Wednesday, 05 Aug, 3.04 am sakalakhabar.com

ହୋମ୍
ପ୍ରଜ୍ଞାପୁରୁଷ ପଣ୍ଡିତ ନୀଳକଣ୍ଠ ଦାସ , ୧୩୬ତମ ଜୟନ୍ତୀ ଉପଲକ୍ଷେ ...

ହିମାଂଶୁ ଶେଖର ଆଚାର୍ଯ୍ୟ : ସତ୍ୟବାଦୀ ଯୁଗର ପଞ୍ଚସଖା ନିଜ ନିଜର ବ୍ୟକ୍ତିତ୍ୱ ବଳରେ ଯେଉଁ ପ୍ରତିଷ୍ଠା ଲାଭ କରିଥିଲେ ତାହା ଅବିସ୍ମରଣୀୟ ହୋଇ ରହିଛି । ସେମାନଙ୍କ ଉର୍ତ୍ସଗୀକୃତ ଜୀବନ, ସାଧନା ଓ ତ୍ୟାଗ ଜନ ମାନସରେ ଅମ୍ଳାନ ଜ୍ୟୋତି ଭାବେ ଲିପିବଦ୍ଧ ହୋଇ ରହିବ, ଏହା ନିଃସନେ୍ଦହ ।ଏହିପରି ଜଣେ ନୀତିନିଷ୍ଠ ଆ·ର୍ଯ୍ୟ, ସାମ୍ବାଦିକ, ସଂସ୍କାରକ, ସାହିତି୍ୟକ, ଗବେଷକ, ଆଦର୍ଶ ରାଜନୀତିଜ୍ଞ ଓ ସର୍ବୋପରି ଭଗବତ୍ ଗୀତାର ଭାଷ୍ୟକାର ଥିଲେ ପଣ୍ଡିତ ନୀଳକଣ୍ଠ ଦାସ । ଉଭୟ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସେ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ । ପଣ୍ଡିତ ଉପାଧି ପ୍ରକୃତରେ ତାଙ୍କୁୁ ହିଁ ଶୋଭା ପାଉଥିଲା । ଆଜୀବନ ପାଣ୍ଡିତ୍ୟର ଗାରିମା ରକ୍ଷା କରିଥିଲେ ସେ ।

ଏହି ଯୋଗଜନ୍ମା ସାଧକ ୧୮୮୪ ମସିହା ଅଗଷ୍ଟ ୫ ତାରିଖରେ ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ପିତା ଥିଲେ ଆନନ୍ଦ ଦାଶ ଓ ମାତା ହୀରା ଦେବୀ । ତାଙ୍କ ମେଧାଶକ୍ତି ଥିଲା ଅତୁଳନୀୟ । ପରିବାରର ଆର୍ଥିକ ଦୁଃସ୍ଥିତି ତାଙ୍କ ପ୍ରତିଭାର କଣ୍ଠରୋଧ କରିପାରିନଥିଲା । ଅସୀମ ମନୋବଳ ଓ କଠୋର ଅଧ୍ୟବସାୟ ଯୋଗୁଁ ସେ ଉନ୍ନତିର ଚରମ ସୋପାନରେ ପହଞ୍ଚି ପାରିଥିଲେ । ଘରେ ପରିବାରର ଆଦର୍ଶ, ଶିକ୍ଷାଗୁରୁ ଚନ୍ଦ୍ରମୋହନ ମହାରଣା,ବଙ୍ଗ ଭଙ୍ଗ ଆନେ୍ଦାଳନର ନେତା ଶଶୀଭୂଷଣ ଚୈାଧୁରୀ ,ଦେଶପା୍ରଣ ରାମଚନ୍ଦ୍ର ଦାଶଙ୍କ ପ୍ରଭାବ ଓ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରେରଣା ଏବଂ ସାହଚର୍ଯ୍ୟ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ଆଉ ତାପରର ଘଟଣା ଥିଲା ଏକ ସ୍ୱର୍ଣ୍ଣାଭ ଇତିହାସ । କଲେଜ ଶିକ୍ଷା ଶେଷ ପରେ ଦେଶ ଓ ଜାତିକୁ ଗଢିବା ନିମନ୍ତେ ସେ ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗଦାନ କରି ନିଜର କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ ।

ଅସାଧାରଣ ବିଦ୍ବତ୍ତାର ଅଧିକାରୀ ଥିଲେ ନୀଳକଣ୍ଠ । ଓଡ଼ିଶା ମାଟିରେ ଗୁଡିଏ ମଣିଷ ତିଆରି ହୋଇଯାଆନ୍ତୁ ଏହାହିଁ ଥିଲା ତାଙ୍କର ମୁଖ୍ୟ ଉଦେ୍ଦଶ୍ୟ । କଲିକତା ବଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ଏମ୍.ଏ ପାଶ୍ ପରେ ସେ ଚାହିଁଥିଲେ ଅନେକ ବଡ ଚାକିରୀ କରିପାରିଥାଆନ୍ତେ । ମାତ୍ର ଅତୀର ସଂକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ମାତ୍ର ତିରିଶ ଟଙ୍କା ବେତନରେ ସେ ୧୯୧୨ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଗୁରୁକୁଳ ଆଶ୍ରମର ସକଳ ସ୍ମାରକୀ ବହନ କରୁଥିବା ବନ ବିଦ୍ୟାଳୟର କାର୍ଯ୍ୟ ପ୍ରତିଭାତ ହୋଇଥିଲା ତାଙ୍କ ସ୍ୱକୀୟ ପ୍ରତିଭାରେ । ଜ୍ଞାନଦୀପ୍ତରେ ଭରା ଚକ୍ଷୁ ଦୁଇଟି ତାଙ୍କର ଓଜସ୍ୱିନୀ ପ୍ରତିଭାର ନିଚ୍ଛକ ପ୍ରତିଛବି ଥିଲା । ଏହି ବିଦ୍ୟାଳୟ ସୁପରିଚାଳନାରେ ତାଙ୍କ ସହିତ ସହଯୋଗ କରିଥିଲେ ଆ·ର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର,ପଣ୍ଡିତ କୃପାସିନ୍ଧୁ ମିଶ୍ର, ଲିଙ୍ଗରାଜ ମିଶ୍ରଙ୍କ ପରି ବିଦ୍ୱାନ ବ୍ୟକ୍ତିଗଣ । ଏମାନଙ୍କ ସମ୍ମିଳିତ କର୍ମନିଷ୍ଠା,ହାର୍ଦ୍ଦିକ ସହଯୋଗ ଓ ଏକନିଷ୍ଠ ସାଧନା ଫଳରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ଓ ପ୍ରସିଦ୍ଧି ଲାଭ କରିଥିଲା ।

ପଣ୍ଡିତ ନୀଳକଣ୍ଠ ଥିଲେ ଜଣେ ସଂସ୍କାରକ । ବାଲ୍ୟରୁ ସଂସ୍କାର ପ୍ରବୃତ୍ତି ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଥିଲା । ତେଣୁ ବ୍ୟକ୍ତି ଠାରୁ ନୀତିକୁ ସେ ବେଶୀ ଗୁରୁତ୍ୱ ଦେଉଥିଲେ ।ଥରେ ସେ ଯାହା ଚିନ୍ତା କରୁଥିଲେ ତାକୁ କାର୍ଯ୍ୟରେ ପରିଣତ କରି ଦେଖାଉଥିଲେ ।କୈାଣସି ପରିସ୍ଥିତିରେ ସେ ସେଥିରୁ ଓହରି ଯାଉନଥିଲେ । ସେତେବେଳେ ବ୍ରାହ୍ମଣ ସମାଜରେ ଦାଢି କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି ନୀଳକଣ୍ଠ ଓ ଗୋଦାବରୀଶ ଦାଢି କାଟି ନିଶ ରଖିଥିଲେ । ଯାହାକି ସେତେବେଳେ "ନିଶ ଆନେ୍ଦାଳନ" ନାମରେ ପରିଚିତ । ସେଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜ ଦ୍ୱାରା ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ମାତ୍ର ସେଥିପ୍ରତି ଭ୍ରୁକ୍ଷେପ ନଥିଲା ତାଙ୍କର । ପରେ ସେ ଦାଢି ରଖିଲେ । ବ୍ରାହ୍ମଣମାନଙ୍କର ଦୌରାତ୍ମ୍ୟକୁ ପ୍ରତିବାଦ କରିବାକୁ ଯାଇ ସେ "ମୋ ନିଶ" ଭଳିି ପ୍ରବନ୍ଧ ରଚନା କରି ଧର୍ମ ନାମରେ ବ୍ରାହ୍ମଣମାନଙ୍କର ତଥାକଥିତ ଆଚରଣକୁ ତୀବ୍ର ବିଦ୍ରୁପ କରିଥିଲେ । ଏପରିକି ନୀଳକଣ୍ଠ ଜାତି ଭେଦ ମାନୁ ନଥିଲେ । ବନବିଦ୍ୟାଳୟର ଛାତ୍ରାବାସରେ ସେ ଛାତ୍ରଛାତ୍ରୀଙ୍କ ମନରୁ ଭେଦଭାବର ପାଚେରୀକୁ ଭାଙ୍ଗି ଦେଇଥିଲେ । ଜଣେ ସଂସ୍କାରକ ଭାବେ ଏପରି ପ୍ରବୃତ୍ତିରୁ ନିବୃତ୍ତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରୁଥିଲେ ।
ନୀଳକଣ୍ଠଙ୍କର ସୃଜନଶୀଳତାର ଚଉହଦୀ ବେଶ୍ ପ୍ରସାରିତ ଥିଲା ।

ସେ ଥିଲେ ଜଣେ ଉଚ୍ଚକୋଟୀର ସାହିତ୍ୟ ଗବେଷକ ଓ ସମୀକ୍ଷକ । ଓଡ଼ିଆ ସମାଲୋଚନା ସାହିତ୍ୟ ମଧ୍ୟରେ ଲାବଣ୍ୟବତୀ କାବ୍ୟ, ଫକୀର ମୋହନ ଓ ଓଡ଼ିଆ ଉପନ୍ୟାସ ଇତ୍ୟାଦି ତାଙ୍କ ସାରସ୍ୱତ ପ୍ରତିଭାର ମୂଲ୍ୟାୟନ କରେ । ସବୁଠୁ ବଡକଥା ହେଲା ଶିଶୁ, ପଲ୍ଲୀ ଜନତା ଓ ବୁଦ୍ଧିଜୀବୀ ଏହିପରି ସବୁ ବର୍ଗର ଲୋକଙ୍କ ପାଇଁ ନୀଳକଣ୍ଠ ସାହିତ୍ୟ ରଚନା କରିଥିଲେ । ଜଣେ ଉଚ୍ଚ ମାନର ପ୍ରାବନ୍ଧିକ ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ।ସେ ଲେଖିଥିବା ପ୍ରବନ୍ଧ ଭିତରେ ମୋ ନିଶ, ନୀତି ଓ ପ୍ରକୃତି, ଇଂରାଜୀ ଶିକ୍ଷାର ମୋହ, ଯୈ÷ାବନର ପ୍ରଭାବ ଓ ପ୍ରତିଷ୍ଠା ଆଦି ଉଲ୍ଲେଖଯୋଗ୍ୟ । ସବୁଠୁ ଉଦ୍ଧ୍ୱର୍ରେ ଥିଲା ତାଙ୍କର ସ୍ୱଦେଶ ଭାବନା ଓ ଚିନ୍ତା । "ସଂସ୍କୃତ ଓ ସଂସ୍କୃତି" ଗ୍ରନ୍ଥ ପଢିଲେ ତାଙ୍କ ଅଗାଧ ପାଣ୍ଡିତ୍ୟର ପ୍ରମାଣ ମିଳେ, ଏଥିରେ ଦ୍ୱିରୁକ୍ତି ନାହିଁ । ଖାଲି ସେତିକି ନୁହେଁ, ନୀଳକଣ୍ଠଙ୍କର "ମୋ ରଜା" କବିତା ଏବେ ମଧ୍ୟ ଆବାଳ ବୃଦ୍ଧବନିତାଙ୍କୁ ଆମୋଦିତ କରେ । ସେହିପରି ଗୀତା ଭଳି ପବିତ୍ର ଗ୍ରନ୍ଥର ସୁନାମଧନ୍ୟ ଭାଷ୍ୟକାର ରୂପେ ସେ ପ୍ରତିଷ୍ଠା ଅର୍ଜନ କରିପାରିଥିଲେ ।

ଜଣେ ସଚ୍ଚା ସ୍ୱାଧୀନତା ସଂଗ୍ରାମୀ ଭାବେ ନୀଳକଣ୍ଠଙ୍କର ନିଆରା ପରିଚୟ ଥିଲା । ସେହିପରି ଦୀର୍ଘଦିନ ଧରି ଓଡ଼ିଶା ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ଅସହଯୋଗ ଆନେ୍ଦାଳନ ଓ ଲବଣ ସତ୍ୟାଗ୍ରହ ସମୟରେ ସେ ଦେଶ ପାଇଁ କାରାବରଣ କରିଥିଲେ । ନୀଳକଣ୍ଠ ବହୁଦିନ ଯାଏ ଓଡ଼ିଶା କଂଗ୍ରେସର ମୁଖ୍ୟ ପୁରୋଧା ଥିଲେ । ଏପରିକି ୧୯୩୮ ମସିହାରେ ସେ ଉକ୍ରଳ କଂଗ୍ରେସ କମିଟିର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ବହୁବାର ସେ କେନ୍ଦ୍ର ଆସେମ୍ବ୍ଲିର ସଭ୍ୟ ଥିଲେ । ୧୯୨୭ ମସିହା ଫେବୃଆରୀ ୮ ତାରିଖରେ କେନ୍ଦ୍ର ଆସେମ୍ବ୍ଲିରେ ଓଡ଼ିଆ ଭାଷା ଅଞ୍ଚଳଗୁଡିକର ଏକତ୍ରୀକରଣ ପାଇଁ ପ୍ରସ୍ତାବ ରଖିଥିଲେ ।

୧୯୫୭ ମସିହାରେ ପଣ୍ଡିତ ନୀଳକଣ୍ଠ କଂଗ୍ରେସ ପ୍ରାର୍ଥୀ ଭାବେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ଅପ୍ରତିଦ୍ୱନ୍ଦୀ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ ଓଡ଼ିଶା ବିଧାନସଭାରେ ବାଚସ୍ପତି ପଦ ଗ୍ରହଣ କରିଥିଲେ । ସେ ଉକ୍ରଳ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପଦ ଅଳଙ୍କୃତ କରି ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଥିଲେ । ପତ୍ରିକା ସମ୍ପାଦନାରେ ତାଙ୍କର ଦକ୍ଷତା ଅତୁଳନୀୟ ଥିଲା । ଗୋପବନ୍ଧୁଙ୍କ ମୃତୁ୍ୟ ପରେ ପଣ୍ଡିତ ନୀଳକଣ୍ଠ 'ସମାଜ' ସମ୍ପାଦନା ଦାୟିତ୍ୱ ନେଇଥିଲେ । 'ସମାଜ' ସହିତ ସେ 'ନବଭାରତ' ପତ୍ରିକାର ସମ୍ପାଦନା କରିଥିଲେ ଯାହାକୁ ପରବର୍ତ୍ତୀ କାଳରେ 'ସମାଜ' ଅନୁଷ୍ଠାନକୁ ଦାନ କରିଥିଲେ ।

ଅନେକ ପୁରସ୍କାର ଓ ସମ୍ମାନ ଆପେ ଆପେ ଆସିଛି ତାଙ୍କ ପାଖକୁ । ଉକ୍ରଳ ବିଶ୍ୱବିଦ୍ୟାଳୟ ତରଫରୁ ପଣ୍ଡିତ ନୀଳକଣ୍ଠଙ୍କୁ ଡି.ଲିଟ୍ ଉପାଧି ପ୍ରଦାନ କରାଯାଇଥିଲା । ୧୯୫୧ ମସିହାରେ ନୀଳକଣ୍ଠଙ୍କୁ 'ଉକ୍ରଳଗୁରୁ' ଉପାଧିରେ ଭୂଷିତ କରାଯାଇଥିଲା । ୧୯୫୮ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରିଥିଲେ । ୧୯୬୩ ମସିହାରେ 'ଆତ୍ମଜୀବନୀ' ନିମନ୍ତେ ତାଙ୍କୁ ଭାରତୀୟ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏତେସବୁ ସମ୍ମାନର ଅଧିକାରୀ ହୋଇ ମଧ୍ୟ ଗର୍ବ ଓ ଅହଙ୍କାର ତାଙ୍କୁ ସ୍ପର୍ଶ କରିନଥିଲା । ବାସ୍ତବିକ୍ ସେ ଥିଲେ ଏକ ଫଳନ୍ତି ଜ୍ଞାନବୃକ୍ଷ ଯିଏକି ଜ୍ଞାନ ଭାରରେ ନଇଁ ପଡୁଥିଲେ ।

ଉକ୍ରଳମାତାର ଏହି ପ୍ରତିଭାଦୀପ୍ତ ମଣିଷ ଆଜି ଆମ ଗହଣରେ ନାହାଁନ୍ତି । ୧୯୬୭ ମସିହା ନଭେମ୍ବର ୬ ତାରିଖରେ ତାଙ୍କ ଜୀବନଦୀପ ନିର୍ବାପିତ ହୋଇଯାଇଛି । ହେଲେ ତାଙ୍କ ଚିନ୍ତା,ଚେତନା ଓ ଆଦର୍ଶ ଇତିହାସର ପାଣ୍ଡୁଲିପି ହୋଇ ରହିଛି । ସେ ପାଣ୍ଡୁଲିପିକୁ ପଢି ତାର ସାରମର୍ମକୁ ବୁଝିବାର ଅଛି । ସେ ଦାୟିତ୍ୱ ଆମ ସମସ୍ତଙ୍କର ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top