Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

Reporters Today 1 week ago

ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ଭୁଲ ଏବଂ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଭୋଟର ତାଲିକାରେ ରହିଥିବା ତ୍ରୁଟି ଦୂର କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଏହି ସର୍ଭେ ପାଇଲଟ୍ ପ୍ରକଳ୍ପ ଭାବେ କରାଯିବ।

ଆସନ୍ତା ସେପ୍ଟେମ୍ବର ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ ଥିବା ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀର ତିନୋଟି ୱାର୍ଡରେ ଘରକୁ ଘର ସର୍ଭେ କରାଯିବ। ଏଥିରେ ଭୁବନେଶ୍ୱର-ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ୱାର୍ଡ ନମ୍ବର ୧୦, ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନମଣ୍ଡଳୀର ୱାର୍ଡ ନମ୍ବର ୩୫ ଏବଂ ଭୁବନେଶ୍ୱର-ଏକାମ୍ର ବିଧାନସଭା ନିର୍ବାଚନମଣ୍ଡଳୀର ୱାର୍ଡ ନମ୍ବର ୫୨ ସାମିଲ ରହିଛି।

ପାଇଲଟ୍ ସର୍ଭେ ପରେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରକୁ ଘର ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ରଗୁଡ଼ିକର ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସୁବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବର୍ତ୍ତମାନ ଅନେକ କ୍ଷେତ୍ରରେ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍‌ରେ ସାମିଲ ହୋଇଥିବା ବେଳେ ଅସ୍ପଷ୍ଟ ଘର ନମ୍ବର ଭଳି ସମସ୍ୟା ମଧ୍ୟ ରହିଛି। ଏହି ଜଟିଳତାର ସ୍ଥାୟୀ ସମାଧାନ କରିବା ହେଉଛି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ।

ବିଶେଷକରି ସହରାଞ୍ଚଳର ଅଧିକାଂଶ ବିଧାନସଭା ବୁଥ୍‌ର ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନଥିବାରୁ ଗୋଟିଏ ବୁଥ୍‌ରେ ୧୦ରୁ ୧୨ଟି ଭିନ୍ନ ଅଞ୍ଚଳର ଭୋଟର ସାମିଲ ହୋଇ ରହିଛନ୍ତି। ଏପରିକି ଗୋଟିଏ ୱାର୍ଡର ଭୋଟରଙ୍କୁ ଅନ୍ୟ ୱାର୍ଡରେ ଭୋଟ ଦେବାକୁ ପଡ଼ୁଥିବା ନଜିର ମଧ୍ୟ ରହିଛି। ଏହା ଯୋଗୁଁ ଅନେକ ଭୋଟର ମତଦାନ କେନ୍ଦ୍ରକୁ ଯିବାକୁ ଆଗ୍ରହ ପ୍ରକାଶ କରୁନଥିବା ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି।

ନୂତନ ସର୍ଭେ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ମତଦାନ କେନ୍ଦ୍ରରେ ଭୋଟ ଦେବାର ସୁବିଧା କରାଯିବ। ସେହିପରି ଗୋଟିଏ ୱାର୍ଡର ଭୋଟରଙ୍କ ନାମ ଯଦି ବିଭିନ୍ନ ୱାର୍ଡର ଭୋଟର ତାଲିକାରେ ରହିଥାଏ, ତେବେ ସର୍ଭେ ପରେ ସେମାନଙ୍କୁ ଗୋଟିଏ ୱାର୍ଡରେ ସାମିଲ କରାଯାଇପାରିବ। ଫଳରେ ଭୋଟରଙ୍କ ପାଇଁ ମତଦାନ ପ୍ରକ୍ରିୟା ଅଧିକ ସହଜ ହେବ।

ସହରାଞ୍ଚଳରେ କମ୍ ମତଦାନ ହାରର ଏକ ପ୍ରମୁଖ କାରଣ ଭାବେ ଏଭଳି ସମସ୍ୟାକୁ ବିଚାର କରାଯାଉଥିବାରୁ ନୂତନ ବ୍ୟବସ୍ଥା ମାଧ୍ୟମରେ ଏହାର ସୁଧାର ଆଣିବାକୁ ଲକ୍ଷ୍ୟ ରଖାଯାଇଛି।

ସର୍ଭେ କାର୍ଯ୍ୟରେ ନିୟୋଜିତ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲଓ) ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌କୁ ସାଧାରଣ ଲୋକେ ସଠିକ୍‌ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

ଏହି ଅଭିଯାନ ମାଧ୍ୟମରେ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ ଏବଂ ସୁବ୍ୟବସ୍ଥିତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିସନର ଶ୍ରୀ ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today