ରାହୁଲ ଆହୁରି କହିଛନ୍ତି, ସେ ଶିବ-ଶକ୍ତିରେ ବିଶ୍ବାସ କରନ୍ତି ତେଣୁ ଆରଏସଏସ ବିରୋଧରେ ଲଢ଼ିବାକୁ ତାଙ୍କୁ ଭଲ ଲାଗେ। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ତେଲେଙ୍ଗାନା ବିଜେପି ମୁଖ୍ୟ ଏନ୍ ରାମଚନ୍ଦର ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀଙ୍କ ପାର୍ଟିରେ କେତେ ମହିଳା ବଡ଼ ପଦବୀରେ ଅଛନ୍ତି ବୋଲି ରାଓ ପ୍ରଶ୍ନ କରିଛନ୍ତି।
ତାଙ୍କ ଦଳ ଯେଉଁ ରାଜ୍ୟରେ ଶାସନ କରୁଛି ମହିଳାଙ୍କୁ ସେଠାରେ କ'ଣ ପଦବୀ ମିଳିଛି ବୋଲି ସେ ପ୍ରଶ୍ନ କରିବା ସହିତ ବିଜେପି ଜାତୀୟ ରାଜଧାନୀରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି ବୋଲି କହିଛନ୍ତି।
ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଜବାବ ଦେଇ ମହାରାଷ୍ଟ୍ରର ବିଜେପି ବିଧାୟକ ରାମ କଦମ କହିଛନ୍ତି, ରାହୁଲ ଗାନ୍ଧୀ ପ୍ରାୟତଃ ଆରଏସଏସ ବିଷୟରେ ମନ୍ତବ୍ୟ ଦିଅନ୍ତି। ଯଦିଓ ତାଙ୍କର ରାଜନୈତିକ ଅଭିଯୋଗ, ପ୍ରତିଆରୋପ ଓ ତୀବ୍ର ସମାଲୋଚନା କରିବାର ଅଧିକାର ନିଶ୍ଚିତ ଭାବରେ ଅଛି, କିନ୍ତୁ ତାଙ୍କୁ ଉପଯୁକ୍ତ ଅଧ୍ୟୟନ ପରେ ହିଁ ଏହା କରିବା ଉଚିତ।
ସେ କ'ଣ ଜାଣନ୍ତି ନାହିଁ ଯେ, ଆରଏସଏସର ମଧ୍ୟ ମହିଳାଙ୍କ ପାଇଁ ଏକ ଶାଖା ଅଛି? ଏହା ସମଗ୍ର ଦେଶରେ କାର୍ଯ୍ୟ କରେ ଓ ମହିଳାମାନେ ପୁରୁଷମାନଙ୍କ ପରି ସମାନ ସ୍ତରର ପ୍ରମୁଖତା ସହିତ ଏଥିରେ କାର୍ଯ୍ୟ କରନ୍ତି ବୋଲି କଦମ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏପରି ପିଲାଳିଆମୀ ମନ୍ତବ୍ୟ ବିରୋଧୀ ଦଳ ନେତାଙ୍କୁ ଶୋଭା ଦିଏ ନାହିଁ।

