Pakistan: ଇରାନ ସମ୍ପର୍କିତ ଭୂରାଜନୈତିକ ତଣାପୋଡ଼ା ମଧ୍ୟରେ ପାକିସ୍ତାନରେ ତୈଳ ସଙ୍କଟ ଗଭୀର ହେଉଥିବା ଦେଖାଯାଇଛି। ତୈଳ ଅଭାବ ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି।
ଏହି ପରିସ୍ଥିତିକୁ ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ବଡ଼ ଘୋଷଣା କରିଛନ୍ତି।
ଇସଲାମାବାଦରେ ଆଗାମୀ ୩୦ ଦିନ ପାଇଁ ସମସ୍ତ ସାଧାରଣ ପରିବହନକୁ ମାଗଣା କରାଯାଇଛି, ଯାହାଦ୍ୱାରା ଲୋକମାନେ ନିଜସ୍ୱ ଯାନ ବ୍ୟବହାର କମ କରିପାରିବେ।
ସୂଚନା ଅନୁଯାୟୀ, ଇରାନ ଦ୍ୱାରା ହର୍ମୁଜ ପଣାଳୀରେ ନାକାବନ୍ଦୀ କରାଯାଇଥିବାରୁ ତେଲ ଟ୍ୟାଙ୍କରଗୁଡ଼ିକ ଅଟକି ପଡ଼ିଛି। ଫଳରେ ଆମଦାନି ଉପରେ ନିର୍ଭରଶୀଳ ପାକିସ୍ତାନରେ ତୈଳ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚୀନ ଓ ଭାରତ ଭଳି ଦେଶଗୁଡ଼ିକ ତାଙ୍କର ତୈଳ ଭଣ୍ଡାର ବୃଦ୍ଧି କରିଥିବା ବେଳେ, ପାକିସ୍ତାନରେ ଭଣ୍ଡାର ଅଭାବ ଦେଖାଯାଇଛି। ଏହାର ପ୍ରଭାବରେ ପେଟ୍ରୋଲ ଦର ପ୍ରତି ଲିଟର ୪୫୮ ଟଙ୍କା ଓ ଡିଜେଲ ଦର ୫୨୦ ଟଙ୍କାକୁ ପହଞ୍ଚିଛି। କିରୋସିନ ମୂଲ୍ୟ ମଧ୍ୟ ପ୍ରତି ଲିଟର ୪୫୭ ଟଙ୍କା ରହିଛି।
ଉଲ୍ଲେଖନୀୟ ଯେ, ଗତ ୨୮ ଦିନ ମଧ୍ୟରେ ପେଟ୍ରୋଲ ଦର ମୋଟ ୧୯୨ ଟଙ୍କା ଓ ଡିଜେଲ ଦର ୨୩୯ ଟଙ୍କା ବୃଦ୍ଧି ପାଇଛି। ଅର୍ଥନୈତିକ ବିଶ୍ଳେଷକ ଖୁରମ ଶହଜାଦଙ୍କ ମତରେ, ଗତ ମାସରେ ପେଟ୍ରୋଲ ବ୍ୟବହାର ୮ ପ୍ରତିଶତ ଓ ଡିଜେଲ ବ୍ୟବହାର ୧୩ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଏହି ସଙ୍କଟକୁ ଆହୁରି ଗଭୀର କରିଛି। ଇରାନ ସମ୍ପର୍କିତ ପରିସ୍ଥିତି ଆଗାମୀ ଦିନରେ କିପରି ଗଢ଼ିଉଠିବ, ତାହା ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ରହିଛି।

