ପିଠି ଯନ୍ତ୍ରଣା ଏକ ଅତ୍ୟନ୍ତ ସାଧାରଣ ସମସ୍ୟା, ଯାହାକୁ ଅଧିକାଂଶ ଲୋକ କ୍ଲାନ୍ତି,କିମ୍ବା ବୟସ ବୃଦ୍ଧିର କାରଣ ବୋଲି ଭାବିଥାନ୍ତି। ମାତ୍ର ଏହି ପୀଡ଼ା ଯଦି ବାରମ୍ବାର ହୁଏ ଏବଂ କେତେକ ମାସ ଧରି ରହେ, ତେବେ ଏହା 'ଆଙ୍କିଲୋସିଂ ସ୍ପୋଣ୍ଡିଲାଇଟିସ୍'ବା ଏଏସ ହୋଇପାରେ। ଏହା ଏକ ଦୀର୍ଘକାଳୀନ ପ୍ରଦାହଜନିତ ଆର୍ଥ୍ରାଇଟିସ୍ ରୋଗ , ଯାହା ମୁଖ୍ୟତଃ ମେରୁଦଣ୍ଡ ଏବଂ ପେଲଭିସ୍ ସହ ଯୋଡ଼ିହୋଇଥିବା ସାକ୍ରୋଇଲିଆକ୍ ଗଣ୍ଠିକୁ ପ୍ରଭାବିତ କରି ଯନ୍ତ୍ରଣା ଓ ସମସ୍ୟା ସୃଷ୍ଟି କରିଥାଏ । ଏକ ସର୍ଭେ ଅନୁସାରେ ଭାରତରେ ପ୍ରାୟ ୧୬.୫ ଲକ୍ଷ ଏଏସ ରୋଗୀ ଅଛନ୍ତି ଏବଂ ଏହି ସଂଖ୍ୟା ବାର୍ଷିକ ୨.୯୫% ହାରରେ ବୃଦ୍ଧି ପାଉଥିବା ବେଳେ ସଚେତନତାର ଅଭାବରୁ ଅନେକ ରୋଗୀ ସଠିକ୍ ସମୟରେ ଚିହ୍ନଟ ହୋଇପାରୁନାହାନ୍ତି । ଡାକ୍ତରଙ୍କ ଅନୁଯାୟୀ , ରୋଗ ପ୍ରତିରୋଧକ ଶକ୍ତି ନିଜ ଶରୀରର ଗଣ୍ଠି ଓ ମେରୁଦଣ୍ଡ ଉପରେ ଆକ୍ରମଣ କରିବା ଦ୍ୱାରା ଏହି ରୋଗ ହୋଇଥାଏ ।
ନିମ୍ନ ପିଠି ଓ ଅଣ୍ଟାରେ କ୍ରମାଗତ ବିନ୍ଧା, ଶୋଇବା କିମ୍ବା ବସିବା ପରେ ଅଧିକ କଷ୍ଟ ହେବା ଏହାର ମୁଖ୍ୟ ଲକ୍ଷଣ ହୋଇଥିବା ବେଳେ ସାଧାରଣ ପିଠି ବିନ୍ଧାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ସାଧାରଣତଃ ୨୦ ରୁ ୩୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହେଉଥିବା ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ମେରୁଦଣ୍ଡର ହାଡ଼ଗୁଡ଼ିକ ଯୋଡ଼ିହୋଇ ଯିବା, ଗଣ୍ଠି ଓ ଆଖିରେ ପ୍ରଦାହ (ୟୁଭେଆଇଟିସ୍), ଶ୍ୱାସକ୍ରିୟାରେ କଷ୍ଟ, ମେରୁଦଣ୍ଡ ଭାଙ୍ଗିବା, ହୃଦ୍ରୋଗ ଏବଂ ଫୁସଫୁସ ଆଦିରେ ଗୁରୁତର ଜଟିଳତା ଦେଖାଦେଇପାରେ। ତେଣୁ ଲକ୍ଷଣ ଦେଖିବାମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

