ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନେ କିଛି ଭାରି କାମ କରିବାକୁ ବି ଡରିଥାଆନ୍ତି, ହେଲେ ଜଣେ ମହିଳା ଗର୍ଭାବସ୍ଥାରେ ମାରାଥନ ଦୌଡି ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁସାରେ ନ୍ୟୁୟର୍କର ୩୮ ବର୍ଷୀୟା ମହିଳା ଡେଇର୍ଡ୍ରେ କିନ୍ ଗର୍ଭାବସ୍ଥାର ୩୪ତମ ସପ୍ତାହରେ ନ୍ୟୁୟର୍କ ସିଟି ମାରାଥନ ଦୌଡିଛନ୍ତି । ଏହାସହ ଚଳିତ ବର୍ଷ ଗର୍ଭବତୀ ଥାଇ ମୋଟ ୭ଟି ମାରାଥନ ଦୌଡ଼ି ସମସ୍ତ 'ୱାର୍ଲ୍ଡ ମାରାଥନ ମେଜର୍ସ' ରେସ୍ ପୂରଣ କରିଛନ୍ତି ।
ପେସାରେ ମହିଳା ଜଣଙ୍କ ଜଣେ ନର୍ସିଂ ଅଫିସର ବୋଲି ଜଣାପଡିଛି । ତେବେ ନିଜ ବକେଟ୍ ଲିଷ୍ଟ୍ରେ ଥିବା ଇଚ୍ଛାଗୁଡ଼ିକୁ ପୂରଣ କରିବା ପାଇଁ ସେ ୭ଟି ୱାର୍ଲ୍ଡ ମାରାଥନ ମେଜର୍ସ, ୧ଟି ଆୟର୍ଲାଣ୍ଡ ଟ୍ରେଲ୍ ମାରାଥନ, ୨ଟି ଅଲ୍ଟ୍ରା-ମାରାଥନ ଏବଂ ୧ଟି ଆଇରନ୍ମ୍ୟାନ୍ ସହ ମୋଟ ୧୧ଟି ରେସ୍ ପାଇଁ ପଞ୍ଜୀକରଣ କରିଥିଲେ । ଗର୍ଭାବସ୍ଥାର ୨୫ତମ ସପ୍ତାହରେ ଅଗଷ୍ଟ ମାସରେ ସିଡନୀ ମାରାଥନ, ୨୯ତମ ସପ୍ତାହରେ ବର୍ଲିନ ମାରାଥନ ଏବଂ ୩୧ତମ ସପ୍ତାହରେ ଚିକାଗୋ ମାରାଥନ ସେ ସମ୍ପୂର୍ଣ୍ଣ କରିଛନ୍ତି । କିନ୍ ୧୯୮୦ ଓ ୧୯୯୦ ଦଶକରେ ମାରାଥନ ଦୌଡ଼ୁଥିବା ତାଙ୍କ ପିତା ଜନ୍ଙ୍କଠାରୁ ଏହି ଦୌଡ଼ ପାଇଁ ଅନୁପ୍ରାଣିତ ହୋଇଥିଲେ ।

