Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବାଇକ୍ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ ସରକାରୀ ବ୍ୟବସ୍ଥାକୁ ନେଇ କ୍ଷୋଭ

ଝାରସୁଗୁଡ଼ା(ସତ୍ୟପାଠ ବ୍ୟୁରୋ): ବାଇକରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ବାମୀ। ଯାହା ଫଳରେ ସରକାରୀ ବ୍ୟବସ୍ଥାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପତ୍ନୀଙ୍କ ମୃତ୍ୟୁ ପରେ ମୃତଦେହ ନେବା ପାଇଁ ଶବବାହକ ଗାଡ଼ି ନ ମିଳିବାରୁ ବାଇକରେ ଗାଁକୁ ନେଇ ଯାଉଥିବା ଦେଖିବାକୁ ମିଳିଛି। ସରକାର ସ୍ୱାସ୍ଥ୍ୟ ସେବାରେ ବୈପ୍ଳବିକ ପରିବର୍ତ୍ତନ ଓ ଗ୍ରାମାଞ୍ଚଳରେ ଉନ୍ନତ ଚିକିତ୍ସା ବ୍ୟବସ୍ଥାର ଡିଣ୍ଡିମ ପିଟୁଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା।

ଏହି ହୃଦୟବିଦାରକ ଦୃଶ୍ୟ କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ, ବରଂ ସରକାରୀ ବ୍ୟବସ୍ଥାର ନିଷ୍ଠୁର ବିଫଳତା ଉପରେ ଏକ ଜୀବନ୍ତ ପ୍ରଶ୍ନଚିହ୍ନ। ସରକାର ସ୍ୱାସ୍ଥ୍ୟସେବାର ଉନ୍ନତି ନେଇ ବାରମ୍ବାର ଦାବି କରୁଥିବାବେଳେ, ଜଣେ ଅସହାୟ ବ୍ୟକ୍ତିଙ୍କୁ ନିଜ ପତ୍ନୀଙ୍କ ମୃତଦେହ ଘରକୁ ନେବା ପାଇଁ ସରକାରୀ ଶବବାହକ ଗାଡ଼ି ନ ମିଳିବା ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାକୁ ପକାଇଛି। ଶେଷରେ ସେ ବାଧ୍ୟ ହୋଇ ଏକ ବାଇକ୍‌ରେ ମୃତଦେହକୁ ନିଜ ଗାଁକୁ ନେଇଥିଲେ। ସୂଚନା ଅନୁସାରେ, ଲଇକେରା ବ୍ଲକର ଭାତଲଇଡ଼ା ପଞ୍ଚାୟତ ଅଧୀନ ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆଙ୍କ ପତ୍ନୀ ଯମୁନା ଛତ୍ରିଆ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ମୃତଦେହକୁ ଘରକୁ ନେବା ପାଇଁ ପରିବାର ପକ୍ଷରୁ ଶବବାହକ ଗାଡ଼ି କିମ୍ବା ଆମ୍ବୁଲାନ୍ସ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। ନରେଶ ଛତ୍ରିଆଙ୍କ କହିବା ଅନୁସାରେ, ବହୁ ଚେଷ୍ଟା ସତ୍ତ୍ୱେ ସହଯୋଗ ନ ମିଳିବାରୁ ସେ ପଡ଼ୋଶୀଙ୍କ ବାଇକ୍‌ର ସାହାଯ୍ୟରେ ପତ୍ନୀଙ୍କ ମୃତଦେହକୁ ଗ୍ରାମକୁ ନେଇଥିଲେ। ସେ କହିଛନ୍ତି, "ନା ଆମ୍ବୁଲାନ୍ସ ମିଳିଲା, ନା ଶବବାହକ ଗାଡ଼ି। ବାଧ୍ୟ ହୋଇ ବାଇକ୍‌ରେ ମୃତଦେହ ନେବାକୁ ପଡ଼ିଲା।" ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାରେ ମୃତଦେହ ପରିବହନ ଭଳି ମୌଳିକ ସୁବିଧା ଉପଲବ୍ଧ ନ ଥିବାରୁ ସ୍ୱାସ୍ଥ୍ୟ ସେବାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ତଦନ୍ତ କରି ଦାୟୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବା ସହ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବବାହକ ଗାଡ଼ିର ସ୍ଥାୟୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha