Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଲୋନୀ ପୂର୍ବତନ ସଭାପତିଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କଲୋନୀ ପୂର୍ବତନ ସଭାପତିଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ମଞ୍ଚେଶ୍ୱର ଥାନା ଅଧୀନ ଗଡକଣ ଅଞ୍ଚଳର ଓମ୍ ସାଇ ବିହାର କଲୋନୀରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ରହସ୍ୟ ଉଦ୍ଘାଟନ କରିଛି ପୋଲିସ । ଏହି ଘଟଣାରେ କଲୋନୀର ପୂର୍ବତନ ସଭାପତି ସୁଶିଲ କୁମାର ସିଂହ (୫୪)ଙ୍କୁ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତ ନୀଳକଣ୍ଠ ମହାନ୍ତି ଓରଫ ମୁନ୍ନାଙ୍କୁ ପୋଲିସ ଗିରଫ କରି ଆଜି ଅଦାଲତକୁ ଚାଲାଣ କରିଛି ।

ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ, ଗତ ୨୦ ଜୁନ ସକାଳ ପ୍ରାୟ ୧୧ଟା ସମୟରେ ସୁଶିଲ କୁମାର ସିଂହ ନିଜ ହିରୋ ସୁପର ସ୍ପ୍‌ଲେଣ୍ଡର ମୋଟର ସାଇକେଲରେ ବଜାରରୁ ଘରକୁ ଫେରୁଥିଲେ । କମ୍ୟୁନିଟି ହଲ ଛକ ନିକଟରେ ନୀଳକଣ୍ଠ ମହାନ୍ତି ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ସୁଶିଲଙ୍କ ଛାତି, ପେଟ ଓ ବେକରେ ଗୁରୁତର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ କିମ୍ସ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ମୃତକ ସୁଶିଲ କୁମାର ସିଂହ ଅଭିଯୁକ୍ତ ନୀଳକଣ୍ଠ ମହାନ୍ତି ଓ ତାଙ୍କ ପତ୍ନୀ ରଶ୍ମିତା ମହାନ୍ତିଙ୍କ ବୈବାହିକ ଜୀବନରେ ବାରମ୍ବାର ହସ୍ତକ୍ଷେପ କରୁଥିଲେ । ତଦନ୍ତ ବେଳେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସୁଶିଲ ଓ ରଶ୍ମିତାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ନେଇ ଅଭିଯୁକ୍ତଙ୍କ ସନ୍ଦେହ ଥିଲା, ଯାହା ଉଭୟଙ୍କ ମଧ୍ୟରେ ବିବାଦର ମୁଖ୍ୟ କାରଣ ହୋଇଥିଲା ।

ପୂର୍ବରୁ ରଶ୍ମିତା ମହାନ୍ତିଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ନୀଳକଣ୍ଠ ଗିରଫ ହୋଇ ଜେଲ ଯାଇଥିଲେ । ଅଭିଯୁକ୍ତଙ୍କ ବିଶ୍ୱାସ ଥିଲା ଯେ ସେହି ମାମଲା ପଛରେ ସୁଶିଲ କୁମାର ସିଂହଙ୍କ ପ୍ରଭାବ ରହିଥିଲା । ଏହାକୁ ନେଇ ସେ ସୁଶିଲଙ୍କ ପ୍ରତି ଗଭୀର ଆକ୍ରୋଶ ଓ ପ୍ରତିଶୋଧ ଭାବନା ପୋଷଣ କରୁଥିଲେ ।

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ବିଭିନ୍ନ ବ୍ୟକ୍ତିଗତ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଏହି ଶତ୍ରୁତାରୁ ପ୍ରେରିତ ହୋଇ ନୀଳକଣ୍ଠ ସୁଶିଲଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ସେଥିପାଇଁ ଏକ ଛୁରୀ ସଂଗ୍ରହ କରିଥିଲେ ।

ଯୋଜନା ମୁତାବକ, ଘଟଣା ଦିନ ସକାଳେ ସେ କମ୍ୟୁନିଟି ହଲ ଛକ ନିକଟରେ ଛୁରୀ ଧରି ଅପେକ୍ଷା କରୁଥିଲେ । ସୁଶିଲ କୁମାର ସିଂହ କଲୋନୀ ମନ୍ଦିରରୁ ଫେରୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଅଟକାଇ ଲିଫ୍ଟ ମାଗିଥିଲେ । ସୁଶିଲ ତାଙ୍କୁ ବାଇକରେ ବସିବାକୁ କହିଥିଲେ । ମାତ୍ର ଅଭିଯୁକ୍ତ ବାଇକରେ ନ ବସି ପଛପଟୁ ଆସି ସୁଶିଲଙ୍କ କେଶ ଧରି ହଠାତ୍ ତାଙ୍କ ବେକକୁ ଛୁରୀରେ କାଟି ଦେଇଥିଲେ । ପରେ ସେ ଏକାଧିକ ଥର ଛୁରୀରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ନୀଳକଣ୍ଠ ମହାନ୍ତି ପୂର୍ବରୁ ଚାରିଟି ଭିନ୍ନ ଥାନା ମାମଲାରେ ସମ୍ପୃକ୍ତ ରହିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Pen