Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବାଲିଅନ୍ତା ଭିଡ଼ ହିଂସାକାଣ୍ଡ: ଜୁନ୍ ୧ରୁ ଜେରା କରିବ ଏନଏଚଆରସିର ୨ଟି ଟିମ୍, ଗ୍ରାଉଣ୍ଡ ଜିରୋରେ ହେବ ତଦନ୍ତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ହିଂସାକାଣ୍ଡ ଏବଂ ପୋଲିସ ହେପାଜତରେ ମୃତ୍ୟୁ ଅଭିଯୋଗ ମାମଲାରେ ଜାତୀୟ ମାନବାଧିକାର କମିଶନ (NHRC) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ କମିଶନଙ୍କ ଦୁଇଟି ସ୍ୱତନ୍ତ୍ର ଟିମ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଆସନ୍ତା ଜୁନ୍ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଏହି ମିଳିତ ଟିମ୍ ଭୁବନେଶ୍ୱର ସମେତ ଘଟଣାସ୍ଥଳ ବାଲିଅନ୍ତାର ଗ୍ରାଉଣ୍ଡ ଜିରୋରେ ରହି ସରଜମିନ ତଦନ୍ତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଏହି ହାଇପ୍ରୋଫାଇଲ୍ ତଦନ୍ତ ପ୍ରକ୍ରିୟା ପାଇଁ ଭୁବନେଶ୍ୱରର ସ୍ପେଶାଲ ସର୍କିଟ୍ ହାଉସଠାରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସାକ୍ଷ୍ୟ ଗ୍ରହଣ ଓ ବୟାନ ରେକର୍ଡ କରିବା ନିମନ୍ତେ ସେଠାରେ ସ୍ୱତନ୍ତ୍ର ଟାଇପିଷ୍ଟ ଏବଂ ଭାଷା ଅନୁବାଦକ (ଟ୍ରାନ୍ସଲେଟର) ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

➡️କମିଶନଙ୍କ ସ୍କାନରରେ ପୋଲିସ ଅଧିକାରୀ

ଉକ୍ତ ଘଟଣା ସମୟରେ ବାଲିଅନ୍ତା ଥାନାରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀଙ୍କୁ କମିଶନଙ୍କ ସଦସ୍ୟମାନେ ସେମାନଙ୍କ ସମ୍ମୁଖରେ ଜେରା କରିବେ। ଏହା ସହିତ କମିଶନରେଟ୍ ପୋଲିସର ବରିଷ୍ଠ ଅଧିକାରୀ, ପୋଲିସ କମିଶନର ଏବଂ ରେଳବାଇ ଏସପିଙ୍କ ସହ ମଧ୍ୟ NHRC ଟିମ୍ ବିସ୍ତୃତ ଆଲୋଚନା କରିବେ। ତଦନ୍ତକାରୀ ଦଳ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ମୃତ୍ୟୁର ପ୍ରକୃତ କାରଣ ଏବଂ ଏଥିରେ କୌଣସି ପ୍ରକାର ମାନବାଧିକାର କ୍ଷୁଣ୍ଣ ହୋଇଛି କି ନାହିଁ, ତାର ତର୍ଜମା କରିବେ।

ସୂଚନାଯୋଗ୍ୟ ଯେ, ଏହି ସମ୍ବେଦନଶୀଳ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମାନ୍ତରାଳ ଭାବେ ତଦନ୍ତ ଜାରି ରହିଛି। ବର୍ତ୍ତମାନ ଏନଏଚଆରସିର ଏହି ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିବା ନେଇ ଆଶା ସଞ୍ଚାର ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha