Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଚାହାଣି ମଣ୍ଡପରେ ଚଢିଲେ ବିଜେପି ନେତା; ମନମୋହନ, ପ୍ରଭାତୀ, ଆଶ୍ରିତଙ୍କ ନାଁରେ ଥାନାରେ FIR ଦେଲା ବିଜେଡି

ଭୁବନେଶ୍ୱର, ୩୧/୦୭/୨୦୨୬: ନୀଳାଦ୍ରି ବିଜେରେ ଚାହାଣୀ ମଣ୍ଡପକୁ ବିଜେପି ନେତାଙ୍କ ପ୍ରବେଶକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକଙ୍କ ନାମରେ କ୍ୟାପିଟାଲ ଥାନାରେ ପୁରୀ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ ଏଫଆଈଆର ପ୍ରଦାନ କରିଛନ୍ତି ।

ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର ଓଡିଶାର ଅସ୍ମିତାକୁ ନଷ୍ଟ କରୁଛି । ଶ୍ରୀମନ୍ଦିରର ରୀତନୀତି ପରମ୍ପରାକୁ ଉଲ୍ଲଂଘନ କରି ଚାହାଣୀ ମଣ୍ଡପକୁ ପ୍ରବେଶ କରିଛନ୍ତି । ଅଣସେବାୟତ ହୋଇ ମହାଲକ୍ଷ୍ମୀଙ୍କ ଭେଟ ସମୟରେ ମଣ୍ଡପରେ କିପରି ଉପସ୍ଥିତି ରହିଲେ ସେନେଇ ପ୍ରଶ୍ନବାଚି ସୃଷ୍ଟି କରିଛି । ନୀଳାଦ୍ରି ବିଜେ ପରି ଅତ୍ୟନ୍ତ ପବିତ୍ର ଅବସରରେ ଉପମୁଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି ଓ ବିଧାୟକ ଚାହାଣି ମଣ୍ଡପକୁ କେଉଁ ଆଇନଗତ ଅନୁମତିରେ ଗଲେ । ପ୍ରଶାସନିକ ଆଦେଶ କିମ୍ବା କେଉଁ ପରମ୍ପରାର ଆଧାରରେ ପ୍ରବେଶ କରିଥିଲେ । ତାହା ତୁରନ୍ତ ସାର୍ବଜନୀନ କରାଯିବାର ଆବଶ୍ୟକ ରହିଛି ।

ବିଜେପି ସରକାର ମହାପ୍ରଭୁଙ୍କୁ ରାଜନୈତିକ ପରିଧି ମଧ୍ୟରେ ରଖିବାକୁ ଦୁଃସାହସ କରୁଛି । ଯଦି ଉକ୍ତ ପ୍ରବେଶ ନିୟମ ସମ୍ମତ ନଥିଲା, ତେବେ ଏହା ଶ୍ରୀ ମନ୍ଦିରର ପବିତ୍ର ପରମ୍ପରା, ମର୍ଯ୍ୟାଦା ଏବଂ ସ୍ଥାପିତ ବ୍ୟବସ୍ଥା ପ୍ରତି ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି । କ୍ଷମତାଶାଳୀ ବ୍ୟକ୍ତି ମାନଙ୍କ ପାଇଁ ଗୋଟିଏ ନିୟମ ଏବଂ ସାଧାରଣ ଭକ୍ତଙ୍କ ପାଇଁ ଆଉ ଗୋଟିଏ ନିୟମ ପ୍ରଚଳିତ ହେଉଛି ବୋଲି ଜନସାଧାରଣଙ୍କ ମନରେ ଏହି ଧାରଣା ସୃଷ୍ଟି ହେଉଛି । ଯାହାକି ଜନବିଶ୍ୱାସକୁ କ୍ଷୁର୍ଣ୍ଣ କରିବାରେ ଲାଗିଛି । ତେଣୁକରି ଉକ୍ତ ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଉଲ୍ଲେଖ କରାଯାଇଛି । ତଦନ୍ତ କରି କେଉଁ ପରିସ୍ଥିତିରେ ଅନୁମତି ଦିଆଗଲା, କିଏ ଅନୁମୋଦନ କଲେ ଏବଂ ସମସ୍ତ ନିୟମ ପାଳନ ହୋଇଥିଲା କି ନାହିଁ, ତାହା ସ୍ପଷ୍ଟ କରାଯାଉ । ଯଦି କୌଣସି ଅନିୟମିତତା କିମ୍ବା କର୍ତ୍ତବ୍ୟରେ ଅବହେଳା ପ୍ରମାଣିତ ହୁଏ । ତେବେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କୁହାଯାଇଛି । ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ମର୍ଯ୍ୟାଦା କୌଣସି ବ୍ୟକ୍ତି, ପଦବୀ କିମ୍ବା ରାଜନୈତିକ ପ୍ରଭାବ ଠାରୁ ଊଦ୍ଧ୍ୱର୍ରେ । ଶ୍ରୀମନ୍ଦିର କୌଣସି ରାଜନୈତିକ ପ୍ରଦର୍ଶନର ସ୍ଥାନ ନୁହେଁ; ଏହା ଓଡ଼ିଆଙ୍କ ଆସ୍ଥା ଓ ଅସ୍ମିତାର ପ୍ରତୀକ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ନିରବତା କିମ୍ବା ନିଷ୍କ୍ରିୟତା ଜନମାନସରେ ଗଭୀର ଅସନ୍ତୋଷ ଓ ଅବିଶ୍ୱାସ ସୃଷ୍ଟି କରିବ । ତେଣୁକରି ଉକ୍ତ ଘଟଣାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ବିଜେଡି ପ୍ରତିନିଧି ମଣ୍ଡଳୀରେ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ଗଣମାଧ୍ୟମ ସଂଯୋଜକ ତଥା ପ୍ରବକ୍ତା ଡ଼ ଲେନିନ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଡ଼ ପ୍ରିୟବ୍ରତ ମାଝୀ, ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତି ସୁମିତ୍ରା ଜେନା, ଅଂଶୁ ତ୍ରିପାଠୀ, ଇଲା ସ୍ୱାଇଁ, ପୁରୀ ଜିଲ୍ଲା ପରିଷଦ ଉପସଭାପତି ସ୍ୱାଧୀନ ନାୟକ, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ୱାଇଁ ଓ ସାକ୍ଷୀଗୋପାଳ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha