Sunday, 02 Jul, 5.45 am ସମ୍ବାଦ

ରାଜ୍ୟ
ପରଲୋକରେ ମୀନକେତନ

ଭୁବନେଶ୍ୱର : 'କିଏ କହେ ମୀନ। କିଏ କହେ ମୀନକେତନ। ହେଲେ ଜଣଙ୍କ ମୁହଁରେ ଭାରି ଭଲଲାଗେ ବଦମାସ ମୀନକେତନ।' ଏଇ ମାତ୍ର କିଛିମାସ ତଳେ ଯାତ୍ରା ମଂଚରେ 'ବଦ୍ମାସ ମୀନକେତନ' ନାଟକର ଇଏ ବୋଧେ ଥିଲା ତାଙ୍କ ଶେଷ ସଂଳାପ। ଯାତ୍ରା ହେଉ କି ଚଳଚ୍ଚିତ୍ର, ନାଟକ ହେଉ କି ଧାରାବାହିକ। ପ୍ରତିଟି ସଂଳାପରେ ରୋମାଞ୍ଚ ସୃଷ୍ଟି କରୁଥିବା ଅଭିନୟ ଜଗତର ଅନ୍ୟତମ ଦକ୍ଷ ବିନ୍ଧାଣି ମୀନକେତନଙ୍କ ମୁହଁରୁ ଆଉ ଶୁଭିବନି ଏମିତି ସଂଳାପ। ମାତ୍ର ୫୬ ବର୍ଷ ବୟସରେ ସେ ସବୁଦିନ ପାଇଁ ନିରବି ଯାଇଛନ୍ତି।

ଅଢ଼େଇମାସ କାଳ ପାନ୍କ୍ରିଆଟିକ୍ କର୍କଟରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ମୀନକେତନ ହଂସପାଳ ନିକଟ ପଞ୍ଚମୁଖୀ ନଗରର ଅଟଳାସ୍ଥିତ ବାସଭବନରେ ଶୁକ୍ରବାର ରାତି ୨ଟା ୩୫ରେ ତାଙ୍କର ପରଲୋକ ହୋଇଯାଇଛି। ନିକଟରେ ମୁମ୍ବାଇ ସମେତ ଭୁବନେଶ୍ୱରରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ଚିକିତ୍ସା ପାଇଁ ୩୫ ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ବେଳେ ଅର୍ଥ ସମସ୍ୟା ଯୋଗୁଁ ଉପଯୁକ୍ତ ଚିକିତ୍ସା ହୋଇପାରିନଥିଲା। ବଞ୍ଚିବା ପାଇଁ ସଂଘର୍ଷ କରି କରି ଶେଷରେ ସେ ଆରପୂରକୁ ଚାଲିଗଲେ। ମୀନକେତନଙ୍କ ଏଭଳି ଅକାଳ ବିୟୋଗ ଉଭୟ ଚଳଚ୍ଚିତ୍ର ଓ ଯାତ୍ରା ମହଲରେ ଶୋକର ଛାୟା ଖେଳାଇ ଦେଇଛି।

ମୃତ୍ୟୁ ଖବର ପ୍ରଘଟ ହେବା ପରେ ଶେଷ ଦର୍ଶନ ପାଇଁ ତାଙ୍କ ଅଟଳାସ୍ଥିତ ବାସଭବନରେ ସିନେ, ଯାତ୍ରା ଓ ଧାରାବାହିକ ଜଗତର ବହୁ କଳାକାରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଭିଡ଼ ଜମିଥିଲା। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ପ୍ରଶାନ୍ତ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ଅଜିତ ଦାସ, ଅପରାଜିତା, ଅସିତ ପତି, ରାଇମୋହନ, ସିଦ୍ଧାନ୍ତ, ମୁନ୍ନା ଖାଁ, ଝିଲିକ୍, ଶ୍ରୀତମ, ସଂଜୟ ନାୟକ, ପିଣ୍ଟୁ ନନ୍ଦ, ଉଷଶୀ ମିଶ୍ର, ଚକ୍ରଧର, ହରିହର, ପ୍ରଜ୍ଞା, ଦେବୁବ୍ରହ୍ମା, ଅଶ୍ୱିନୀ ବ୍ରହ୍ମା, ଭଗବାନ, ନରେନ୍ଦ୍ର, ବିଦୁସ୍ମିତା, ଅଖିଳ, ଅକ୍ଷୟ ବସ୍ତିଆ, ମୃତୁଞ୍ଜୟ ସାହୁ, ମିହିର ସ୍ୱାଇଁ, ଲାଲାବୀରେନ ରାୟ, ଡେଜି, ଦୀପେଶ, ମହାପ୍ରସାଦ, ଗୁଡ୍ଡୁ ପ୍ରମୁଖ କଳାକାର ଶେଷ ଦର୍ଶନ କରିଥିଲେ। ମୀନକେତନ ଯେ ଆଉ ନାହାନ୍ତି କେହି ବିଶ୍ୱାସ କରିପାରୁନଥିଲେ।

କେନ୍ଦ୍ରାପଡ଼ାର ମାର୍ଶାଘାଇ ବ୍ଲକ୍ସ୍ଥିତ ଦୁମୁକାରେ ଜନ୍ମିତ ମୀନକେତନ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ନାଟକ ପାଠ୍ୟକ୍ରମରେ ଶିକ୍ଷା ଲାଭ ପରେ ଉଭୟ ଯାତ୍ରା ଓ ସିନେ ଜଗତକୁ ମୁହାଁଇଥିଲେ। ୧୯୯୪ରେ ଶାନ୍ତନୁ ମିଶ୍ରଙ୍କ ନିର୍ଦେଶିତ 'ମୁକ୍ତି ମଶାଲ' ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ୧୯୯୬ରେ ଚକ୍ରଧର ସାହୁଙ୍କ 'ନୀଳ ମାଷ୍ଟ୍ରାଣି'ରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ତେବେ 'ଗଙ୍ଗ ଶିଉଳି' ଚଳଚ୍ଚିତ୍ରରେ ତାଙ୍କର ଖଳନାୟକ ଜୀବନର ମୂଳଦୁଆ ପଡ଼ିଥିଲା। ଗୁଡ଼ାଖୁ ଘଷା ଖଳନାୟକର ଭୂମିକା ତାଙ୍କୁ ସିନେ ଜଗତରେ ଦେଇଥିଲା ସ୍ୱତନ୍ତ୍ର ପରିଚୟ।

ବିଶିଷ୍ଟ ଅଭିନେତା ହର ପଟ୍ଟନାୟକଙ୍କ ବିୟୋଗ ପରେ ତାଙ୍କ ସ୍ଥାନର ଅଭାବ ପୂରଣ କରିଥିଲେ ମୀନକେତନ। ବିଧାତା, ବନ୍ଦେ ଉତ୍କଳ ଜନନୀ, ଥୁକୁଲ୍, ଚକାଚକା ଭଉଁରି, ଦେଲେ ଧରା କଥା ସରେ, ଯିଏ ଯାହା କହୁ ମୋର ଢୋ, ସୁପର ମିଛୁଆ, ବାଳୁଙ୍ଗା ଟୋକା, ଜୀଅନ୍ତା ଭୂତ, ଓ୍ଵାଣ୍ଟେଡ୍, ହେଲା ମୋତେ ପ୍ରମ ଜର, ଗଡବଡ଼, ଜଗା ହାତରେ ପଘା, ନୂଆ ନୂଆ ପ୍ରେମରେ, କିଡ୍ନାପ୍, ତୁ ମୋ ଦେହର ଛାଇ, ଅଶୋକ ସମ୍ରାଟ, ହାତ ଧରି ଚାଲୁଥା, ଟାର୍ଗେଟ୍, ମାଇଁ ଲଭ୍ ଷ୍ଟୋରି, ଓମ୍ ସ ।ଇ ରାମ୍, ୧୪୩ ଆଇ ଲଭ୍ ୟୁ, ଶତ୍ରୁ ସଂହାର ଆଦି ୫୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁକରୀ ସ୍ପର୍ଶରେ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ।

ତାଙ୍କର ଶେଷ ଅଭିନୀତ ଓ ପରଦା ଉପରକୁ ଆସିଥିବା ଚଳଚ୍ଚିତ୍ର ଥିଲା 'ଅଗସ୍ତ୍ୟ'। ସଂପ୍ରତି ମୁକ୍ତିଲାଭ ଅପେକ୍ଷାରେ ଥିବା 'ଦୀପୁ ଦି ଡ୍ୟାନ୍ସ ବୟ'ରେ ବି ସେ ଅଭିନୟ କରିଥିଲେ। ଓଡ଼ିଆ ସମେତ ବଙ୍ଗଳା, ଭୋଜପୁରୀ ଓ ହିନ୍ଦୀ ଟେଲିଫିଲ୍ମ ପଡ଼ୋଶନ୍ରେ ବି ତାଙ୍କୁ ଦେଖିବାକୁ ମିଳିଥିଲା। ଖଳନାୟକ ଭାବେ ତାଙ୍କ କର୍କଶ ସଂଳାପରେ ଯେତିକି ରୋମାଞ୍ଚ ଥିଲା, କମେଡି ଓ ଚରିତ୍ର ଅଭିନେତା ଭାବେ ଅଭିନୟ ସେତିକି ମର୍ମସ୍ପର୍ଶୀ ଥିଲା। ଖାସ୍ ଏଇଥି ପାଇଁ ବିଶିଷ୍ଟ ସିନେ ଅଭିନେତା ପ୍ରଶାନ୍ତ ନନ୍ଦ କହିଥିଲେ, ଜଣେ କଞ୍ଚା ମାଟିର କଳାକାର ଚାଲିଗଲା।

ଖାଲି ଚଳଚ୍ଚିତ୍ର ନୁହେଁ, ୬୦ରୁ ଊର୍ଧ୍ୱ ଯାତ୍ରାରେ ବଳିଷ୍ଠ ନିର୍ଦେଶନା ଦେଇ ଯାତ୍ରା ଦର୍ଶକଙ୍କ ଭିତରେ ସେ ପାଲଟିଯାଇଥିଲେ ଅତି ପରିଚିତ ଚେହେରା। ସଜେଇ ଦିଅଲୋ ବେଦିକୁ ଯିବି, କଉଡ଼ି ଖେଳ, ଶହେ ଶହେରେ ଖେଳ, ମତେ ଭୁଲିବନି ମଧୁମାଳତି, କ'ଣ କଲା ସେ, ଟୋକିଟା ବଡ଼ ବୋକିଟା ଭଳି ଚର୍ଚିତ ଯାତ୍ରା ନାଟକର ସେ ଥିଲେ ନିର୍ଦେଶକ। ନିର୍ଦେଶନା ସହ ସୋମନାଥ ଯାତ୍ରାପାର୍ଟିର 'ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ'ରେ ଅଭିନୟ କରିଥିଲେ। ଶେଷ ନିର୍ଦେଶିତ ନାଟକ ଯାତ୍ରା ସଚ୍ଚିଦାନନ୍ଦମ୍ର 'ବଦ୍ମାସ ମୀନକେତନ' ତାଙ୍କରି ନାମ ଉପରେ ପର୍ଯ୍ୟବେସିିତ ଥିଲା। ଏଥିରେ ସେ ବଦ୍ମାସ ମୀନକେତନ ଭୂମିକାରେ ଦର୍ଶକ ମହଲରେ ନିଆରା ରୋମାଞ୍ଚ ସୃଷ୍ଟି କରିଥିଲେ। ସାହାନାଇ ସମେତ କିଛି ଧାରାବାହିକରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ଶେଷ ପ୍ରଦର୍ଶିତ ଥିଏଟର ନାଟକ ଥିଲା ଅଜିତ ଦାସଙ୍କ ନିର୍ଦେଶିତ 'ବୁଢ଼ା ଶଙ୍ଖାରି'।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ କାଞ୍ଚନବାଳା ଦାସଙ୍କ ସମେତ ଝିଅ, ଜ୍ୱାଇଁ, ଭାଇ, ଭାଉଜ, ପୁତୁରା ଓ ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ଅପରାହ୍ଣରେ ତାଙ୍କ ମର ଶରୀରକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ନିଆଯାଇଥିିଲା। ସେଠାରୁ ତାଙ୍କୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତୁରା ସୌରଶକ୍ତି ଦାସ ମୁଖାଗ୍ନି ଦେଇଥିଲେ।

Dailyhunt
Top