବାହାରିବ ୧୫୦ରୁ ଅଧିକ ଫଳ

NEWS7 1 week ago
 ଆଜି ବିଶ୍ୱ ନଡ଼ିଆ ଦିବସ । ବିଶ୍ୱବ୍ୟାପୀ ନଡ଼ିଆ ଚାଷକୁ ପ୍ରୋତ୍ସାହନ କରିବା ଏହି ଦିବସର ଉଦ୍ଦେଶ୍ୟ । ଓଡ଼ିଶା ମାଟିରେ ଦେଶ, ବିଦେଶର ବିଭିନ୍ନ ପ୍ରଜାତିର ତଥା ହାଇବ୍ରିଡ ନଡ଼ିଆ ଫଳୁଛି । କିନ୍ତୁ ଓଡ଼ିଶାର ସ୍ୱତନ୍ତ୍ର ହାଇବ୍ରିଡ ନଡ଼ିଆ ଏପର୍ଯ୍ୟନ୍ତ ବାହାରି ନାହିଁ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ତରଫରୁ ନଡ଼ିଆର ହାଇବ୍ରିଡ ଚାରା ବାହାର କରାଯାଇଛି ।
ଯାହାର ନାମ ‘କୋଣାର୍କ’ । ଓୟୁଏଟି ତରଫରୁ ସରକାରଙ୍କୁ ଏହି କିସମର ନଡ଼ିଆ ପଠାଯାଇଛି । ଅନୁମୋଦନ ମିଳିବା ପରେ ‘କୋଣାର୍କ’ ଚାଷୀଙ୍କୁ ପ୍ରଦାନ କରାଯିବ । ‘କୋଣାର୍କ’ ଓଡ଼ିଶାର ପ୍ରଥମ ହାଇବ୍ରିଡ୍ ।

ଅନ୍ୟ ରାଜ୍ୟ ତଥା ଦେଶର ହାଇବ୍ରିଡ ନଡ଼ିଆ ଅଛି । କିନ୍ତୁ ନଡ଼ିଆକୁ ନେଇ ଓଡ଼ିଶାର କୌଣସି ହାଇବ୍ରିଡ ଏପର୍ଯ୍ୟନ୍ତ ହୋଇନଥିଲା । ଯଦି ସରକାରୀ ଅନୁମୋଦନ ମିଳିବ ‘କୋଣାର୍କ’ ନଡ଼ିଆ ଚାରା ଓୟୁଏଟିର ପ୍ରଥମ ହାଇବ୍ରିଡ ହେବ । ୨୦୦୮ରେ ଏହି କିସମ ଭୁବନେଶ୍ୱର ଓୟୁଏଟିରେ ଲଗାଯାଇଥିଲା ।

ଏହି କିସମ ବାହାର କରିବା ଲାଗି ୧୮ବଷ ପାଖାପାଖି ଲାଗିଲା । ସାକ୍ଷୀଗୋପାଳ ଭେରାଇଟ୍ ସହିତ ଗଙ୍ଗବନ୍ଦମ୍କୁ ମିଶାଯାଇ ହାଇବ୍ରିଡ କରାଯାଇଥିଲା । ଓୟୁଏଟିର କୋଣାର୍କ ଗବେଷଣା କେନ୍ଦ୍ରରେ ଏହାକୁ କରାଯାଇଥିଲା । ଏଥିରୁ ବାହାରିଥିବା ଚାରା ତଥା ଭେରାଇଟ୍କୁ ‘କୋଣାର୍କ’ ନାମକରଣ କରାଯାଇଛି ।

ଯାହାକୁ ଓୟୁଏଟିର ଭୁବନେଶ୍ୱର ଗବେଷଣା କେନ୍ଦ୍ରରେ ଲଗାଯାଇଛି । ଏହା ସରକାରୀ ଅନୁମୋଦନ ଅପେକ୍ଷାରେ ଅଛି ବୋଲି କହିଛନ୍ତି ଓୟୁଏଟି ଗବେଷକ । କୋଣାର୍କ ନଡ଼ିଆ ଚାଷ କଲେ ବର୍ଷକୁ ୧୫୦ରୁ ଅଧିକ ନଡ଼ିଆ ଅମଳ ହେବ । କମ୍ ପାଣିରେ ବି ଭଲ ଅମଳ ହେବ ।

ଏହି ଗଛରୁ ବାହାରିବା ନଡ଼ିଆର ଦାନା ମୋଟା । ଖାଇବାକୁ ମିଠା ଲାଗିବ । ପଇଡ଼ରୁ ପାଖାପାଖି ୫୦୦ ଏମ୍ଏଲ୍ ବାହାରିବ । ନଡ଼ିଆ ଓ ପଇଡ଼ରୁ ଚାଷୀ ଭଲ ରୋଜଗାର କରିପାରିବେ ।

ଓଡ଼ିଶାରେ ନଡ଼ିଆ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ବିଭିନ୍ନ ପ୍ରକାରର ପଦ୍ଧତି ଆପଣା ଯାଉଛି । ସାକ୍ଷୀଗୋପାଳର ପଟ୍ଟନାୟକ ଛକ ପାଖରେ ଓୟୁଏଟିର ନିଜସ୍ୱ ସ୍ଥାନରେ ୧୦ଏକରରେ ନଡ଼ିଆ ଗଛ ଲାଗୁଛି । ଯାହା ପରବର୍ତ୍ତୀ ସମୟରେ ଚାଷୀଙ୍କ ଲାଗି ଲାଭଦାୟକ ହେବ । ଡେଙ୍ଗା ଓ ବାମନ ଗଛର ୩୦ପ୍ରକାରର କିମସ ଲଗାଯାଉଛି ।

ଭବିଷ୍ୟତରେ ସେହି ମଦରପ୍ଲାଣ୍ଟକୁ ହାଇବ୍ରିଡ କରାଯାଇ ନୂଆ ଚାରା ବାହାର କରାଯିବ । ଯାହା ରାଜ୍ୟରେ ନଡ଼ିଆ ଚାରା ଅଭାବ ପୂରଣ କରିବ । ୧୦ବର୍ଷ ପରେ ବର୍ଷକୁ ୧୨ରୁ ୧୩ ହଜାର ଚାରା ବାହାରିବ । ୩ଏକର ଜାଗାର ଗଛ ଲାଗି ସରିଲାଣି ।

ବର୍ଷା ପରେ ବାକି ୭ଏକର ଜାଗାରେ ଚାରା ଲାଗିବ । ଗଙ୍ଗବନ୍ଦମ୍, ଏମ୍ୱାଇଡି, ଏମ୍ଓଡ଼ି, ଏମ୍ଜିଡି ସହ ବାହାର ଦେଶର ବିଭିନ୍ନ କିସମର ଚାରା ଲାଗିବ । ୧୦ଏକର ସ୍ଥାନରେ ଚାରା ଲାଗିଲେ ୪ରୁ ୫ଲକ୍ଷ ଖର୍ଚ୍ଚ ହେବ । ପରବର୍ତ୍ତୀ ସମୟରେ ଏହିଠାରୁ ଭଲ ଚାରା ଚାଷୀ ପାଇବେ ।

ଅମଳ ଚାରି ୫ବର୍ଷ ଭିତରେ ବାମନ ଗଛରୁ ଫଳ ବାହାରିବ । ଭଲ ଫଳ ହେବାକୁ ୧୦ରୁ ୧୨ବର୍ଷ ଲାଗିବ । ଏହି ଗଛର ପଇଡ଼ ଭଲ ହେବ । ୮୦ରୁ ୧୦୦ ଫଳ ଆସିବ ।

୪୦ରୁ ୪୫ ବର୍ଷ ଆୟୁଷ । ସେହିଭଳି ଡେଙ୍ଗା ଗଛ ୬ବର୍ଷ ଭିତରେ ଅମଳ ହେବା ଆରମ୍ଭ କରିବ । ଭଲ ଫଳ ହେବାକୁ ୧୨ରୁ ୧୫ ବର୍ଷ ଲାଗିବ । ୧୦୦ରୁ ଅଧିକ ଫଳ ହେବ । ଏହି କିସମର ଆୟୁଷ ୬୦ରୁ ୭୦ ବର୍ଷ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7