Monday, 31 Jul, 7.46 am ସମ୍ବାଦ

ମନୋରଞ୍ଜନ
ସ୍ୱରାଜଙ୍କ ଦ୍ୱିତୀୟ ସିନେମା 'ଲୈଲା ଓ ଲୈଲା'

ଭୁବନେଶ୍ୱର : ଓଲିଉଡରେ ଏମିତି କିଛି କଳାକାର ଅଛନ୍ତି, ଯେଉଁମାନେ ଶିଶୁ ଅବସ୍ଥାରୁ ପରଦାରେ ନଜର ଆସିଛନ୍ତି। ଏମାନଙ୍କ ଭିତରୁ କେତେକ ବଡ଼ପରଦାକୁ ଶିଶୁ କଳାକାର ଭାବେ ଆସି ପରେ ନାୟକ ଓ ନାୟିକା ଭାବେ ମଧ୍ୟ କ୍ୟାରିଅର ଆରମ୍ଭ କରି ସଫଳତା ହାସଲ କରିଛନ୍ତି।

ଓଲିଉଡର ଲୋକପ୍ରିୟ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ 'ଦସ୍ୟୁ ରତ୍ନାକର' ଛବିରୁ ଶିଶୁ କଳାକାର ଭାବେ ସିନେମା ସହ ସଂଶ୍ଳିଷ୍ଟ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ନାୟକ ଭାବେ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଥିଲେ।

ଏବେ ଏହି ତାଲିକାରେ ସାମିଲ ହୋଇଥିବା ନୂଆ ନାୟକ ଜଣକ ହେଲେ ସ୍ୱରାଜ। ସେ ମଧ୍ୟ ୨୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଛବିରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ତାଙ୍କୁ ନାୟକ ଭାବେ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ହିଟ୍ ସିନେମା 'ତୁ ମୋ ଲଭଷ୍ଟୋରି'ରେ ପ୍ରଥମେ ସୁଯୋଗ ମିଳିଥିଲା। ଏହି ସିନେମାର ପ୍ରଯୋଜନା କରିଥିବା ତରଙ୍ଗ ସିନେ ପ୍ରଡକସନ୍ସ ସ୍ୱରାଜଙ୍କୁ ନେଇ ଆଉ ଏକ ଫିଲ୍ମ ନିର୍ମାଣ କରିବ ବୋଲି ପ୍ରଥମେ ଶୁଣିବାକୁ ମିଳୁଥିଲା। ହେଲେ ତାହା ହେଲା ନାହିଁ।

ସେ ଯା'ହା ହେଉନା କାହିଁକି ସ୍ୱରାଜଙ୍କୁ ମିଳିଯାଇଛି ଦ୍ୱିତୀୟ ସିନେମା। ଏହି ସିନେମାର ଟାଇଟଲ୍ ହେଲା 'ଲୈଲା ଓ ଲୈଲା'। ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସୁଶାନ୍ତ ମଣି। ଏଥିରେ ସ୍ୱରାଜଙ୍କ ଅପୋଜିଟ୍ରେ ସନ୍ମୀରାଙ୍କୁ ନାୟିକା ଭୂମିକାରେ ନିଆଯାଇଛି। ପ୍ରଥମ ଫିଲ୍ମରେ ସ୍ୱରାଜ-ଭୂମିକା ଯୋଡି ହିଟ୍ ହୋଇଛି। ଏବେ ଦେଖିବା କଥା ସ୍ୱରାଜ-ସନମୀରା ଯୋଡ଼ି ଅନୁରୂପ ସଫଳତା ହାସଲ କରିପାରୁଛନ୍ତି କି ନା!

Dailyhunt
Top