Sunday, 30 Jul, 8.46 am ସମ୍ବାଦ

ମନୋରଞ୍ଜନ
ଆଠବର୍ଷ ହେବ ସଞ୍ଜୟଙ୍କ ସହ କାମ କରିନାହାନ୍ତି ଅର୍ଚ୍ଚିତା!

ଭୁବନେଶ୍ୱର : ଓଲିଉଡର ଟପ୍ ହିରୋଇନ୍ ଅର୍ଚ୍ଚିତା ଯେଉଁ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶିତ ସିନେମାରୁ କ୍ୟାରିଅର ଆରମ୍ଭ କରିଥିଲେ, ତାଙ୍କ ସହ ହିଁ ସର୍ବାଧିକ ଓଡ଼ିଆ ଛବିରେ କାମ କରିଛନ୍ତି। ୨୦୦୫ରେ ମୁକ୍ତିଲାଭ କରିଥିବା 'ଓ ମାଇଁ ଲଭ' ହେଉଛି ଅର୍ଚ୍ଚିତାଙ୍କ ଅଭିନୀତ ପ୍ରଥମ ସିନେମା, ଯାହାର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ।

'ଓ ମାଇଁ ଲଭ୍' ପରେ ଅର୍ଚ୍ଚିତା ଲଗାତାର ପାଞ୍ଚବର୍ଷ ଧରି ଅଲ୍ରାଉଣ୍ଡର ସଞ୍ଜୟ ନାୟକଙ୍କ ସହିତ କାମ କରିଥିଲେ। ଏହି ସମୟ ଭିତରେ ଏ ଦୁହେଁ ଯେଉଁ ୧୦ଟି ସିନେମାରେ ଏକାଠି କାମ କରିଥିଲେ, ସେଗୁଡ଼ିକ ହେଲା- 'ଓ ମାଇଁ ଲଭ୍', 'ବାବୁ ଆଇ ଲଭ୍ ୟୁ', 'ଦେ ମା' ଶକ୍ତି ଦେ', 'ତୋ' ବିନା ମୋ' କାହାଣୀ ଅଧା', 'ତୋ' ପାଇଁ ନେବି ମୁଁ ଶହେ ଜନମ', 'ଧନରେ ରଖିବୁ ଶପଥ ମୋର', 'ମୁଁ ସପନର ସୌଦାଗର', 'ମତେ ଆଣିଦେଲ ଲକ୍ଷେ ଫଗୁଣ', 'ପାଗଳ କରିଚି ପାଉଁଜି ତୋର' ଏବଂ 'କେଉଁ ଦୁନିଆଁରୁ ଆସିଲ ବନ୍ଧୁ'।

ଏଥିମଧ୍ୟରୁ ଶେଷ ଦୁଇଟି ସିନେମା ୨୦୦୯ରେ ପ୍ରେକ୍ଷାଳୟକୁ ଆସିଥିଲା। ଅର୍ଥାତ୍ ୨୦୦୯ ପରେ ସଞ୍ଜୟ ନାୟକଙ୍କ କୌଣସି ସିନେମାରେ ଅଭିନୟ କରିନାହାଁନ୍ତି ଅର୍ଚ୍ଚିତା। ପ୍ରକାରାନ୍ତରେ କହିବାକୁ ଗଲେ ସଞ୍ଜୟ-ଅର୍ଚ୍ଚିତାଙ୍କ ଯୋଡ଼ି ଭାଙ୍ଗି ଯାଇଛି ଏବଂ ପ୍ରାୟ ଆଠ ବର୍ଷ ହେବ ଏହା ଯୋଡ଼ି ହୋଇପାରିନାହିଁ।

୨୦୧୦ରୁ ଏଯାବତ୍ ଅର୍ଚ୍ଚିତା ଅନ୍ୟ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ୨୦୦୫ରୁ ୨୦୦୯ ଯାଏଁ ଅର୍ଚ୍ଚିତା କେବଳ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ସିନେମାରେ ହିଁ ଦେଖା ଦେଉଥିଲେ।

Dailyhunt
Top