Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବନ୍ୟା ପରେ ବିପନ୍ନଙ୍କ ସଂଘର୍ଷ, ୬ଟି ପଞ୍ଚାୟତ ଆଜିବି ପାଣି ଘେରରେ ଧୋୟା ଅଞ୍ଚଳ ବୁଲି ସ୍ଥିତି ପରଖିଲେ ଜିଲ୍ଲାପାଳ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ଉପମୁଖ୍ୟମନ୍ତ୍ରୀ

ଟ୍ଟାମୁଣ୍ଡାଇ(ସତ୍ୟପାଠବ୍ୟୁରୋ): ବନ୍ୟା ଛାଡ଼ି ଯାଇଛି ଦୁର୍ଦ୍ଦଶା। କାହାର ଜୀବିକା ଯାଇଛି ତ କାହାର ଘର ଦ୍ବାର। ବର୍ଷା କମିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ କମିବାରେ ଲାଗିଛି। ମୁଖ୍ୟ ରାସ୍ତା ଉପରୁ ପାଣି ଖସିଥିଲେ ମଧ୍ୟ ତଳିଆ ଅଞ୍ଚଳର ରାସ୍ତାଘାଟ ବୁଡ଼ି ରହିଛି। ପାଣି ଛାଡିବା ପରେ ବିପନ୍ନମାନେ ଘର ସଜାଡ଼ିବାରେ ଲାଗିଛନ୍ତି।

ବନ୍ୟା ଯୋଗୁ କଚ୍ଚାଘର ଗୁଡିକ ଭାଙ୍ଗିଥିବା ବେଳେ ଚାଷ ସଂପୁର୍ଣ୍ଣ ଉଜୁଡ଼ିଯାଇଛି।

ଅସଜଡା ଘରକୁ ସଜାଡ଼ି ଅଣ୍ଟା ସଳଖ କରି କିପରି ଠିଆ ହେବେ ସେଥିପାଇଁ ସେମାନେ ସଂଘର୍ଷ ଚଳାଇଛନ୍ତି। ପାଣି ଛାଡି ଥିଲେ ମଧ୍ୟ ସିଂହଗାଁ ସମେତ ପାଖାପାଖି ୬ଟି ପଞ୍ଚାୟତ ଆଜି ସୁଦ୍ଧା ପାଣି ଘେରରେ ରହିଛି। ପଟ୍ଟାମୁଣ୍ଡାଇ ବ୍ଳକର ୧୨ ପଂଚାୟତ ଓ ପ‌ୌରାଞ୍ଚଳର ୬ ୱାର୍ଡରେ ଆଜି ବିପନ୍ନମାନଙ୍କୁ ଚୁଡା, ବିସ୍କୁଟ, ପାଣି ଓ ଗୁଡ଼ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇଛି ।

କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାର ପଟ୍ଟାମୁଣ୍ଡାଇ ବ୍ଳକର ଧୋୟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ଆୟାର ଧୋୟା ଅଞ୍ଚଳର ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ଅମୃତ ମଣୋହୀ, ଅଣ୍ଡରା, ନିଳକଂଠପୁର, ଶ୍ରୀରାମପୁର, ଡାମରପୁର ପ୍ରଭୃତି ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିପନ୍ନ ମାନଙ୍କୁ ଭେଟିବା ସହ ବିଭିନ୍ନ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ମେଡିକାଲ ଟିମ ଓ ଔଷଧ, ବିଜୁଳି ତୁରନ୍ତ ସଂଯୋଗ କରିବା ଓ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ବିପନ୍ନମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳଙ୍କ ସହିତ ବିଧାୟକ ଧ୍ରୁବ ସାହୁ, ବ୍ଳକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡିଓ ଶୀତଲ ଅଗ୍ରୱାଲ ଓ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତି ଥିଲେ।

ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ୫ଶହ ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି ବୋଲି କୃଷି ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେହିପରି ଭାବରେ ୬୦ ହେକ୍ଟର ଚାଷ ଜମିରେ ନଳିତା, କଖାରୁ, ବାଇଗଣ, କଲରା, ଭେଣ୍ଡି ପ୍ରଭୃତି ଚାଷ କରାଯାଇଥିଲା ବୋଲି ଉଦ୍ୟାନବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି। ପାଣି ଛାଡିବା ପରେ ଫସଲ ହାନିର କ୍ଷୟକ୍ଷତି ଆକଳନ କରାଯିବ।

ଅନ୍ୟପଟେ ଆସନ୍ତା ୪ ତାରିଖ ଦିନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ରାପଡା ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ କରିବେ। ଶ୍ରୀ ସିଂହଦେଓ ପଟ୍ଟାମୁଣ୍ଡାଇ ଧୋୟା ଅଂଚଳ କେତେକ ପଞ୍ଚାୟତ ସମେତ ପୌରାଞ୍ଚଳର କେତେକ ୱାର୍ଡକୁ ଯିବାର କାର୍ଯ୍ୟକ୍ରମ ରହିଛି। ବନ୍ୟାଞ୍ଚଳର କ୍ଷୟକ୍ଷତି , ସ୍ବାସ୍ଥ୍ୟସେବା , ପାନୀୟ ଜଳ ବିଦ୍ୟୁତ ସେବାର ସୁଧାର , ରିଲିଫ ବଂଟନ, ଓ ଫସଲ କ୍ଷୟକ୍ଷତି ସଂପର୍କରେ ଏକ ସମୀକ୍ଷା ବୈଠକ କରିବ‌ାର କାର୍ଯ୍ୟକ୍ରମ ରହିଛି। ଆସନ୍ତକାଲି ସୁଦ୍ଧା ଗୋଖାଦ୍ୟ ପଞ୍ଚାୟତରେ ପହଞ୍ଚିବ ବୋଲି ବିଡିଓ ଶୀତଲ ଅଗ୍ରୱାଲ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha