Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ସ୍ୱାଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ସମୟ Live 3 weeks ago

ଭୁବନେଶ୍ୱର : ଶ୍ରାବଣର ପ୍ରଥମ ସୋମବାରରେ ଅପୂଜା ରହିଥିଲେ ମହାପ୍ରଭୁ ଲିଙ୍ଗରାଜ । ବିନା ପୂଜାରେ ଜଳଲାଗି କରି ନିରାଶ ମନରେ ଫେରିଥିଲେ କାଉଡିଆ । ଶ୍ରାବଣ ପାଉଣା ବଣ୍ଟାକୁ କେନ୍ଦ୍ର କରି ବ୍ରାହ୍ମଣ, ପୂଜାପଣ୍ଡା ଓ ବଡୁ ସେବାୟତଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ଗତକାଲି ସନ୍ଧ୍ୟାରୁ ମନ୍ଦିରର ନୀତିକାନ୍ତି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।

ଅଚଳାବସ୍ଥା ଶେଷରେ ଦୂର ହୋଇଛି ।

ତେବେ ପ୍ରଶାସନର ତତ୍ପରତା ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ସହ ପୂଜାପଣ୍ଡା ନିଯୋଗ, ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗର ସଭାପତି ଏବଂ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ନୀତିକାନ୍ତିରେ ଦେଖାଦେଇଥିବା ବିଭ୍ରାଟ ଏବଂ ଭକ୍ତଙ୍କ ସମସ୍ୟାକୁ ନେଇ ବିସ୍ତୃତ ଆଲୋଚନା ପରେ ସମସ୍ତ ପକ୍ଷ ମତଭେଦ ଭୁଲି ପୂର୍ବଭଳି ନୀତିକାନ୍ତି ଚଳାଇବାକୁ ସହମତ ହୋଇଛନ୍ତି ।

ସୂଚନା ଅନୁସାରେ, ଶ୍ରାବଣ ସୋମବାରରେ ମନ୍ଦିରକୁ ଆସୁଥିବା ଦାନ ଏବଂ ବିଭିନ୍ନ ପୂଜାନୀତିରୁ ମିଳୁଥିବା ପାଉଣା ଟଙ୍କାର ଭାଗବଣ୍ଟାକୁ ନେଇ ସେବାୟତଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା । ଏହାର ପ୍ରଭାବରେ ଅବକାଶ ନୀତି, ସକାଳ ଧୂପ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ବନ୍ଦ ରହିଥିଲା । ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଭକ୍ତ ବାବାଙ୍କ ପୂଜା କରିପାରିନଥିବାରୁ ମନ୍ଦିର ପରିସରରେ ଅସନ୍ତୋଷ ଦେଖାଦେଇଥିଲା।

ବୈଠକ ପରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ସମସ୍ତ ନିଯୋଗର ମତାମତକୁ ଗୁରୁତ୍ୱ ଦିଆଯାଇଛି ଏବଂ ଭକ୍ତଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ନୀତିକାନ୍ତି ସ୍ୱାଭାବିକ କରାଯାଇଛି। ଆଗାମୀ ଚାରି ଦିନ ମଧ୍ୟରେ ମନ୍ଦିର ଟ୍ରଷ୍ଟର ବୈଠକ ଡକାଯିବ। ସେଥିରେ ପାଉଣା ବଣ୍ଟା ସମେତ ସମସ୍ତ ବିବାଦୀୟ ପ୍ରସଙ୍ଗର ସ୍ଥାୟୀ ସମାଧାନ କରାଯିବ ବୋଲି ସୂଚନା ମିଳିଛି । ଏବେ ବାବା ଲିଙ୍ଗରାଜଙ୍କ ନୀତିକାନ୍ତି, ଦର୍ଶନ ଓ ପୂଜାର୍ଚ୍ଚନା ସୁରୁଖୁରୁରେ ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ଆଶ୍ୱସ୍ତ ହୋଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live