Thursday, 03 Dec, 6.31 am sakalakhabar.com

ହୋମ୍
ସ୍ୱାଧୀନତାର ପୃଷ୍ଠାରେ ମା ରମାଦେବୀ

ସୁଭେନ୍ଦ୍ର ପଟ୍ଟନାୟକ (ଭୁବନେଶ୍ୱର) : ସ୍ୱାଧୀନତାର ସ୍ୱାଦ ଅତି ମିଠା ଅଟେ l ପସୁ-ପକ୍ଷୀ ,ଗଛ-ଲତା ,ପାଣି-ପବନ ଓ ମନୁଷ୍ୟ ସମସ୍ତଙ୍କର ସ୍ଵାଧୀନତ ଆବଶ୍ୟକ l ଏହି ସ୍ୱଦକୁ ଆଜି ପ୍ରାୟ ମଣିଷ ସମାଜ ଚାଖି ସରିଛି l ଏହି ସ୍ୱଦକୁ ଅନୁଭବ କରିବା ପାଇଁ ଆମର ପୂର୍ବ ପୁରୁଷ ଓ ମହାପୁରୁଷ ମାନେ ଏହି ପବିତ୍ର ଉତ୍କଳ ଭୂମିର ନିଜର ସାରା ଜୀବନ ଲଗାଇ ଦେଇଛନ୍ତି l ଆମର ପୁଣ୍ୟ ଭୂମି ଉତ୍କଳ ପୂର୍ବରୁ ଅନ୍ୟ ରାଜ୍ୟ ଭଳି ଇଂରେଜ ଶାସନର ଅଧୀନ ଥିଲା l ଆମର ସେହି ମହା ପୁରୁଷ ମାନେ ଆମକୁ ସ୍ଵାଧୀନତା ଦେବାପାଇଁ ତାଙ୍କର ସାରା ଜୀବନ ଲଗାଇ ଦେଇଛନ୍ତି l ସେମାନଙ୍କ ମଧ୍ୟରୁ ଜଣେ ହେଲେ ଚିର ସ୍ମରଣୀୟା ଓ ବନ୍ଦନୀୟା " ମା ରମା ଦେବୀ " l ୧୮୯୯ ମସିହା ଡିସେମ୍ବର ୩ ତାରିଖ ଦିନ କଟକ ଜିଲ୍ଲା ସ୍ଥିତ ସତ୍ୟଭାମା ପୁରରେ ଗୋପାଳ ବଲ୍ଲଭ ଦାସ ଓ ବସନ୍ତ କୁମାରୀ ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ଉତ୍କଳ ଭୂମିର ମହାନ ନାରୀ ମା ରମାଦେବୀ l

ସେ ଥିଲେ ଦୁଃଖୀ ମାନଙ୍କର ସାଥି ଓ ଗରିବ ମାନଙ୍କର ଦୁଃଖ ହରିଣୀ l ପିଲା ବେଳରୁ ସେ କାହାର ଦୁଃଖ ଦୁର୍ଦଶା ଦେଖିଲେ ତାଙ୍କ ହୃଦୟ କାନ୍ଦି ଉଠୁଥିଲା l ସେ କେବେବି କାହା ଆଖିରେ ଲୁହ ଦେବାକୁ ଚାହୁଁ ନଥିଲେ l ମାତ୍ର ୧୫ ବର୍ଷ ବୟସରେ ବିବାହ କରିଥିଲେ ସେହି ସମୟର ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ l ଗୋପବନ୍ଧୁ ଚୌଧୁରୀ ଥରେ ତାଙ୍କୁ କଥା ଛଳରେ ପଚାରିଥିଲେ ତମ ଜୀବନର ଲକ୍ଷ କଣ ? ସେ କହିଥିଲେ ପର ଉପକାର l ପିଲାଟି ବେଳରୁ ସେ ତାଙ୍କ କକା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଖୁବ ଅନୁପ୍ରାଣିତ ହୋଇଥିଲେ l ଏହା ପରେ ରମା ଦେବୀଙ୍କ ଜୀବନର ସମସ୍ତ ଅବସ୍ଥା ବଦଳି ଯାଇଥିଲା ,ସୁଖ ଦୁଃଖ ,ପ୍ରଶଂସା ,ନିନ୍ଦା ,ଶାନ୍ତି ସଂଘର୍ଷ ,ତ୍ୟାଗ ଓ ତପସ୍ୟାକୁ ନେଇ ତାଙ୍କ ଜୀବନ ଆଗକୁ ଆଗେଇ ଚାଲିଥିଲା l

ସେ ନିଜର ଜୀବନକୁ ମଣିଷ ସମାଜ ପାଇଁ ଉତ୍ସର୍ଗକୃତ କରିଥିଲେ l ତାପରେ ସେ ଆଗେଇ ଯାଇଥିଲେ କର୍ମ ପଥରେ ଓ ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନକୁ ଜଳାଞ୍ଜଳି ଦେଇଥିଲେ l ସେତେବେଳେ ନାରୀ ଶିକ୍ଷା ପ୍ରତି ଅଟେ ଗୁରୁତ୍ୱ ଦିଆଯାଉ ନଥିଲା l ତେଣୁ ରମାଦେବୀ ପିଲାଟି ବେଳରୁ ଉପଯୁକ୍ତ ଶିକ୍ଷା ପାଇପାରି ନଥିଲେ l ୧୯୨୧ ରେ ମହାତ୍ମା ଗାନ୍ଧୀ ଓ କସ୍ତୁରବା ଓଡିଶା ଆସିବା ସମୟରେ ସେ କଟକ ରେ ତାଙ୍କ ସହ ଦେଖା କରିଥିଲେ ଓ ତାଙ୍କୁ ହାତ ତିଆରି ସୁତାର କିଛି କପଡା ମଧ୍ୟ ଦେଇଥିଲେ l ଏହି ସାକ୍ଷାତ ତାଙ୍କ ଜୀବନକୁ ସମ୍ପୂର୍ଣ ବଦଳାଇ ଦେଇଥିଲା l ଏହାପରେ ତାଙ୍କ ସହିତ ଗୋପବନ୍ଧୁ ଚୌଧୁରୀ ମଧ୍ୟ ନିଜର ହାକିମ ଚାକିରୀ ଛାଡି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ l

ରମାଦେବୀ ଏହା ପରେ ଗାଁ ଗାଁ ବୁଲି ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଇ ଥିଲେ l ମା ରମାଦେବୀ ଜୟ ପ୍ରକାଶ ନାରାୟଣ ,ବିନୋଭା ଭାବେ ଙ୍କ ଦ୍ୱାରା ମଧ୍ୟ ଅନୁପ୍ରାଣିତ ଥିଲେ , ସେଥିପାଇଁ ସେ ଓଡିଶା ମାଟିର ଶହ ଶହ ଲୋକଙ୍କ ଦୁଃଖ ବୁଝି ପାରିଥିଲେ l ୧୯୨୧ ରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ l ଏହାପରେ ୧୯୩୦ ରେ ଲବଣ ସତ୍ୟାଗ୍ରହ ସମୟରେ ଓଡ଼ିଶାର ନେତୃତ୍ୱ ନେଇ ଶହ ଶହ ସ୍ୱାଧୀନତା କର୍ମୀଙ୍କ ସହ ବାଲେଶ୍ୱର ର ଇଂଚୁଡି ଠାରେ ସତ୍ୟାଗ୍ରହ କରିଥିଲେ l ମା ରମାଦେବୀ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ସ୍ୱାଧିନତାରେ ଝାସ ଦେବାପାଇଁ ଅନୁପ୍ରାଣିତ କରିପାରିଥିଲେ l

୧୯୩୨ ରେ ମହାତ୍ମା ଗାନ୍ଧୀଙ୍କ ପାଖରୁ ପ୍ରୋତ୍ସାହନ ପାଇଁ ଆସ୍ପୃହ୍ୟ ନିବାରଣ ସମିତି ଗଠନ କରି ହରିଜନ ମାନଙ୍କ ପାଇଁ କାମ କରିବାକୁ ଆଗେଇଥିଲେ l ଯେତେବେଳେ ମହାତ୍ମା ଗାନ୍ଧୀ ୧୯୩୪ ରେ ପୁରୀ ଠାରେ ବର୍ଣ ବୈସମ୍ୟକୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ସେତେବେଳେ ରମାଦେବୀ ଗାଁ ଗାଁ ବୁଲି ଲୋକମାନଙ୍କ ମନରେ ବର୍ଣ ବୈସମ୍ୟକୁ ନେଇ ସଜାଗ କରାଇ ଥିଲେ l ଯେତେବେଳେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ସେହି ସମୟରେ ଅନେକ ଥର ଜେଲ ମଧ୍ୟ ଯାଇଛନ୍ତି l ଜେଲ ରେ ଥିବା ସମାୟେରେ ତାଙ୍କର ମାଳତୀ ଚୌଧୁରୀ ଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା l ୧୯୪୨ ରେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇ ତାଙ୍କର ସମସ୍ତ ପରିବାର ସଦସ୍ୟଙ୍କ ସହିତ ଗିରଫ ହୋଇଥିଲେ l ଏହାପରେ ତାଙ୍କୁ କସ୍ତୁରବାଙ୍କ ମୃତ୍ୟ ପରେ ମହାତ୍ମା ଗାନ୍ଧୀ ତାଙ୍କୁ ଓଡ଼ିଶାରେ ଥିବା କସ୍ତୁରବା ଟ୍ରଷ୍ଟର ପ୍ରତିନିଧିତ୍ବ ଦାଇତ୍ୱ ଦେଇଥିଲେ l

୧୯୪୭ ରେ ଦେଶ ସ୍ୱାଧୀନ ହେବାପରେ ମା ରମାଦେବୀ ୧୯୫୨ ରେ ବିନୋଭା ଭାବେଙ୍କ ସହିତ ଭୁଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ l ଗୋପବନ୍ଧୁ ଚୌଧୁରୀଙ୍କ ସହ ଏକାକୀ ଖାଲି ପାଦରେ ବୁଲି ଭୁଦାନ ଆନ୍ଦୋଳନ ବିଷୟରେ ଲୋକ ମାନଙ୍କ ପାଖରେ ପହଞ୍ଚି ଥିଲେ l ଯେତେବେଳେ ଭାରତ ଚୀନ ଯୁଦ୍ଧ ୧୯୬୨ ରେ ହୋଇଥିଲା ସେତେବେଳେ ଏହି ଵୀରାଂଗନା ଭାରତୀୟ ସୈନ୍ୟଙ୍କ ଅସ୍ତ୍ର ଶସ୍ତ୍ର ପାଇଁ ଘରଘର ବୁଲି ପଇସାର ପ୍ରବନ୍ଧ କରିଥିଲେ l ମା ରମାଦେବୀ ଜଣେ ଗାନ୍ଧିବାଦୀ ନାରୀ ଥିଲେ l ଯିଏ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ମଣିଷ ସମାଜ ଓ ଦେଶପାଇଁ l ଜୁଲାଇ ୨୨ ତାରିଖ ଦିନ ୧୯୮୫ ରେ ଏହି ପୃଥିବୀ ପୃଷ୍ଠରୁ ବିଦାୟ ନେଇଥିଲେ ସେହି ପୁଣ୍ୟାତ୍ମା ମା ରମାଦେବୀ l ତାଙ୍କର ମୃତ୍ୟୁ ପରେ ମଧ୍ୟ ସେ ନିଜର ଜୀବନକୁ ମାନବ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ କରିଦେଇଗଲେ , ଯାହା ଆଜିବି ଦେଖିବାକୁ ମିଳୁଛି କଟକରେ ଥିବା ଶିଶୁଭବନ ଓ ହରିହର କର୍କଟ ଗବେଷଣା କେନ୍ଦ୍ର l ମା ରମାଦେବୀ ଙ୍କୁ ଆମର ଆମର କୋଟି କୋଟି ପ୍ରଣାମ l

.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sakala Khabar
Top