Thursday, 03 Aug, 9.47 am ସମ୍ବାଦ

ମନୋରଞ୍ଜନ
ମହସୀନ୍ଙ୍କ ନିର୍ଦ୍ଦେଶିତ କେବଳ ଗୋଟିଏ ଛବିରେ କାମ କରିଥିଲେ ମହାଶ୍ୱେତା

ଶିଶିର ମିଶ୍ର ଓ ପ୍ରଶାନ୍ତ ନନ୍ଦଙ୍କ ପରେ ଯେଉଁ ନିର୍ଦ୍ଦେଶକ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସର୍ବାଧିକ ଚର୍ଚ୍ଚିତ ହୋଇଥିଲେ,ସେ ହେଲେ ମହମ୍ମଦ ମହସୀନ୍। ମହସୀନ୍ ମଧ୍ୟ ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ 'ଶେଷ ଶ୍ରାବଣ' ସିନେମା ଜରିଆରେ ଓଲିଉଡ଼୍‍ରେ ପ୍ରବେଶ କରିଥିଲେ।ଏହି ଫିଲ୍ମକୁ ନାୟିକା ଭାବେ ମହାଶ୍ୱେତା ମଧ୍ୟ ଓଡ଼ିଆ ସିନେ ଜଗତରେ କ୍ୟାରିଅର୍ ଆରମ୍ଭ କରିଥିଲେ।

ଏହାପରେ ମହମ୍ମଦ ମହସୀନ୍ ୧୯୮୨ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଓଡ଼ିଆ ଛବି 'ଫୁଲ ଚନ୍ଦନ'ରୁ ସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ଶେଷ ସିନେମା ଥିଲା 'ସନ୍ତାନ'। ଅପରପକ୍ଷରେ ମହାଶ୍ୱେତାଙ୍କ 'ଶେଷ ଶ୍ରାବଣ'ରୁ ଆରମ୍ଭ ହୋଇଥିବା ଯାତ୍ରା ଏବେ ବି ଅବ୍ୟାହତ ରହିଛି।

ହେଲେ ଆପଣ ଜାଣନ୍ତି କି ମହମ୍ମଦ ମହସୀନ୍ଙ୍କ ନିର୍ଦ୍ଦେଶିତ କେବଳ ଗୋଟିଏ ଓଡ଼ିଆ ସିନେମାରେ ମହାଶ୍ୱେତା ଅଭିନୟ କରିଥିଲେ।ତାହା ହେଲା ସୁବାସ ରଥଙ୍କ ପ୍ରଯୋଜିତ ଫିଲ୍ମ 'ତୋ ବିନୁ ଅନ୍ୟଗତି ନାହିଁ'।ଏଥିରେ ମହାଶ୍ୱେତାଙ୍କ ସହିତ ସେ ସମୟର ଦୁଇ ଟପ୍ ହିରୋ ଉତ୍ତମ ମହାନ୍ତି ଓ ଶ୍ରୀରାମ୍ ପଣ୍ଡା ମଧ୍ୟ ଅଭିନୟ କରିଥିଲେ। ଯେଉଁ ଫିଲ୍ମରେ କି ଅଭିନେତ୍ରୀ ମହାଶ୍ୱେତା ଉଚ୍ଚକୋଟିର ଅଭିନୟ ଦ୍ୱାରା ଦର୍ଶକଙ୍କ ମନ କିଣିବାରେ ସେ ସଫଳ ହୋଇଥିଲେ। କିନ୍ତୁ 'ତୋ' ବିନୁ ଅନ୍ୟଗତି ନାହିଁ'ଫିଲ୍ମକୁ ଆଶାନୁରୂପ ସଫଳତା ମିଳି ନଥିଲା।

'ତୋ ବିନୁ ଅନ୍ୟଗତି ନାହିଁ'ପରେ ମହମ୍ମଦ ମହସୀନ୍ 'ଲକ୍ଷେ ଶବି ପୂଜି ପାଇଛି ପୁଅ','ଲକ୍ଷ୍ମୀ ପ୍ରତିମା','ମନ ରହିଗଲା ତୁମରିଠାରେ','ଧର୍ମ ସହିଲେ ହେଲା',ଓ 'ସନ୍ତାନ'ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ବି କୌଣସିଟିରେ ମହାଶ୍ୱେତାଙ୍କୁ ଦେଖିବାକୁ ପାଇନଥିଲେ ଦର୍ଶକ।

Dailyhunt
Top