Dailyhunt
୮ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ, ୧୨ ଜିଲ୍ଲାକୁ ସତର୍କତା ଜାରି

୮ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ, ୧୨ ଜିଲ୍ଲାକୁ ସତର୍କତା ଜାରି

Reporters Today 1 week ago

ଭୁବନେଶ୍ୱର: ରାଜ୍ୟରେ ଏବେ ଖରା ଓ ବର୍ଷାର ଲୁଚକାଳି ଜାରି ରହିଛି। ଦିନ ସମୟରେ ଭୟଙ୍କର ତାପମାତ୍ରା ଅନୁଭୂତ ହେଉଥିବାବେଳେ, ସନ୍ଧ୍ୟା ଓ ରାତି ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ପାଣିପାଗ ବିଭାଗ ଆଗାମୀ କିଛି ଦିନ ପାଇଁ ଏହି ପରିସ୍ଥିତି ଜାରି ରହିବ ବୋଲି ଆକଳନ କରିଛି।

ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଓ ବଲାଙ୍ଗିର ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି।

ଏହାକୁ ନଜରରେ ରଖି ପାଣିପାଗ ବିଭାଗ ଏହି ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେଥିପାଇଁ ୩୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି।

ସେହିପରି କଳାହାଣ୍ଡି, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଆସନ୍ତାକାଲି ବଜ୍ରପାତ ସହ ହାଲୁକା ବର୍ଷା ଓ ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ଅଧିକ ସତର୍କତା ଜାରି ହୋଇଛି। ଏହାସହିତ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଗରମ ଓ ଆଦ୍ରତା ଅଧିକ ରହିବାକୁ ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ ଓ ୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି।

ଅନ୍ୟପଟେ, ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ୪୦ ଡିଗ୍ରୀ ସେଲସିଅସ ଉପରେ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡାରେ ସର୍ବାଧିକ ୪୦.୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିବାବେଳେ, କୋରାପୁଟର ନନ୍ଦପୁରରେ ୪୨ ମି.ମି. ବର୍ଷା ରେକର୍ଡ ହୋଇଛି। ବର୍ଷା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିପାରେ ବୋଲି ପୂର୍ବାନୁମାନ ରହିଛି, ଯାହା ଲୋକମାନଙ୍କୁ ତାତିରୁ କିଛି ରାହତ ଦେଇପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today