Dailyhunt
ଲୋକସଭାରେ ବଡ଼ ପରିବର୍ତ୍ତନ: ଆସନ ୮୧୬ କୁ ବଢ଼ିବ, ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ବିଲ୍

ଲୋକସଭାରେ ବଡ଼ ପରିବର୍ତ୍ତନ: ଆସନ ୮୧୬ କୁ ବଢ଼ିବ, ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ବିଲ୍

Reporters Today 2 weeks ago

ନୂଆଦିଲ୍ଲୀ: ଭାରତୀୟ ସଂସଦରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଲୋକସଭାର ଆସନ ସଂଖ୍ୟାକୁ ୫୪୩ରୁ ବଢ଼ାଇ ୮୧୬ କରିବା ସହ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଣିବାକୁ ଯାଉଛନ୍ତି।

ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇ କହିଛନ୍ତି ଯେ, ଏପ୍ରିଲ ୧୬ରୁ ୧୮ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ।

ଏହି ସମୟରେ ବିଲ୍‌ଟି ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ପ୍ରସ୍ତାବିତ ବିଲ୍ ଅନୁସାରେ, ଲୋକସଭାର ଆସନ ସଂଖ୍ୟା ୮୧୬ କୁ ବୃଦ୍ଧି ପାଇବ। ଏହାମଧ୍ୟରୁ ୨୭୩ଟି ଆସନ କେବଳ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ। ଏହା ସହ ସମସ୍ତ ରାଜ୍ୟରେ ଆନୁପାତିକ ଭାବେ ଆସନ ସଂଖ୍ୟା ବଢ଼ିବାକୁ ଯୋଜନା ରହିଛି।

ଉଦାହରଣ ସ୍ୱରୂପ, ଉତ୍ତର ପ୍ରଦେଶର ଲୋକସଭା ସିଟ୍ ୮୦ରୁ ବଢ଼ି ୧୨୦ ହେବା ସମ୍ଭାବନା ରହିଛି। ସେହିପରି ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଆସନ ସଂଖ୍ୟା ବୃଦ୍ଧି ହେବ। ଏହି ବିଲ୍ ପାସ୍ ହେଲେ ୨୦୨୯ ସାଧାରଣ ନିର୍ବାଚନରୁ ମହିଳା ସଂରକ୍ଷଣ ବ୍ୟବସ୍ଥା ପୂରାପୂରି ଲାଗୁ ହେବାକୁ ସମ୍ଭାବନା ରହିଛି। କେବଳ ଲୋକସଭା ନୁହେଁ, ରାଜ୍ୟ ବିଧାନସଭାଗୁଡ଼ିକରେ ମଧ୍ୟ ଏକ-ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରାଯିବ।

ସରକାର ଏହି ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତିକରଣକୁ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ବର୍ତ୍ତମାନର ସାଂସଦମାନଙ୍କ ସିଟ୍‌ରେ କୌଣସି ପ୍ରଭାବ ନପଡ଼ି ନୂଆ ଆସନ ସୃଷ୍ଟି କରି ମହିଳାଙ୍କୁ ସୁଯୋଗ ଦିଆଯିବ। ଯଦିଓ ବିରୋଧୀ ଦଳଗୁଡ଼ିକ କିଛି ଦିଗ ଉପରେ ପ୍ରଶ୍ନ ଉଠାଇଛନ୍ତି, ତଥାପି ଏହାକୁ ଦେଶର ରାଜନୈତିକ ଇତିହାସରେ ଏକ ବଡ଼ ସଂସ୍କାର ଭାବେ ଦେଖାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today