Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୩ ଜିଲ୍ଲାରେ ଖୋଲିବ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ

୩ ଜିଲ୍ଲାରେ ଖୋଲିବ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ

SANKET TV 3 days ago

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ବୋଲି ଅଭିହିତ କରିଛନ୍ତି। ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ, ବରଂ ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ "Yoga for Healthy Ageing" ବା "ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ" ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୟସ ବଢ଼ିବା ସହିତ ଶରୀରରେ ଦେଖା ଦେଉଥିବା ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଏକାକୀପଣ ଭଳି ସମସ୍ୟାର ସହଜ ସମାଧାନ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ସମ୍ଭବ। ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସୁସ୍ଥତା ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ସେ ମତ ଦେଇଛନ୍ତି।

ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମରେ ୨୦-୩୦ ମିନିଟ୍ ଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯୋଗ କେବଳ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ନୁହେଁ, ମାନସିକ ସନ୍ତୁଳନ ପାଇଁ ମଧ୍ୟ ଅତ୍ୟନ୍ତ ଫଳପ୍ରଦ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ସରକାରଙ୍କ ପକ୍ଷରୁ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ୩ଟି ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଛି। ଏହା ଦ୍ୱାରା ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ପ୍ରାଚୀନ ଚିକିତ୍ସା ପଦ୍ଧତି ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପହଞ୍ଚିବ ବୋଲି ଆଶା କରାଯାଉଛି।

ମୁଖ୍ୟମନ୍ତ୍ରୀ ଅଧିକ ସୂଚନା ଦେଇ କହିଛନ୍ତି ଯେ, ଜଟଣିର ବିଂଝଗିରିଠାରେ ୨୦ ଏକର ପରିମିତ ଅଞ୍ଚଳରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସେହିପରି ରାଇରଙ୍ଗପୁରଠାରେ କେନ୍ଦ୍ରୀୟ ଆୟୁର୍ବେଦିକ ମେଡିକାଲ କଲେଜର ଶିଳାନ୍ୟାସ କରାଯାଇଛି। ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସରକାର ପଦକ୍ଷେପ ନେଉଥିବା ସେ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂ, କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଭୂପିନ୍ଦର ସିଂ ପୁନିଆଙ୍କ ସମେତ ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sanket TV