Saturday, 01 Jul, 4.46 am ସମ୍ବାଦ

ମହାନଗର
ସ୍ମୃତିରେ ସ୍ମୃତିରେ କୁଶ ଭାଇ

ଭୁବନେଶ୍ୱର : ଓଡ଼ିଆ ସିନେମା ଓ ଧାରାବାହିକ ଜଗତକୁ ସମୃଦ୍ଧି କରିବା ପାଇଁ ଖୁବ୍ ସ୍ପଳ୍ପ ସମୟ ମଧ୍ୟରେ ସେ ଅନେକ କିଛି କାର୍ଯ୍ୟ କରିଛନ୍ତି। କଣ୍ଢେଇ ଆଖିରେ ଲୁହ, ଚକଲେଟ୍ ଭଳି ଅଳ୍ପ କେତୋଟି ସିନେମା ନିର୍ମାଣ କରଥିଲେ ମଧ୍ୟ ଏହି ସିନେମାର ଭିନ୍ନତା ତାଙ୍କ ଦକ୍ଷତାର ପରିଚୟ ଦିଏ। ଦୁସ୍ଥ କଳାକାର ତଥା ଅସହାୟ ମଣିଷକୁ ସାହଯ୍ୟ କରିବାକୁ ସେ ସବୁବେଳେ ଆଗେଇ ଆସୁଥିଲେ। ବାସ୍ତବରେ କୁଶ ରଞ୍ଜନ ପଟ୍ଟନାୟକ ଜଣେ ଦରଦି ମଣିଷ ଓ ଦକ୍ଷ ପ୍ରଯୋଜକ ଥିଲେ। ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘର ପୂର୍ବତନ ସଭାପତି କୁଶରଞ୍ଜନ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସଭାରେ ଅତିଥିମାନେ ଏପରି ମତପ୍ରକଶ କରିଛନ୍ତି।

ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ତାଙ୍କର ସ୍ମୃତିଚାରଣ କରିଥିଲେ। କୁଶଙ୍କ ବଡ଼ ଭାଇ ତଥା ପୂର୍ବତନ ମନ୍ତ୍ରୀନିରଞ୍ଜନ ପଟ୍ଟନାୟକ କହିଲେ, କୁଶ ବଞ୍ଚିଥିବା ବେଳେ ସେ କଣ କରୁଛି କେବେ ମୁଁ ଗୁରୁତ୍ୱର ସହ ନେଇ ନଥିଲି। ସେ ଚାଲିଗଲା ପରେ ଏତେ ଲୋକ ତାକୁ ଭଲ ପାଆନ୍ତି, ଶ୍ରଦ୍ଧା କରନ୍ତି ମୁଁ ଜାଣିବାକୁ ପାଇଲି। ଓଡ଼ିଆ ଫିଲ୍ମ ସହ ଅନେକ ଅସହାୟ ଲୋକଙ୍କୁ ସେ ସାହାଯ୍ୟ କରୁଥିଲା। ବାସ୍ତବରେ ସେ ଆମ ପରିବାରର ଗର୍ବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କୁଶଙ୍କ ଅନ୍ୟତମ ବଡ଼ ଭାଇ ଉଦ୍ୟୋଗପତି ତାରାରଞ୍ଜନ ପଟ୍ଟନାୟକ ସ୍ମୃତିଚାରଣ କରି କହିଲେ, କୁଶ ଜଣେ ମଣିଷ ପରି ମଣିଷ, ଭାଇ ପରି ଭାଇ , ପୁଅ ପରି ପୁଅ, ବାପା ପରି ବାପା ଥିଲା। ଏହି ଅବସରରେ ସ୍ମରଣିକା ଶ୍ରଦ୍ଧାଞ୍ଜଳି ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ପ୍ରେମାଞ୍ଜନ ପରିଡ଼ା, ସିନେ ସମୀକ୍ଷିକ ଦିଲ୍ଲୀପ ହାଲି, ପ୍ରଯୋଜକ ବାବୁ ସଂହ ଶେଷରେ ସ୍ୱର୍ଗତ ପଟ୍ଟନାୟକଙ୍କ ଝିଅ ଅନିଶା ପଟ୍ଟନାୟକ କୁଶଙ୍କ ସ୍ମୃତିଚାରଣ କରିଥିଲେ। ଅସିତ ମଲ୍ଲିକ ପ୍ରାରମ୍ଭକି ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମଧୁମିତା ମହାନ୍ତି ଓ ସୁକାନ୍ତ ରଥ। କୁଶ ପଟ୍ଟନାୟକଙ୍କୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ ସହ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଧନ୍ୟବାଦ ଦେଇଥିଲେ ପ୍ରଭାସ ଜୀବନ ମହାନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ କୁଶ ପ୍ରେମୀ ଉପସ୍ଥିତ ଥିଲେ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sambad
Top