Dailyhunt
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା  ୧୧ ବର୍ଷ : ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୧ ବର୍ଷ : ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

sakalakhabar.com 3 days ago

୮ ଏପ୍ରିଲ୍‌ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ସଫଳତା ପୂର୍ବକ ୧୧ ବର୍ଷ ପୂରଣ କରିଛି। ଏହା ଭାରତର ତୃଣମୂଳସ୍ତରର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିଛି। ଆର୍ଥିକ ଉପଲବ୍ଧତାରେ ରହିଥିବା ଶୂନ୍ୟସ୍ଥାନ ଦୂର କରି ଏହି ଯୋଜନା ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ପ୍ରଦାନକୁ ଅଧିକ ବ୍ୟବସ୍ଥିତ ଓ ସୁବିଧାଜନକ କରିଛି।

ଫଳରେ କ୍ଷୁଦ୍ର ବ୍ୟବସାୟୀମାନେ ଅଣକର୍ପୋରେଟ୍‌ ଏବଂ ଅଣକୃତି କାର୍ଯ୍ୟକଳାପ ଲାଗି ସହଜରେ ଋଣ ପାଇପାରୁଛନ୍ତି ।

ଭାରତରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକ ଶିଳ୍ପ ଜଗତର ଆଧାର ରୂପେ କାର୍ଯ୍ୟ କରିଥା'ନ୍ତି। ସେମାନେ ପ୍ରମୁଖ କମ୍ପାନୀଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଦେଶରେ ସନ୍ତୁଳିତ ଆର୍ଥିକ ବିକାଶକୁ ଆଗେଇ ନେଇଥା'ନ୍ତି। ଏମଏସଏମଇ ଉଦ୍ୟୋଗୀଙ୍କ ପାଇଁ ପିଏମଏମୱାଇ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହା ପାଣ୍ଠିରୁ ବଞ୍ଚିତ ଉଦ୍ୟୋଗୀଙ୍କୁ ପାଣ୍ଠି ଯୋଗାଇ ଦେଇଛି। ପୂର୍ବରୁ ଏହି ଉଦ୍ୟୋଗୀମାନେ ପ୍ରାୟତଃ ଔପଚାରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦ୍ୱାରା ଅବହେଳାର ଶିକାର ହୋଇ ଆସୁଥିଲେ।

ଏହି ଯୋଜନାକୁ ୧୧ ବର୍ଷ ପୂରଣ ହେବା ଉପଲକ୍ଷେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ''ଗତ ଏକ ଦଶନ୍ଧି ମଧ୍ୟରେ, ଭାରତ ଏକ ନିରବ ପରିବର୍ତ୍ତନ ଦେଖିଛି ଯେଉଁଠାରେ କୋଟି କୋଟି ସାଧାରଣ ନାଗରିକ ନୂତନ ଆତ୍ମବିଶ୍ୱାସର ସହିତ ଉଦ୍ୟୋଗ ଆରମ୍ଭ କରିବା କ୍ଷେତ୍ରରେ ପାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମୁଦ୍ରା ଯୋଜନା ପାଣ୍ଠିରୁ ବଞ୍ଚିତ ଉଦ୍ୟୋଗୀଙ୍କୁ ପାଣ୍ଠି ଯୋଗାଣ ସୁନିଶ୍ଚିତ କରିଛି । ଦେଶରେ ଏମଏସଏମଇ ଓ ଅଗଣିତ ବ୍ୟକ୍ତିଗତ ଉଦ୍ୟୋଗୀମାନଙ୍କ ପାଇଁ ଋଣ ପରିଦୃଶ୍ୟକୁ ନୂଆ ରୂପ ଦେବାରେ ପିଏମଏମୱାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ଆହୁରି କହିଛନ୍ତି, ପିଏମଏମୱାଇ କୋଟି କୋଟି ଲୋକଙ୍କୁ ସଶକ୍ତ କରିବା ସହିତ ସମାବେଶୀ ବିକାଶର ଦୃଷ୍ଟିକୋଣକୁ ସାକାର କରୁଛି। ଏବେ ସୁଦ୍ଧା ୪୦.୦୭ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ୫୭.୭୯ କୋଟି ଋଣ ଯୋଗାଇ ଦିଆଯାଇଛି। ମହିଳା ଉଦ୍ୟୋଗୀଙ୍କୁ ଦୁଇ ତୃତୀୟାଂଶରୁ ଅଧିକ ଋଣ ମିଳିଛି। ଏକ ପଞ୍ଚମାଂଶ ଋଣ ପ୍ରଥମ ଥରର ଉଦ୍ୟୋଗୀ ପାଇଛନ୍ତି। ଅର୍ଥାତ୍‌ ନୂଆ ଉଦ୍ୟୋଗୀମାନଙ୍କୁ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ୧୨.୧୫ କୋଟି ଋଣ ଯୋଗାଇ ଦିଆଯାଇଛି।

ଏହି ଅବସରରେ, କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଲକ୍ଷ୍ୟ ସୂକ୍ଷ୍ମ-ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ମୁଦ୍ରା ଯୋଜନା କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ବ୍ୟାଙ୍କ, ଏନବିଏଫସି ଏବଂ ଏମଏଫଆଇ ଠାରୁ ଋଣ ସହାୟତା ପାଇବା ପାଇଁ ଏକ ମଞ୍ଚ ପ୍ରଦାନ କରେ । ଏହି ଯୋଜନାର ଶୁଭାରମ୍ଭ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସମର୍ଥନ କରିବା ହେଉଛି ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ। ଏହି ଯୋଜନା ବହୁ ସଂଖ୍ୟକ ଉଦ୍ୟୋଗୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିଛି। ସେମାନଙ୍କୁ ନିଜ ବ୍ୟବସାୟ ସ୍ଥାପନ ଓ ପରିଚାଳନା କରିବାରେ ସାହାଯ୍ୟ କରିଛି ଏବଂ ସେମାନଙ୍କ ମଧ୍ୟରେ ଆର୍ଥିକ ସୁରକ୍ଷାର ଭାବନା ସୃଷ୍ଟି କରିଛି। ଶ୍ରୀ ଚୌଧୁରୀ ଆହୁରି କହିଛନ୍ତି, ଏହି ଯୋଜନାରେ ୫୧% ହିତାଧିକାରୀ ଓବିସି ବର୍ଗର ହୋଇଥିବା ବେଳେ ୬୭% ମହିଳା ଅଛନ୍ତି। ତେଣୁ ଏହା ସମାଜର ବଞ୍ଚିତ ବର୍ଗକୁ ସହାୟତା କରିଛି।

ମୁଦ୍ରା ଯୋଜନାରେ ମୁଖ୍ୟତଃ ୪ଟି ବର୍ଗରେ ଋଣ ପ୍ରଦାନ କରାଯାଉଛି । ଶିଶୁ ବର୍ଗରେ ୫୦ ହଜାର ଟଙ୍କା, କିଶୋର ବର୍ଗରେ ୫୦ ହଜାରରୁ ୫ ଲକ୍ଷ ଟଙ୍କା, ତରୁଣ ବର୍ଗରେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା, ତରୁଣ ପ୍ଲସ୍‌ ବର୍ଗରେ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ଉତ୍ପାଦନ, ବ୍ୟବସାୟ ଓ ସେବା କ୍ଷେତ୍ରରେ ପୁଞ୍ଜି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଋଣ ପ୍ରଦାନ କରାଯାଉଥିବା ବେଳେ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଆଧାରରେ ନମନୀୟ ପରିଶୋଧ ସର୍ତ୍ତାବଳୀ ମଦ୍ୟ ରହିଛି ।

ମହିଳା ହିତାଧିକାରୀଙ୍କୁ ଶିଶୁ ବର୍ଗରେ ମୋଟ ୯.୦୨ ଲକ୍ଷ କୋଟି ଟଙ୍କା, କିଶୋର ବର୍ଗରେ ୬.୨୨ ଲକ୍ଷ କୋଟି ଟଙ୍କା ଏବଂ ତରୁଣ ବର୍ଗରେ ୧.୦୯ ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସଂଖ୍ୟାଲଘୁ ହିତାଧିକାରୀଙ୍କୁ ଶିଶୁ ଯୋଜନାରେ ୧.୩୩ ଲକ୍ଷ କୋଟି ଟଙ୍କା, କିଶୋର ଯୋଜନାରେ ୧.୫୪ ଲକ୍ଷ କୋଟି ଟଙ୍କା ଏବଂ ତରୁଣ ଯୋଜନାରେ ୬୨ ହଜାର କୋଟି ଟଙ୍କା ବଣ୍ଟନ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar